ଆରମ୍ଭ ହେଲା ‘ଶିଶିର ସରସ’

Advertisment

୩୦୨ ଷ୍ଟଲ୍‌ରେ ୨୨ରାଜ୍ୟର କାରିଗରଙ୍କ ହାତ ତିଆରି ଉତ୍ପା‌ଦ

୩୦୨ ଷ୍ଟଲ୍‌ରେ ୨୨ରାଜ୍ୟର କାରିଗରଙ୍କ ହାତ ତିଆରି ଉତ୍ପା‌ଦ

ଆରମ୍ଭ ହେଲା ‘ଶିଶିର ସରସ’

ଭୁବନେଶ୍ବର: ଗୋଟିଏ ପଡ଼ିଆରେ ପ୍ରଦର୍ଶିତ ହେଉଛି ରାଜ୍ୟର ୩୦ ଜିଲ୍ଲା ସମେତ ଦେଶର ପ୍ରାୟ ୨୨ଟି ରାଜ୍ୟର ଗ୍ରାମୀଣ କାରିଗରୀ ଓ କଳାକୌଶଳ। ଛତିଶଗଡ଼ର ଟସର, ଆସାମ ଓ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବେତ ତଥା ବାଉଁଶରୁ ପ୍ରସ୍ତୁତ ସାମଗ୍ରୀ, ପଶ୍ଚିମବଙ୍ଗର ହସ୍ତତନ୍ତ ଓ ଝୋଟ ସାମଗ୍ରୀ, ମଣିପୁରର ଡ୍ରାଏ ଫ୍ଲାୱାର, ଗୁଜରାଟ କାରିଗରଙ୍କ ଘର ସାଜସଜ୍ଜା ଓ ସାଲ୍ ସହ ପଞ୍ଜାବର ଫୁଲକରୀ, ବିହାରର ମଧୁବନି ପେଣ୍ଟିଂ, ଆନ୍ଧ୍ରପ୍ରଦେଶର ହସ୍ତତନ୍ତ ସାମଗ୍ରୀ ସହ ଅନ୍ୟ ରାଜ୍ୟଗୁଡ଼ିକର ମଧ୍ୟ ବିଭିନ୍ନ ଆକର୍ଷଣୀୟ ଘରକରଣା ଜିନିଷ ବିକ୍ରିବଟା ଚାଲିଛି।

ଗ୍ରାମୀଣ କାରିଗରୀ ଓ ସାମଗ୍ରୀର ବିଶାଳ ସମ୍ଭାର ନେଇ ୨ବର୍ଷ ପରେ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ’ ଫେରିଛି। ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳା ପରିସର‌ରେ ମୋଟ୍‌ ୩୦୨ଟି ଷ୍ଟଲ୍‌ ପଡ଼ିଥିବା ବେଳେ ଫୁଡ୍‌‌କୋର୍ଟରେ ୧୦ଟି ଖାଦ୍ୟ ଷ୍ଟଲ୍‌ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ୩୯୨ଜଣ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ୫୦୦ରୁ ଅଧିକ କାରିଗର ତଥା ବିକ୍ରେତା ଏଥିରେ ଅଂଶଗ୍ରହଣ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ମେଳାକୁ ଉଦ୍‌ଘାଟନ କରି କହିଲେ, ଗ୍ରାମୀଣ କଳା ଓ କୌଶଳକୁ ଏହି ପ୍ରଦର୍ଶନୀ ନୂଆ ପରିଚୟ ଦେଇଛି। ଏହା ଦ୍ବାରା ଗ୍ରାମୀଣ ସାମଗ୍ରୀ ଲୋକପ୍ରିୟ ହେବା ସହ କାରିଗର ଓ ବୁଣାକାରମାନେ ନୂଆ ସୁଯୋଗ ଓ ବଜାର ସୁବିଧା ପାଉଛନ୍ତି। ମିସନ୍‌ ଶକ୍ତିର ମହିଳାମାନେ ଏହା ଦ୍ବାରା ବେଶ୍‌ ଉପକୃତ ହେଉଛନ୍ତି। ମିସନ୍‌ ଶକ୍ତି ମାଧ୍ୟମରେ ଗ୍ରାମୀଣ ମହିଳାମାନେ ୬ହଜାର କୋଟିର ଋଣ ସୁବିଧା ପାଇଥିବା ‌ବେଳେ ନିଜର ଦକ୍ଷତାକୁ ମଧ୍ୟ ପରିବ୍ୟା‌ପ୍ତ କରିପାରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଅତିଥି ଭାବେ ଯୋଗଦେଇ କହିଲେ, ଏହି ମେଳା ରାଜ୍ୟ ସରକାରଙ୍କର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ଏକ ଅଂଶ। ଏଭଳି କାର୍ଯ୍ୟକ୍ରମ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ନିଜ ପରିବାର, ଗୋଷ୍ଠୀ ତଥା ରାଜ୍ୟର ଆର୍ଥିକ ବିକାଶ ଦିଗରେ ସହାୟକ ହୋଇପାରିବ ବୋଲି ‌ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଓରମାସ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ୍‌ ତାପସ କୁମାର ସ୍ବାଗତ ଭାଷଣ ଓ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଦଲ ମହାନ୍ତି ଧନ୍ୟବାଦ ଦେଇଥିଲେ।

ମେଳାରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଆସାମ, ବିହାର, ରାଜସ୍ଥାନ, ଗୋଆ, ଗୁଜରାଟ ଆଦି ୨୨ଟି ରାଜ୍ୟରୁ ଆସିଥିବା କାରିଗରଙ୍କ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେଉଛି। ‌ଏହି ମେଳା ଜାନୁଆରି ୬ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ରାତି ୯ଟା ଯାଏ ମେଳା ଖୋଲା ରହିବ। ଚଳିତ ବର୍ଷ ମେଳାରେ ୧୬କୋଟି ଟଙ୍କାରୁ ଅଧିକ ଟଙ୍କାର ବିକ୍ରିବଟା ପାଇଁ ଓରମାସ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଛି।

ଚାଖି, ଚଖେଇ ସ୍ନାକ୍ସ ବିକ୍ରି
ନିଜେ ଚାଖ, ପରିବାରଲୋକଙ୍କୁ ଚଖାଅ, ପସନ୍ଦ ହେଲେ କିଣ। ଭିନ୍ନ ଭିନ୍ନ ‌ସ୍ବାଦଯୁକ୍ତ ସ୍ବାସ୍ଥ୍ୟ ଉପଯୋଗୀ ସ୍ନାକ୍ସର ମଜା ବିନା ଖର୍ଚ୍ଚରେ ଶିଶିର ସରସ ମେଳାରୁ ନେଇ ହେବ। ପ୍ରଥମ ଦିନରେ ସମ୍ପୂର୍ଣ୍ଣ ପଡ଼ିଆ ଖାଁ ଖାଁ ରହିଥିବା ବେଳେ ମହାରାଷ୍ଟ୍ରର ଲୋଣ୍‌ଖେଡାରୁ ଆସିଥିବା ‘ନାବିନ୍ୟା ମହିଳା ବଚତ୍‌ ଗଟ୍‌’ ସଂସ୍ଥାର ସ୍ନାକ୍ସ ଷ୍ଟଲରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଷ୍ଟଲ ପାଖ ଦେଇ ଯାଉଥିବା ଲୋକଙ୍କୁ ମାଲିକ ଡାକି ମାଗଣାରେ ସ୍ନାକ୍ସ ସବୁ ଚଖାଉଥିଲେ। ସଂସ୍ଥାର ସଚିବ ସୋ. ଆଶା ପାଟିଲ କହିଛନ୍ତି, ସ୍ବାସ୍ଥ୍ୟ ସଚେତନ ଲୋକ ଅସ୍ବାସ୍ଥ୍ୟକର ଓ ତୈଳଯୁକ୍ତ ଭାବି ବହୁ ଲୋକ ସ୍ନାକ୍ସ ଖାଆନ୍ତି ନାହିଁ। ଏଣୁ ଆମେ ଏହାକୁ ତେଲରେ ନ ଛାଣି ଭାଜୁଛୁ। ଏହା ସ୍ବାସ୍ଥ୍ୟ ଉପଯୋଗୀ ଓ ପାଟିକୁ ସୁଆଦିଆ ମଧ୍ୟ ଲାଗିବ ବୋଲି ସେ କହିଛନ୍ତି।

ଆକର୍ଷିତ କରୁଛି ବାଉଁଶ ଆସବାବପତ୍ର

publive-image
ବାଉଁଶ ତିଆରି ସୋଫାସେଟ୍‌, ଆରାମ୍‌ ଚେୟାର୍‌, ଟି-ପଏ ସେଟ୍‌ ଆଦି ଦେଖିବାକୁ ଅତ୍ୟନ୍ତ ସମ୍ଭ୍ରାନ୍ତ ଶ୍ରେଣୀୟ ଓ ଏହା ଘରର ‌ସୌନ୍ଦର୍ଯ୍ୟ ବି ବଢ଼ାଏ। ଏଣୁ କିଛି ବର୍ଷ ହେଲା, ବାଉଁଶ ତିଆରି ଆସବାବପତ୍ରର ଚାହିଦା ରାଜଧାନୀବାସୀଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି। ଆସାମ ଗୌହାଟୀରୁ ଆସିଥିବା ରୁପ୍‌ ସାନାଲି କହିଛନ୍ତି, ୫ବର୍ଷ ତଳେ ଆମେ ପ୍ରଥମ କରି ଭୁବନେଶ୍ବରକୁ ଏହି ସାମଗ୍ରୀ ଆଣିଥିଲୁ। ଏଠାକାର ଲୋକଙ୍କ ମଧ୍ୟରେ ଏହାର ଚାହିଦା ଦେଖି ପ୍ରତିବର୍ଷ ଏହି ସବୁ ଆସବାବପତ୍ର ଆମେ ଏଠାକୁ ନେଇ ଆସୁଛୁ। ‌

ବାଉଁଶ ନଳୀ ଖଣ୍ଡକୁ ବେତ କାଠିରେ ବାନ୍ଧି ପ୍ରସ୍ତୁତ ହୋଇଥିବା ଏହି ବାଉଁଶ ସୋଫାସେଟ୍‌ର ଦାମ୍‌ ୨୫ହଜାର ଟଙ୍କା ହୋଇଥିବା ବେଳେ ଆରାମ୍‌ ଚେୟାରର ଦାମ୍‌ ୩ହଜାର ଟଙ୍କା ରହିଛି। ଏଥିସହ ଟି-ପଏ ସେଟ୍‌ (୩ଟି ଚେୟାର ଓ ୧ଟି ଟେବୁଲ୍‌)ର ଦାମ୍‌ ୧୦ହଜାର ଟଙ୍କା ରହିଛି। ଏବେ ସେ ୫ଲକ୍ଷ ଟଙ୍କାର ସାମଗ୍ରୀ ଆଣିଥିବା ବେଳେ ଚାହିଦାକୁ ଦେଖି ପରେ ଆଉ ଅଧିକ ଆଣିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe