ନୂଆବର୍ଷରେ ଅଶ୍ଳୀଳ ନୃତ୍ୟ-ଗୀତକୁ ବିରୋଧ :୨ ହୋଟେଲ ସମ୍ମୁଖରେ କଳିଙ୍ଗ ସେନାର ବିକ୍ଷୋଭ

Advertisment
ନୂଆବର୍ଷରେ ଅଶ୍ଳୀଳ ନୃତ୍ୟ-ଗୀତକୁ ବିରୋଧ :୨ ହୋଟେଲ ସମ୍ମୁଖରେ କଳିଙ୍ଗ ସେନାର ବିକ୍ଷୋଭ

ଭୁବନେଶ୍ବର : ନୂଆବର୍ଷ ଉପଲକ୍ଷେ ରାଜଧାନୀର ବିଭିନ୍ନ ହୋଟେଲରେ ପରିବେଷଣ କରାଯାଉଥିବା ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଛି କଳିଙ୍ଗ ସେନା। ଏଥିପାଇଁ ଆଜି ସେନା ପକ୍ଷରୁ ରାଜଧାନୀର ୨ଟି ହୋଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନୂଆବର୍ଷ ନାଁରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ବନ୍ଦ କରିବା ପାଇଁ ଦାବି ହୋଇଥିଲା।

ଆଜି ସେନା ପ୍ରମୁଖ ହେମନ୍ତ ରଥଙ୍କ ନେତୃତ୍ବରେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ବାହାରି ଖାରବେଳ ନଗରସ୍ଥିତ ଏଚ୍‌ଏଚ୍‌ଆଇ ହୋଟେଲ ନିକଟ‌‌ରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ସତ୍ୟନଗରସ୍ଥିତ ହୋଟେଲ ସନଗ୍ରିନ୍‌ ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେନାର କହିବାନୁଯାୟୀ, ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଛାଡ଼ି ହୋଟେଲ ମାଲିକମାନେ ଏହି କଦର୍ଯ୍ୟ ନୃତ୍ୟ ପରିବେଷଣ କରିବା ପାଇଁ ରାଜ୍ୟ ବାହାରୁ ଆଇଟମ୍‌ ଡ୍ୟାନସର୍‌ ଆଣୁଛନ୍ତି। ଶାନ୍ତିଶୃଙ୍ଖଳାରେ କୌଣସି ଉତ୍ସବ ମନାଇବାକୁ କାହାରିକୁ ବାରଣ କରାଯିବ ନାହିଁ। ଯଦି ହୋଟେଲଗୁଡ଼ିକରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଏ, ତେବେ ସେନା ପକ୍ଷରୁ ଏହାକୁ ବିରୋଧ କରାଯିବ ଓ ଆବଶ୍ୟକ ପଡ଼ିଲେ କଳିଙ୍ଗ ସୈନିକମାନେ ହୋଟେଲରେ ତାଣ୍ଡବ ନୃତ୍ୟ କରିବେ। ରାଜ୍ୟରେ ଅନେକ ଉଚ୍ଚକୋଟୀର କଳାକାର ଥିବା ବେଳେ ରାଜ୍ୟ ବାହାରର ଅଶ୍ଳୀଳ ନୃତ୍ୟ କଳାକାରଙ୍କୁ ପ୍ରଶୟ ଦିଆଯିବ ନାହିଁ। ଯେଉଁମାନେ ଏଭଳି ନୃତ୍ୟରେ ମାତିବାର ନଜରକୁ ଆସିବେ, ସେମାନଙ୍କୁ ଧରାଯାଇ ପରିବାରକୁ ସୂଚନା ଦିଆଯିବାକୁ ମଧ୍ୟ ଯୋଜନା କରାଯାଉଛି। ମନ୍ଦିରମାଳିନୀ ଭୁବନେଶ୍ବରରେ ଏଭଳି ଅପସଂସ୍କୃତିକୁ ସେନା ପକ୍ଷରୁ ବରଦାସ୍ତ କରାଯିବ ‌ନାହିଁ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe