ଆରମ୍ଭ ହେଲା ଷୋଳ ପୂଜା: ନୂଆ ବେଶ ଦର୍ଶନରୁ ବଞ୍ଚିତ ‌ହେବେ ଭକ୍ତ

Advertisment

21

21

ଆରମ୍ଭ ହେଲା ଷୋଳ ପୂଜା: ନୂଆ ବେଶ ଦର୍ଶନରୁ ବଞ୍ଚିତ ‌ହେବେ ଭକ୍ତ

ପୁରୁଣା ଭୁବନେଶ୍ୱର: ଶୈବ ପୀଠ ଏକାମ୍ର କ୍ଷେତ୍ରରେ ଆରମ୍ଭ ହୋଇଛି ଷୋଳ ପୂଜା। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଷ୍ଟଚଣ୍ଡୀଙ୍କ ସମେତ ବିଭିନ୍ନ ଦେବୀ ପୀଠରେ ଆରମ୍ଭ ହୋଇଛି ଷୋଳ ପୂଜା। ଚଳିତ ବର୍ଷ କରୋନା କଟକଣାରେ ଏହି ପୂଜା କରାଯାଉଥିବାରୁ ଭକ୍ତ ତଥା ଶ୍ରଦ୍ଧାଳୁମାନେ ମା’ଙ୍କ ନୂଆ ବେଶ ଦର୍ଶନରୁ ବଞ୍ଚିତ ହେବେ। ଚଳିତ ବର୍ଷ ଦ୍ବିତୀୟା ଦିନଟି କ୍ଷୟ ଯାଉଥିବାରୁ ୧୬ ଦିନ ପରିବର୍ତ୍ତେ ୧୫ ଦିନ ପୂଜା କରାଯିବ। ବିଧି ଅନୁସାରେ ମା’ଙ୍କୁ ପ୍ରତିଦିନି ନୂଆ ନୂଆ ବେଶରେ ସଜେଇ ଦିଆଯିବ। ସେହିଭଳି ଦିନ ବା ତିଥି ଅନୁସାରେ ବି ମା’ଙ୍କ ଭୋଗଲାଗି ବଦଳିବ। ତିନି ମୁଣ୍ଡିଆ ଛକରେ ବୌଦ୍ଧ ଯୁଗରୁ ରହିଛନ୍ତି ମା’ କପାଳୀ ଠାକୁରାଣୀ। ଆଜି ସେଠ‌ାରେ ଷୋଳ ପୂଜାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କ ପୂଜା ପାଇଁ ପୁରୀ ଗଜପତିଙ୍କ ରାଜଗୁରୁ ଆସି ପୂଜା ଆରମ୍ଭ କରିଛନ୍ତି।

ବିଏମ୍‌ ହାଇସ୍କୁଲ ଖେଳପଡ଼ିଆ ନିକଟରେ ମା’ଦକ୍ଷିଣଚଣ୍ଡୀ, ବଡ଼ୁସାହିର ମା’ ମୋହିନୀ, ପୂଜାପଣ୍ଡା ସାହିର ମା’ ରାମାୟଣୀ, ବିନ୍ଦୁସାଗର ଉତ୍ତରେଶ୍ବର ଘାଟରେ ମା’ ଉତ୍ତରାୟଣୀ, କେଦାରଗୌରୀ ମନ୍ଦିରରେ ମା’ ଗୌରୀ, ତୀର୍ଥେଶ୍ବର ଗଳିର ମା’ ଅମ୍ବିକେ, ତଳବଜାରରେ ମା’ ବିନ୍ଧ୍ୟବାସିନୀ, ଶିଶୁପାଳଗଡ଼ରେ ମା’ ଗଡ଼ଚଣ୍ଡୀ, ବିନ୍ଦୁସାଗର ନିକଟରେ ମା’ ଦ୍ୱାରବାସିନୀ, ସାମନ୍ତରାପୁରରେ ମା’ଭୁଆସୁଣୀ, ଗ୍ୟାରେଜ୍‌ ଛକ ନିକଟରେ ମା’ ଦକ୍ଷିଣକାଳୀ ଆଦି ପୀଠରେ ଷୋଳ ପୂଜା ଆରମ୍ଭ ହୋଇଛି। ସକାଳେ ମା’ଙ୍କ ନିକଟରେ ବାଳ ଭୋଗ ଲାଗି କରାଯାଉଛି। ସେଥିରେ ଫଳ, ମୁଗ, ବୁଟ ଓ ଶୁଖୁଲି ଭୋଗ ରହୁଛି। ଦ୍ବିପ୍ରହର ଧୂପରେ ଖେଛୁଡ଼ି, ଡାଲମା, ଖଟା ଖିରି, ଦହି ପଖାଳ ଓ ମଣ୍ଡା ପିଠା ଭୋଗ କରାଯାଉଛି। ସେହିପରି ସନ୍ଧ୍ୟା ଧୂପରେ ଖେଛୁଡ଼ି, ଡାଲମା, ଖଟା ଖିରି, ଦହି ପଖାଳ ଆଦି ଭୋଗଲାଗି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe