ଧରାହେଲେ ୬ ଅନ୍ତଃଜିଲ୍ଲା ଲୁଟେରା, କାବୁ କଲା ପୁଲିସର ସ୍ବତନ୍ତ୍ର ଟିମ

Advertisment

ପୁରୀ-ହଂସପାଳ ରାସ୍ତାରେ ଖେଳାଇଥିଲେ ଆତଙ୍କ

ପୁରୀ-ହଂସପାଳ ରାସ୍ତାରେ ଖେଳାଇଥିଲେ ଆତଙ୍କ

ଧରାହେଲେ ୬ ଅନ୍ତଃଜିଲ୍ଲା ଲୁଟେରା, କାବୁ କଲା ପୁଲିସର ସ୍ବତନ୍ତ୍ର ଟିମ

ବାଇକ୍‌, ମୋବାଇଲ୍‌ ସହ ଚୋରି ସାମଗ୍ରୀ ଜବତ

ପୁରୀ/ସାକ୍ଷୀଗୋପାଳ : ୩୧୬ ଜାତୀୟ ରାଜପଥରେ ଖେଳାଇଥିଲେ ଆତଙ୍କ। ଏକୁଟିଆ ଦେଖି ଝାମ୍ପି ନେଉଥିଲେ ଟଙ୍କା, ସୁନାଗହଣା। ଦୀର୍ଘଦିନ ଧରି ଏଭଳି ଲୁଟତରାଜ କରି ଆତଙ୍କ ଖେଳାଇଥିବା ଏକ ଅନ୍ତଃଜିଲ୍ଲା ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି ସତ୍ୟବାଦୀ ଥାନା ପୁଲିସ। ଏମାନେ ହେଲେ ଗଡ଼ିଶାଗୋଦା ଥାନା ନରକୁଳ ଗାଁ’ର ବିପିନ ସେଠୀ, ସତ୍ୟବାଦୀ ଥାନା ବଡ଼ହାଟ ଗାଁ’ର ପାକୁଆ ଓରଫ ପ୍ରକାଶ ବରାଳ, ପଞ୍ଚୁକେରା ଗାଁ’ର ବୁଲୁ ଓରଫ ସନ୍ଦୀପ ପ୍ରଧାନ, ନହଳା ଗାଁ’ର ରାଜା ଓରଫ ସିଦ୍ଧାନ୍ତ ମଲ୍ଲିକ, ଡିହସାହି ଗାଁ’ର ଜୟନ୍ତ କୁମାର ସ୍ବାଇଁ ଓ ଚନ୍ଦନପୁରର ଜିଜ୍ଞାସୁ ସାବତ।

ଗିରଫ ପରେ ଏହି ପେଷାଦାର ଅପରାଧୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ପୁଲିସ ସମସ୍ତଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି। ଗ୍ୟାଙ୍ଗର ଅନ୍ୟ କିଛି ସଦସ୍ୟ ଫେରାର ଥିବାବେଳେ ପୁଲିସ ଏମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିବା ଜଣାପଡ଼ିଛି। ପୁଲିସ ସୂଚନା ମୁତାବକ, ବେଶ କିଛିଦିନ ହେଲା ୩୧୬ ନମ୍ବର ଜାତୀୟ ରାଜପଥରେ କ୍ରମାଗତ ଲୁଟ୍‌ତରାଜ ବଢ଼ିଚାଲିଥିଲା। ବିଶେଷ କରି ପୁରୀ-ଭୁବନେଶ୍ବର ରାସ୍ତାରେ କିଛିଦିନ ହେବ ଲୁଟ୍‌, ଛିନତାଇକୁ ନେଇ ଆତଙ୍କ ଖେଳି ଯାଇଥିଲା। ଏ ନେଇ ଅନେକ ଅଭିଯୋଗ ଥାନାକୁ ଆସିବା ପରେ ପୁରୀ ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଅଧିକାରୀ ଦେବୀପ୍ରସାଦ ପାତ୍ରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିଲା। ଏହି ଟିମ୍‌ କିଛିଦିନ ହେଲା ଲୁଟ୍‌ପାଟ ଉପରେ ନଜର ରଖିଥିଲା। ଗତକାଲି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍‌ ଗଡ଼ିଶାଗୋଦା ଥାନା ନରକୁଳ ଗାଁ’ର ବିପିନ ସେଠୀଙ୍କୁ ପ୍ରଥମେ ଗିରଫ କରିଥିଲା। ପରେ ଜଣକ ପରେ ଜଣେ, ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଥିଲା।

ଖୋଳତାଡ଼ ପରେ ବାପି, ପାକୁଆ, ବୁଲୁ ଓ ରାଜା ଲୁଟପାଟ କରି ଚୋରି ସାମଗ୍ରୀ ଜୟନ୍ତ ଓ ଜିଜ୍ଞାସୁକୁ ବିକ୍ରି କରୁଥିବା ସ୍ବୀକାର କରିଥିଲେ। ଏହି ଗ୍ୟାଙ୍ଗ ମୁଖ୍ୟତଃ ହଂସପାଳଠାରୁ ପୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଲୁଟପାଟ କରୁଥିଲେ। ଦୁଇଚକିଆରେ ଯାଉଥିବା ଚାଳକ ଏମାନଙ୍କ ଟାର୍ଗେଟ୍‌ରେ ଥିଲେ। ଏକୁଟିଆ ଚାଳକଙ୍କଠାରୁ ଫୋନ୍‌, ମୋବାଇଲ୍‌ ସହ ଅନ୍ୟାନ୍ୟ ମୂଲ୍ୟବାସ ଜିନିଷ ଝାମ୍ପି ନେଉଥିଲେ। ନ ହେଲେ ଜୋର ଜବରଦସ୍ତ ଗାଡ଼ି ଅଟକାଇ ଲୁଟ୍‌ପାଟ କରୁଥିଲେ। ବିଭିନ୍ନ ଥାନାରେ ଏକାଧିକ ଲୁଟପାଟ ମାମଲା ଏହି ଅଭିଯୁକ୍ତମାନଙ୍କ ନାଁ’ରେ ଥିବା ପୁଲିସ ପ୍ରକାଶ କରିଛି। ଏମାନଙ୍କଠାରୁ ୪ଟି ଚୋରା ମୋବାଇଲ୍‌ ଫୋନ, ଚୋରି ହୋଇଥିବା ଏକ ସୁନାମୁଦି, ଏକ ପଲସର ବାଇକ୍‌, ଏକ ଆପାଚି ବାଇକ୍‌ ସହ ଅନ୍ୟାନ୍ୟ ଲୁଟ ସାମଗ୍ରୀ ପୁଲିସ ଜବତ କରିଛି। ପୁଲିସ ୩୮୯/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe