ନିଜକୁ ଖୁସି ଦେଉଥିବା କାମ ନିଷ୍ଠାର ସହ କଲେ ସଫଳତା ମିଳେ: ସିଦ୍ଧାର୍ଥ ମଲ୍‌ହୋତ୍ରା

ନିଜକୁ ଖୁସି ଦେଉଥିବା କାମ ନିଷ୍ଠାର ସହ କଲେ ସଫଳତା ମିଳେ: ସିଦ୍ଧାର୍ଥ ମଲ୍‌ହୋତ୍ରା

ପ୍ରଥମେ ମଡେଲ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ। ପରେ ଚଳଚ୍ଚିତ୍ର ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରେ ସହ ନିର୍ଦ୍ଦେଶକ ଭାବେ କାମ କଲେ। ୨୦୧୨ରେ ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରଣ୍‌ ଜୋହର୍‌ଙ୍କ କମେଡି-ଡ୍ରାମା ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର୍‌’ରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ସେହି ବର୍ଷ ‘ହିରୋ ଅଫ୍‌ ଦ ଇୟର’ ଦୌଡ଼ରେ ସାମିଲ୍‌ ହୋଇଥିଲେ। ୫ ବର୍ଷରେ ୮ଟି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ଏହି ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ମଲ୍‌ହୋତ୍ରା। ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରରେ ଆମର ସାକ୍ଷାତ୍‌କାର।

ଗୋରା ହେବା ଉତ୍ପାଦର ବିଜ୍ଞାପନ କଳା ଲୋକଙ୍କ ଆତ୍ମବିଶ୍ୱାସକୁ କମାଉ ନାହିଁ କି?
ଆଜିର ସେଲ୍‌ଫି ଯୁଗରେ ସମସ୍ତେ ଭଲ ଦେଖାଯିବା ପାଇଁ ଚାହାନ୍ତି। ଏଥିପାଇଁ ଏକ ସୁସ୍ଥ ତଥା ସଫା ତ୍ୱଚା ନିହାତି ଆବଶ୍ୟକ। ଆମେ ଗୋରା ହେବା ପାଇଁ କ୍ରିମ୍‌ କିମ୍ବା ଫେସ୍‌ ଓ୍ଵାସ୍‌ର ପ୍ରମୋସନ୍‌ କରୁନାହିଁ। ତ୍ୱଚା କିପରି ସଫା, କୋମଳ, ଉଜ୍ଜ୍ୱଳ ତଥା ସୁସ୍ଥ ରହିବ ସେ ନେଇ ଆମେ ଉତ୍ପାଦର ପ୍ରଚାର ପ୍ରସାର କରୁଛୁ। ଭାରତୀୟମାନେ ବିଭିନ୍ନ ରଙ୍ଗର। ପୁଣି ଆମ ପାଣିପାଗ ସବୁବେଳେ ପରିବର୍ତ୍ତନ ହେଉଥାଏ। ତେଣୁ ତ୍ୱଚାର ସ୍ୱତନ୍ତ୍ର ଯତ୍ନ ନେବା ପାଇଁ ଆମେ ଗ୍ରାହକଙ୍କୁ ସଚେତନ କରିଥାଉ।

ବଲିଉଡ୍‌ର ୫ ବର୍ଷର ଯାତ୍ରା କେମିତି ରହିଛି?
ମୁଁ ଏକ ସାଧାରଣ ପରିବାରରୁ ଆସିଛି। ବଲିଉଡ୍‌ ସହ ଆମ ପରିବାରର କେହି ବି ଜଡ଼ିତ ନୁହନ୍ତି। ଏଭଳି ପରିସ୍ଥିତିରେ ବଲିଉଡ୍‌କୁ ଆସି ପାଦ ସ୍ଥିର କରିବା ସହଜ ନଥିଲା। ପୁଣି ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ମଧ୍ୟ ଆକାଶ ପାତାଳ ଫରକ୍‌ ରହିଛି। କିନ୍ତୁ କ୍ୟାରିଅର୍‌ ପାଇଁ ବହୁତ୍‌ ଉତ୍ସାହିତ ଥିଲି। ଏହି ଯାତ୍ରା ବି ବହୁ ଉତ୍ସାହପୂର୍ଣ୍ଣ। କିନ୍ତୁ ନିଜର ସକରାତ୍ମକ ଚିନ୍ତାଧାରା ସହ ନିଜକୁ ଆହୁରି ମାର୍ଜିତ କରିବାର ପ୍ରୟାସ ମତେ ଇଣ୍ଡଷ୍ଟ୍ରିରେ ରହିବାରେ ସାହାଯ୍ୟ କରିଛି।

ଯୁବ ପିଢ଼ିଙ୍କୁ କ’ଣ ବାର୍ତ୍ତା ଦେବେ?
ମୁଁ ଗୋଟିଏ ମାତ୍ର କଥା କହିବି, କେବଳ ଟଙ୍କା ରୋଜଗାର କରିବା କିମ୍ବା ଟଙ୍କା ହିଁ ସବୁ କିଛି ଭାବି ତା’ ପଛରେ ଦୌଡ଼ିିବାକୁ ଆମକୁ ବନ୍ଦ କରିବାକୁ ପଡ଼ିବ। ଜୀବନରେ ସବୁ କାର୍ଯ୍ୟରେ ସମନ୍ଵୟ ରଖିବାକୁ ପଡ଼ିବ। ଯେଉଁ କାମରେ ନିଜକୁ ଖୁସି ଲାଗୁଛି ସେ କାମ ନିଷ୍ଠାର ସହ କଲେ ସଫଳତା ନିଶ୍ଚେ ଦିନେ ପାଦ ଛୁଇଁବ।

ଆପଣଙ୍କ ବର୍ତ୍ତମାନର ଚଳଚ୍ଚିତ୍ର ବିଷୟରେ କ’ଣ କହିବେ?
ଗତ ଶୁକ୍ରବାର ମୁକ୍ତି ଲାଭ କରିଛି ଚଳଚ୍ଚିତ୍ର ‘ଇତ୍‌ଫାକ୍‌’। ୨ଟି ହତ୍ୟା ମାମଲାର ସମାଧାନ ଉପରେ ଆଧାରିତ ଏହି ରହସ୍ୟ ଓ ରୋମାଞ୍ଚକର ଚଳଚ୍ଚିତ୍ରର ସମୟସୀମା ମାତ୍ର ୧୦୦ ମିନିଟ୍‌। ମାତ୍ର ଦୁଇ ଦିନରେ ଏହା ବେଶ୍‌ ବ୍ୟବସାୟିକ ସଫଳତା ହାସଲ କରିଥିବା ବେଳେ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇପାରଛି। ଏହା ପରେ ୨୦୧୮ରେ ଆସୁଛି ମୋ ଚଳଚ୍ଚିତ୍ର ‘ଅଇୟାରି’। ଏହା ଏକ ପଲିଟିକାଲ୍‌-ଡ୍ରାମା ଚଳଚ୍ଚିତ୍ର। ଏଥିରେ ମୁଁ ଏକ ଆର୍ମି ଅଫିସର୍‌ ଭୂମିକାରେ ଅଛି। ଚଳଚ୍ଚିତ୍ରର ସୁଟିଂ ଦିଲ୍ଲୀ, ଲଣ୍ଡନ୍‌ ଓ କଶ୍ମୀରରେ ହୋଇଛି। ଆଶା କରୁଛି ଦର୍ଶକଙ୍କୁ ଏହା ବେଶ୍‌ ଛୁଇଁବ।
ସାକ୍ଷାତକାର: ସସ୍ମିତା ସାହୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe