ଢାୱା ସୋମନାଥଙ୍କ ପୀଠରେ ଶିବପାର୍ବତୀ ବିବାହ

Advertisment
ଢାୱା ସୋମନାଥଙ୍କ ପୀଠରେ ଶିବପାର୍ବତୀ ବିବାହ

ବାରଙ୍ଗ : ଭୁବନେଶ୍ୱର ଉପକଣ୍ଠ ଢାୱାସ୍ଥିତ ସୋମନାଥ ମହାଦେବଙ୍କ ପୀଠରେ ଶିବପାର୍ବତୀ ବିବାହ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ପରମ୍ପରା ଅନୁଯାୟୀ, ସାନ ଭାଇ ସୋମନାଥଙ୍କ ନିମନ୍ତ୍ରଣ ପାଇ ଖୈରାପଡ଼ା ଗ୍ରାମସ୍ଥିତ ବଡ ଭାଇ ଲୋକନାଥ ଦେବଙ୍କ ଚଳନ୍ତି ପ୍ରତିମା ବିବାହ ଉତ୍ସବରେ ଯୋଗ ଦେବାକୁ ବିମାନରେ ଆସିଥିଲେ। ଢାୱା ଗ୍ରାମ ମୁଣ୍ଡରୁ ସୋମନାଥ ଦେବଙ୍କ ଚଳନ୍ତି ପ୍ରତିମା ବିମାନ ଆରୂଢ଼ ହୋଇ ବିଶାଳ ପଟୁଆରରେ ଆସି ଲୋକନାଥ ଦେବଙ୍କୁ ବରଣ କରି ନେଇଥିଲେ। ଶ୍ରଦ୍ଧାଳୁମାନେ ବରଯାତ୍ରୀ ସାଜି ଶୋଭାଯାତ୍ରାରେ ନାଚିନାଚି ମନ୍ଦିର ପ୍ରାଙ୍ଗଣରେ କରାଯାଇଥିବା ବିବାହ ମଣ୍ଡପ ନିକଟକୁ ଆସିଥିଲେ। ସେଠାରେ ଅଶୋକ କୁମାର ସାସମଲ କନ୍ୟା ପିତା ସାଜି ବର ସୋମନାଥ ଓ ଲୋକନାଥଙ୍କୁ ବାଟ ବରଣ କରିନେଇ ବର ପିତା ଲିଙ୍ଗରାଜ ରାଉତଙ୍କ ଉପସ୍ଥିତିରେ କନ୍ୟାଦାନ କରିଥିଲେ। ବିବାହ ଉତ୍ସବରେ ପାରମ୍ପରିକ ବାଦ୍ୟ ଢୋଲ, ଭେରି, କାହାଳୀ, ଘଣ୍ଟ, ଶଙ୍ଖ ଓ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ଆନନ୍ଦ ମୁଖର ହୋଇ ଉଠିଥିଲା। ବୈଦିକ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ପ୍ରତାପ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀଧର ଦାଶ ଓ ଧରଣୀଧର ଦାଶ ବର ଓ କନ୍ୟାଙ୍କର ହାତଗଣ୍ଠି ପକାଇ ଅଗ୍ନି ପରିକ୍ରମା, ପାଣି ଗ୍ରହଣ, ବାକ୍‌ ଦାନ କରି ବିବାହ ସଂପୂର୍ଣ୍ଣ କରିଥିଲେ। ଉପସ୍ଥିତ ଶ୍ରଦ୍ଧାଳୁମାନେ ଉଭୟ ବର ଓ କନ୍ୟାଙ୍କୁ ଉପହାର ଦେଇଥିଲେ। କନ୍ୟା ପିତା ଔପଚାରିକ ଯୌତୁକ ଦେଇ କନ୍ୟାଦାନ କରିବା ସହ ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇଥିଲେ। ଏହି ବିବାହ ଉତ୍ସବରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନେ ଶେଷରେ ପ୍ରସାଦ ସେବନ କରି ମେଲାଣି ନେଇଥିଲେ। ତେବେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାରୁ ଗ୍ରାମ କମିଟି ଓ ପୂଜା କମିଟି ସମଗ୍ର ଅଞ୍ଚଳବାସୀ ଏବଂ ନନ୍ଦନକାନନ ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ସମେତ ମୁତୟନ ଥିବା ପୁଲିସ ଫୋର୍ସକୁ ସାଧୁବାଦ୍‌ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe