ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ: ନବବଧୂ ବେଶରେ ଆସିଲେ ମା’ ପାର୍ବତୀ

Advertisment
ଏକାମ୍ର କ୍ଷେତ୍ରରେ ଶୀତଳଷଷ୍ଠୀ: ନବବଧୂ ବେଶରେ ଆସିଲେ ମା’ ପାର୍ବତୀ

ପୁରୁଣା ଭୁବନେଶ୍ୱର: ଆଜି ପବିତ୍ର ଶୀତଳ ଷଷ୍ଠୀ ତିଥିରେ ପ୍ରଭୁ ଶ୍ରୀଲିଙ୍ଗରାଜ ନବବଧୂ ବେଶରେ ଥିବା ମା’ ପାର୍ବତୀଙ୍କୁ ସାଙ୍ଗରେ ଧରି ଲିଙ୍ଗରାଜ ମନ୍ଦିରକୁ ଫେରି ଆସିଛନ୍ତି। ‌ଯୌତୁକରେ ଇନ୍ଦ୍ର ହାତୀକୁ ସାଙ୍ଗରେ ଧରି ପ୍ରଭୁ ଲିଙ୍ଗରାଜ ଫେରିଛନ୍ତି। ଗତକାଲି ରାତିରେ ବିବାହ ନୀତି ସମ୍ପନ୍ନ ହୋଇଥିବା ବେଳେ ଆଜି ରାତିରେ ଦେବ ଦମ୍ପତି ଲିଙ୍ଗରାଜ ମନ୍ଦିରକୁ ଫେରିଛନ୍ତି। ଗତକାଲି ବରବେଶରେ ସଜେଇ ହୋଇ ଶ୍ରୀଲିଙ୍ଗରାଜ ବରଯାତ୍ରୀ ନେଇ ଯେମିତି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ କେଦାରଗୌରୀ ମନ୍ଦିର ଯାଇଥିଲେ, ଆଜି ତା’ଠୁ ବଡ଼ ଶୋଭାଯାତ୍ରାରେ ମା’ ପାର୍ବତୀଙ୍କ ସହ ନିଜ ଘରକୁ ବାହୁଡ଼ି ଆସିଥିଲେ। ବାଜା, ବାଣ, ରୋଶଣୀରେ ରଥଦାଣ୍ଡ ଉଛୁଳି ପଡ଼ୁଥିଲା। କେଦାରଗୌରୀ ମନ୍ଦିରରୁ ରଥଦାଣ୍ଡ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ସବୁଠି ଥିଲା ମହାଉଲ୍ଲାସର ମାହୋଲ୍‌। ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବିମାନରେ ପୁଣି ରଥଦାଣ୍ଡରେ ନଗର ପରିକ୍ରମା ଅବସରରେ ଦେବଦମ୍ପତିଙ୍କୁ ଦର୍ଶନ କରିବାକୁ ରୁଣ୍ଡ ହୋଇଥିଲେ। ହରିବୋଲ, ହୁଳହୁଳି ଧ୍ବନିରେ ସର୍ବତ୍ର କମ୍ପିଉଠୁଥିଲା। ସବୁଠୁ ଉଲ୍ଲେଖନୀୟ ଘଟଣା ଥିଲା ପାଗ। ଦିନରେ ପ୍ରବଳ ଗରମ ହୋଇଥିଲେ ହେଁ ଅପରାହ୍ଣର କାଳବୈଶାଖୀ ବର୍ଷା ପୂରା ପରିବେଶକୁ ଶୀତଳ କରିଦେଇଥିଲା। ତେଣୁ ରାତିର ଶୀତଳ ପାଗ ଶୀତଳ ଷଷ୍ଠୀ ବିଧିକୁ ବେଶ୍ ସୁହାଇଥିଲା।

publive-image

ବିଦାୟ ବେଳେ ଗୌରୀ ମନ୍ଦିରରେ ଭାବପୂର୍ଣ୍ଣ ପରିବେଶ

ଗତ ରାତିରେ ବିବାହ ପର୍ବ ସମ୍ପନ୍ନ ହେବା ପରେ ଆଜି ଦିନତମାମ କେଦାରଗୌରୀ ମନ୍ଦିର ଚଳଚଞ୍ଚଳ ହୋଇ ପଡ଼ିଥିଲା। ଦେବଦମ୍ପତିଙ୍କୁ ବରକନ୍ୟା ବେଶରେ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ଏହି ମନ୍ଦିରରେ ଭିଡ଼ ଜମାଇଥିଲେ। ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସେହିଭଳି ମନ୍ଦିରରେ ଅଷ୍ଟପ୍ରହର ନାମଯଜ୍ଞ ବି ଚାଲିଥିଲା। କିନ୍ତୁ ସନ୍ଧ୍ୟାରେ ମା’ଙ୍କୁ ବିଦାୟ ଦେବା ବେଳେ ସୃଷ୍ଟି ହୋଇଥିଲା ଏକ ଭାବପୂର୍ଣ୍ଣ ପରିବେଶ। ଗତକାଲି ବର ଓ ବରପକ୍ଷଙ୍କୁ ସ୍ବାଗତ କଲା ବେଳେ ଯେଉଁ ଖୁସିର ପରିବେଶ ଦେଖିବାକୁ ମିଳିଥିଲା, ଆଜି ସନ୍ଧ୍ୟାରେ ମା’ ପାର୍ବତୀଙ୍କୁ ବିଦାୟ ଦେବା ବେଳେ ଶୋକର ଛାୟା ଖେଳିଯାଇଥିଲା। ରାତି ପ୍ରାୟ ୧୦.୪୫ରେ ମା’ଙ୍କ ହାତ ଧରି ପ୍ରଭୁ ଲିଙ୍ଗରାଜ ନିଜ ମନ୍ଦିର ଅଭିମୁଖେ ବାହାରିଥିଲେ। କେଦାରଗୌରୀ ମନ୍ଦିରର ସେବାୟତମାନେ ବଡ଼ ଦୁଃଖରେ କନ୍ୟା ବିଦାୟ କରିଥିଲେ।

ଲିଙ୍ଗରାଜ ମନ୍ଦିରରେ ଖୁସିର ମାହୋଲ

publive-image

ରଥଦାଣ୍ଡରେ ନଗର ପରିକ୍ରମା କରି ଦେବଦମ୍ପତି ଭୋର୍ ପ୍ରାୟ ୪ଟା ବେଳେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ। ସେବାୟତମାନେ ମହାଆନନ୍ଦ ଉଲ୍ଲାସରେ ଦେବଦମ୍ପତିଙ୍କୁ ପାଛୋଟି ନେଇଥିଲେ। ମନ୍ଦିରରେ ପ୍ରବେଶ କରିବା ପରେ ଅନୁଷ୍ଠିତ ହୋଇଥିଲା କଉଡ଼ି ଖେଳ। ସେବାୟତମାନଙ୍କ ଦ୍ବାରା ମହା ଜାକଜକମରେ କଉଡ଼ି ଖେଳ ଅନୁଷ୍ଠିତ ହୋଇଥିଲା। ହୁଳହୁଳି, ହରିବୋଲ ଶବ୍ଦରେ ମନ୍ଦିର ପରିସର ଉଛୁଳି ପଡ଼ିଥିଲା। ବରକନ୍ୟା ବେଶରେ ଥିବା ଦେବଦମ୍ପତିଙ୍କ କଉଡ଼ି ଖେଳ ବେଶ୍ ଜମିଥିଲା। ଏହାପରେ ସ୍ବର୍ଣ୍ଣାଦ୍ରିବିଜେ ନୀତି ସମ୍ପନ୍ନ ହୋଇଥିଲା।

ଉଲ୍ଲାସରେ ଉଛୁଳିଲା ରଥଦାଣ୍ଡ

ନବଦମ୍ପତି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଗୋଟିଏ ବିମାନରେ ବିଜେ କରିଥିବା ବେଳେ ଏକ ସୁସଜ୍ଜିତ ପାଲିଙ୍କିରେ ଶ୍ରୀଅନନ୍ତବାସୁଦେବ ଯାତ୍ରା କରିଥିଲେ। ଚଳିତ ବର୍ଷ ଘଣ୍ଟ, ସମ୍ୱଲପୁରୀ, ଦୁଲୁଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢ଼ୋଲ, ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଆଦି ବିଭିନ୍ନ ପାରମ୍ପରିକ ବାଦ୍ୟରେ ରଥଦାଣ୍ଡ କମ୍ପି ଉଠୁଥିଲା। ପାରମ୍ପରିକ ବାଦ୍ୟଗୁଡ଼ିକ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ତେବେ ସବୁଠୁ ଜମୁଥିଲା ଲଉଡ଼ି ଖେଳ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ଯୁବକ ଲଉଡ଼ି ଖେଳ ଖେଳି ଦେଖଣାହାରୀଙ୍କୁ ବିମୋହିତ କରିଥିଲେ। ରଙ୍ଗିନ୍‌ ଆଲୋକମାଳାରେ ଝଲମଲ ହେଉଥିବା ରଥଦାଣ୍ଡରେ ଏହି ସୁନ୍ଦର ଶୋଭାଯାତ୍ରା ବେଶ୍‌ ଆକର୍ଷଣୀୟ ହୋଇଥିଲା। ଆପଟିଆ ସେବାୟତମାନଙ୍କ ଦ୍ବାରା ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମକୁ ଭୁବନେଶ୍ବର ଶୀତଳଷଷ୍ଠୀ କମିଟି ସଭାପତି ତଥା ବିଧାୟକ ସୁରେଶ ରାଉତରାୟ ଓ ଅନ୍ୟ କର୍ମକର୍ତ୍ତାମାନେ ବେଶ୍ ପ୍ରଶଂସା କରିଥିଲେ।

publive-image

ଆଖଣ୍ଡଳେଶ୍ବର ମନ୍ଦିରକୁ ଫେରିଲେ ଦେବ ଦମ୍ପତି

ବାଲିଅନ୍ତା: ପ୍ରତାପରୁଦ୍ରପୁରସ୍ଥିତ ଆଖଣ୍ଡଳେଶ୍ବର ମନ୍ଦିରରେ ପ୍ରଭୁ ଚନ୍ଦ୍ରଶେଖର ଏବଂ ମା’ ପାର୍ବତୀଙ୍କ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି। ଏକ ସୁସଜ୍ଜିତ ବିମାନରେ ଗତକାଲି ରାତି ୯ଟାରେ ଏହି ଦେବଦମ୍ପତିଙ୍କୁ ବିଜେ କରାଇ ଗାଁ ମଝିରେ ଥିବା ଭଗବତ ଘର ନିକଟକୁ ଅଣାଯାଇଥିଲା। ସେଠାରେ ବିବାହ ଉତ୍ସବ ସଂପନ୍ନ ହୋଇଥିଲା। ଆଜି ସଂଧ୍ୟାରେ ଶୀତଳଷଷ୍ଠୀ ପୂଜାନୀତି ପାଳିତ ହୋଇଥିଲା। ସକାଳେ ଖେଚୁଡ଼ି, ଶାଗ, ମଧ୍ୟାହ୍ନରେ ଖେଚୁଡ଼ି ଡାଲମା, ଖଟା ଓ ଖିରି ଭୋଗ ଲାଗି ହୋଇଥିଲା। ଭଗବତ ପୀଠ ପରିସରରେ ନାମ ସଂକୀର୍ତ୍ତନ ଏବଂ ଭକ୍ତି ସଙ୍ଗୀତ ପରିବେଷଣ ହୋଇଥିଲା। ଏହାପରେ ଗାଁରେ ସମୂହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ରାତିରେ ପୁଣି ଦେବଦେବୀ ଶୋଭାଯାତ୍ରାରେ ଆଖଣ୍ଡଳେଶ୍ବର ମନ୍ଦିରକୁ ଫେରିଥିଲେ। ଏଥିରେ କନ୍ୟା ପିତା ଭାବେ କୃଷ୍ଣଚନ୍ଦ୍ର ନନ୍ଦ ଏବଂ ବରପିତା ଭାବେ ମୁଖ୍ୟ ପୂଜକ ବିଶ୍ବନାଥ ପଣ୍ଡା କର୍ତ୍ତା ହୋଇଥିଲେ।

ଭୀମଟାଙ୍ଗୀରେ ଶୀତଳଷଷ୍ଠୀ

ପୁରୁଣା ଭୁବନେଶ୍ୱର: ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମକୁଣ୍ଡଠାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ନବଦମ୍ପତିଙ୍କୁ ଭୀମଟାଙ୍ଗୀ ଫେଜ୍-୧ ଓ ଫେଜ୍-୨ ପରିକ୍ରମା କରାଯାଇଥିଲା। ଘଣ୍ଟ ବାଦ୍ୟ, ଶଙ୍ଖ, ମହୁରୀ ଓ ପାରମ୍ପରିକ ବାଦ୍ୟରେ ଦେବଦେବୀ ଯାତ୍ରା କରିଥିଲେ। ସମିତିର ସଭାପତି ପୁରୁଷୋତ୍ତମ ସାହୁ, କାର୍ଯ୍ୟକାରୀ ସଭାପତି ମାନସ ରଞ୍ଜନ ପଟ୍ଟନାୟକ, ସଂପାଦକ ପଦ୍ମନାଭ ଷଡ଼ଙ୍ଗୀ, କର୍ପୋରେଟର ଶିବ ନାରାୟଣ ରାୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe