ଶିବ ମନ୍ଦିର ଏବଂ ଭାଲେଣ୍ଟାଇନ୍‌ ଡେ’ ପାଳନବେଳେ ଜଗିବେ ୨୫ ପ୍ଲାଟୁନ୍‌ ଫୋର୍ସ

Advertisment
ପୁଲିସ ବଳର ଆଧୁନିକୀକରଣ: ୨୦୨୨-୨୩ ବର୍ଷରେ ଓଡ଼ିଶା ନିମନ୍ତେ ୧୩.୯୧ କୋଟି

Govt Job Information

ଭୁବନେଶ୍ୱର: ବୁଧବାର ଗୋଟିଏ ଦିନରେ ପଡ଼ୁଛି ମହାଶିବରାତ୍ରି ଓ ଭାଲେଣ୍ଟାଇନ୍‌ ଡେ ଦିବସ। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ରାଜଧାନୀର କେତେକ ପ୍ରମୁଖ ଶିବ ମନ୍ଦିର ଏବଂ ଭାଲେଣ୍ଟାଇନ୍‌ ଡେ’ ପାଳନବେଳେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ଲାଗି ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ସ୍ଥିର ହୋଇଛି। ୨୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମୁତୟନ ହେବାକୁ ଥିବାବେଳେ ଆଉ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ଭାଲେଣ୍ଟାଇନ୍‌ ଡେ’ ରେ କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବେ।
ଆଜି ଏ ନେଇ ଆଜି କମିସନରେଟ ପୁଲିସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଶିବରାତ୍ରି ପାଇଁ ସକାଳୁ ସକାଳୁ ଲିଙ୍ଗରାଜଙ୍କ ମନ୍ଦିରରେ ଭିଡ଼ ହେବ। ଏହି ଭିଡ଼ ମହାଦୀପ ଉଠିବା ଯାଏ ରହିବ। ତେଣୁ ଏହି ସମୟରେ ଯେପରି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଆଜି ରାତି ୧ଟାରୁ ମନ୍ଦିର ବାହାରୁ ଓ ଭିତରେ ଭିଡ଼କୁ ନିୟନ୍ତ୍ରଣ କରାଯିବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ୨୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଡିସିପି ସତ୍ୟବ୍ରତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୫ଜଣ ଅତିରିକ୍ତ ଏସିପି, ୧୧ଜଣ ଏସିପି, ୧୦୦ଜଣ ବରିଷ୍ଠ ପୁଲିସ ଅଫିସର ଡ୍ୟୁଟି କରିବେ। ଜାଗର ରାତିରେ ଚେନ୍‌ ଲୁଟ୍‌ ଓ ମହିଳାଙ୍କୁ ଅଶ୍ଳୀଳ ଆଚରଣରେ ନଜର ରଖିବାପାଇଁ ମନ୍ଦିରରେ ଲାଗିଥିବା ସିସି କ୍ୟାମେରା ସହ ବହୁ ସାଦା ପୋଷାକଧାରୀ ପୁରୁଷ ଓ ମହିଳା ପୁଲିସ ନଜର ରଖିବେ। ସେହିପରି ବାହାରେ ଟ୍ରାଫିକ୍‌ ଓ ଆଇନ୍‌ ଶଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ଵ ଆରୋପ କରାଯାଇଛି।

ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା
ଯାନବାହାନରଗୁଡିକର ସୁନିୟନ୍ତ୍ରଣ ଓ ଭକ୍ତମାନଙ୍କ ଗମନାଗମନ ଓ ସୁରକ୍ଷା ନେଇ ଶ୍ରୀଲିଙ୍ଗରାଜମନ୍ଦିର ଓ ଏହାର ସଂଲଗ୍ନ କେତେକ ରାସ୍ତା ଉପରେ ଟ୍ରାଫିକ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ସେଗୁଡିକ ହେଲା, ଗ୍ୟାରେଜ ଛକଆଡୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଡକୁ ଆସୁଥିବା ଗାଡ଼ିମଟର ବିଦ୍ୟୁତ ସବଷ୍ଟେସନ୍‌ଛକଠାରୁ ମନ୍ଦିର ଆଡକୁ ନ ଆସି ସାମନ୍ତରାପୁର ଆଡ଼କୁ ଯିବେ। ସେହିପରି କପିଳେଶ୍ୱର ପଟୁ ଶ୍ରୀଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡିଗୁଡିକ ହାଟସାହି ଛକରୁ ମନ୍ଦିର ଆଡକୁ ନ ଆସି ମୁନ୍ନା ମେଡିକାଲ ଦୋକାନ ଆଡ଼କୁ ଯିବେ। ପୁନାମାଗେଟ ପଟୁ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିମୋଟର ତିନିମୁଣ୍ଡିଆ ଛକ ଦେଇ ରଥ ରୋଡ଼ରେ ଯାଇ ପାରିବେ। ରଥରୋଡ଼ରେ ଆସୁଥିବାଗୁଡ଼ିକ ତିନିମୁଣ୍ଡିଆ ମନ୍ଦିର ଛକଠାରୁ ମନ୍ଦିରକୁ ନ ଆସି କାଠଗୋଲା ଆଡ଼କୁ ଯିବେ। କାଚରା ପିଣ୍ଡି ପଟୁ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ତିନିମୁଣ୍ଡିଆ ମନ୍ଦିର ବା ବ୍ରଜବନ୍ଧୁ କଲ୍ୟାଣ ମଣ୍ଡପ ଆଡ଼କୁ ଯିବେ ବୋଲି ଟ୍ରାଫିକ୍‌ ଏସିପି ଯତୀନ ପଣ୍ଡା କହିଛନ୍ତି।

ଭାଲେଣ୍ଟାଇନ୍‌ ଡେ’ରେ ଆଇନ ହାତକୁ ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭାଲେଣ୍ଟାଇନ୍‌ ଡେ’ ପାଳନବେଳେ କେହି ବି ଆଇନକୁ ହାତକୁ ନେଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେଥିପାଇଁ ବୁଧବାର ରାଜଧାନୀର ବିଭିନ୍ନ ସପିଂ ମଲ, ପାର୍କ, ସିନେମା ହଲ୍‌ ଆଦିରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ପାଖାପାଖି ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe