ଧଉଳି: ଗତକାଲି ରାତିରେ ଧଉଳି ଥାନା ଅଞ୍ଚଳରେ ପୁଣି ଏକ ସିନ୍ଧିଚୋରି ହୋଇଛି। ଏଥର ଜଣେ ଡାକ୍ତରଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତମାନେ। ଶିଶୁପାଳଗଡ଼ ଅନୁବିହାରରେ ରହୁଥିବା ଡା. ରଜନୀକାନ୍ତ ଦାଶଙ୍କ ଘରୁ ପ୍ରାୟ ୫ଲକ୍ଷରୁ ଅଧିକ ମୂଲ୍ୟର ଗହଣା ଚୋରି ହୋଇଛି। ଡା. ଦାଶଙ୍କ ଝିଅ ରୀତିସ୍ନିଗ୍ଧାଙ୍କ ଅଭିଯୋଗ ଆଧାରରେ ଧଉଳି ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି। ୨୬ ତାରିଖ ରାତିରେ ଦିଘା ବୁଲିବାକୁ ଯାଇଥିବା ସତ୍ୟବ୍ରତ ଜେନାଙ୍କ ଘରୁ ୨୦ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍ ହୋଇଥିଲା। ଗତକାଲି ଡା. ଦାଶଙ୍କ ପରିବାର ମା’ ତାରିଣୀ ଦର୍ଶନ କରିବାକୁ ଯାଇଥିବା ବେଳେ ଏହି ସିନ୍ଧିଚୋରି ହୋଇଛି। ଏବେ ପିକ୍ନିକ୍ ଋତୁ ଚାଲିଥିବାରୁ ସିନ୍ଧିଚୋରମାନେ କେହି ନ ଥିବା ଘରେ ପଶୁଥିବା ଦେଖିବାକୁ ମିଳୁଛି।
ଡାକ୍ତରଙ୍କ ଘରୁ ୫ଲକ୍ଷର ଅଳଙ୍କାର ନେଇଗଲେ
ଚୋର ଟାର୍ଗେଟ୍ରେ ପିକ୍ନିକ୍ ଯାଉଥିବା ପରିବାର
ରୀତିସ୍ନିଗ୍ଧା ଗତକାଲି ବାପା-ମାଙ୍କ ସହିତ ଘଟଗାଁ ମା’ ତାରିଣୀ ବୁଲିବାକୁ ଯାଇଥିଲେ। ସେଠାରୁ ଫେରି ସେମାନେ ଅନୁବିହାରସ୍ଥିତ ଘରକୁ ନଯାଇ ଇନ୍ଦିରା କଲୋନି ଲେନ୍ ୪ରେ ଥିବା ଘରେ ରହି ଯାଇଥିଲେ। ଏହାର ସୁଯୋଗ ନେଇ ସିନ୍ଧିଚୋର ଦଳ ମୁଖ୍ୟ କବାଟର ତାଲା ଭାଙ୍ଗି ଘରେ ପଶିଥିଲେ ଏବଂ ଆଲ୍ମିରା ତାଡ଼ି ଗହଣାଗାଣ୍ଠି ନେଇ ପଳାଇଥିଲେ। ଚୋରି ଯାଇଥିବା ଗହଣା ମଧ୍ୟରେ ଗୋଟିଏ ହାର, ଗୋଟିଏ ଚେନ୍, ୧୦ମୁଦି ଓ ୨ ହଳ କାନଫୁଲ ରହିଛି। ଆଜି ସକାଳେ ଘର ଝାଡ଼ୁ କରିବାକୁ ଆସିଥିବା ମହିଳା ଘର କବାଟ ତାଲା ଭଙ୍ଗା ଯାଇଥିବା ଦେଖି ତୁରନ୍ତ ରୀତିସ୍ନିଗ୍ଧାଙ୍କୁ ଜଣାଇଥିଲେ। ସେହିପରି ବାଲିଅନ୍ତା ପଞ୍ଚାୟତ ମିସନ ଶକ୍ତି କାର୍ଯ୍ୟାଳୟରେ କାର୍ଯ୍ୟରତ ତାଙ୍କର ପଡ଼ୋଶୀ ବ୍ଲକ୍ ସଂଯୋଜିକା ଲୋପାମୁଦ୍ରା ମଲ୍ଲିକ ଗଙ୍ଗୋତ୍ରୀନଗର ଲେନ୍ ୩ସ୍ଥିତ ଘରକୁ ଚାଲିଯାଇଥିଲେ। ସେ ଘରୁ ସବୁ ଗହଣା ନେଇ ଯାଇଥିବାରୁ ଚୋରମାନେ କିଛି ନେଇପାରି ନଥିଲେ।
Follow Us