ଆରମ୍ଭ ହେଲା ‘ଶିଶିର ସରସ’

Advertisment

ମିଳୁଛି ୨୪ ରାଜ୍ୟର ୬୩୫ କାରିଗରଙ୍କ ଉତ୍ପାଦ

ମିଳୁଛି ୨୪ ରାଜ୍ୟର ୬୩୫ କାରିଗରଙ୍କ ଉତ୍ପାଦ

ଆରମ୍ଭ ହେଲା ‘ଶିଶିର ସରସ’

ଭୁବନେଶ୍ୱର : ହସ୍ତଶିଳ୍ପ ସାମଗ୍ରୀଠାରୁ ଆରମ୍ଭ କରି ଘରସଜ୍ଜା ଆସବାବପତ୍ର, ପୋଷାକଠାରୁ ଆରମ୍ଭ କରି ସୌଖୀନ ସାମଗ୍ରୀ, ବେତ, ପିତ୍ତଳ, ବାଉଁଶ କାମରୁ ଆରମ୍ଭ କରି ପାରମ୍ପରିକ ପିଠାପଣାର ଏକ ବିଶାଳ ମେଲଣ ଲାଗିଛି ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ। ରାଜଧାନୀବାସୀଙ୍କୁ ଗୋଟିଏ ସ୍ଥାନରେ ସାରା ଦେଶର ଉତ୍ପାଦ ଯୋଗାଇ ଦେବାକୁ ଏକାଠି ହୋଇଛନ୍ତି ୨୪ ରାଜ୍ୟର ୬୩୫ କାରିଗର। କାରଣ ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟର ସର୍ବବୃହତ୍‌ ପ୍ରଦର୍ଶନୀ ‘ଶିଶିର ସରସ’। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓର୍‌ମାସ୍‌ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଗ୍ରାମୀଣ କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ତଥା ସେମାନଙ୍କୁ ଏକ ବୃହତ ବଜାର ଯୋଗାଇ ଦେବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଆଜି ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହା ପରିସରରେ ୨୯୩ଟି ଷ୍ଟଲ୍‌ ଖୋଲିଥିବା ବେଳେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦନକାରୀ ସଂସ୍ଥା ସମେତ ୪୮୮ଟି ଗ୍ରୁପ୍‌ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି। ମେଳା ପରିସରରେ କେନ୍ଦ୍ରାପଡ଼ାର ଗୋଲ୍‌ଡେନ୍‌ ଗ୍ରାସ୍‌, କୋରାପୁଟ୍‌ କୋଟପାଡ଼ ଭେଜିଟେବଲ୍‌ ଡାଇ, ବାଲେଶ୍ୱରର ଟେରାକୋଟା ସାମଗ୍ରୀ ଆଦିର ଉତ୍ପାଦନ ପ୍ରଣାଳୀ ପ୍ରଦର୍ଶିତ ହେଉଛି।

ଏହି ଅବସରରେ ଓର୍‌ମାସ୍‌ର ରୌପ୍ୟ ଜୟନ୍ତୀ ମଧ୍ୟ ପାଳିତ ହେଉଛି। ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଦେଓରଞ୍ଜନ କୁମାର ସିଂହ, ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ପ୍ରଣବଜ୍ୟୋତି ନାଥ ଓ ଓର୍‌ମାସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ଏନ୍‌.ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ ଉତ୍ସବକୁ ସଂଯୋଜନା କରିଥିଲେ।

ଉଦ୍‌ଘାଟିତ ହେଲା ମୋବାଇଲ୍‌ ଆପ୍‌ ‘ଓର୍‌ମାସ୍‌ ମୟୂରଶିଳ୍ପ’

ଗ୍ରାମୀଣ ଉତ୍ପାଦକମାନଙ୍କ ସହ ଗ୍ରାହକ ଓ କ୍ରେତାମାନଙ୍କୁ ଯୋଡ଼ିବା ଓ ଉତ୍ପାଦର ବିକ୍ରିବଟା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ବିକାଶ କରାଯାଇଥିବା ମୋବାଇଲ୍‌ ଆପ୍‌ ‘ଓର୍‌ମାସ୍‌ ମୟୂରଶିଳ୍ପ’କୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ଆପ୍‌ ବିଭିନ୍ନ ଗ୍ରାମୀଣ କ୍ଲଷ୍ଟର୍‌ଗୁଡ଼ିକର ଏକ ସମ୍ପୂର୍ଣ୍ଣ ଡାଟାବେସ୍‌ ଭାବେ କାମ କରିବ। ଏହି ଆପ୍‌ ବ୍ୟବହାର ଦ୍ୱାରା ଅନ୍‌ଲାଇନ୍‌ ମାର୍କେଟିଂ, ପ୍ରଦର୍ଶନୀ ଏବଂ ସୋ ରୁମ୍‌ ଜରିଆରେ ସାମଗ୍ରୀଗୁଡ଼ିକର ବିକ୍ରିବଟା ସହଜସାଧ୍ୟ ହେବ ବୋଲି ଆଶା କରାଯାଉଛି।

୧୧ କୋଟି ଟଙ୍କା ବ୍ୟବସାୟର ଲକ୍ଷ୍ୟ

ରାଜଧାନୀବାସୀଙ୍କ ମଧ୍ୟରେ ପ୍ରଦର୍ଶନୀର ଲୋକପ୍ରିୟତା ବଢ଼ିବାରେ ଲାଗିଥିବା ବେଳେ ଗୋଟିଏ ସ୍ଥାନରେ ବିଭିନ୍ନ ରାଜ୍ୟର ସାମଗ୍ରୀ ମିଳୁଥିବାରୁ ବେପାର ମଧ୍ୟ ଭଲ ଜମେ। ଗତ ବର୍ଷ ପ୍ରଦର୍ଶନୀରେ ୯ କୋଟି ୫୬ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ଚଳିତ ବର୍ଷ ୧୧ କୋଟି ଟଙ୍କା ବ୍ୟବସାୟର ଲକ୍ଷ୍ୟ ରଖାଯାଇଥିବା ଓର୍‌ମାସ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe