କୋଭିଡ୍‌ କବଳରେ ବସ୍ତିବାସିନ୍ଦା; ଏବେ ବାତ୍ୟା, ବର୍ଷାକୁ ନେଇ ଆତଙ୍କ

ଚିନ୍ତାରେ ବାହାର ଜିଲ୍ଲାର ରୋଗୀଙ୍କ ପରିଜନ

କୋଭିଡ୍‌ କବଳରେ ବସ୍ତିବାସିନ୍ଦା; ଏବେ ବାତ୍ୟା, ବର୍ଷାକୁ ନେଇ ଆତଙ୍କ

ଭୁବନେଶ୍ବର : ପ୍ରାୟ ଦେଢ଼ ମାସ ହେଲା ରାଜଧାନୀର ବିଭିନ୍ନ ବସ୍ତି କୋଭିଡ୍‌ କବଳରେ ରହି ଘାଣ୍ଟି ହେଉଛି। ଏବେ ପୁଣି ମାଡ଼ି ଆସୁଛି ଅତିଭୀଷଣ ସାମୁଦ୍ରିକ ବାତ୍ୟା ‘ୟାସ୍‌’। ଯଦିଓ ଏହି ବାତ୍ୟା ଉତ୍ତର ଓଡ଼ିଶାକୁ ମୁଖ୍ୟତଃ ପ୍ରଭାବିତ କରିବ ବୋଲି ପୂର୍ବାନୁମାନ ରହିଛି, ରାଜଧାନୀରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ଆଶଙ୍କା କରୁଛନ୍ତି ବସ୍ତି ବାସିନ୍ଦା। ବିଶେଷ କରି ଆଜି ଦିନତମାମ ପବନ, ବର୍ଷା ସେମାନଙ୍କ ଚିନ୍ତା ବଢାଇ ଦେଇଛି। ସମ୍ଭାବ୍ୟ ବାତ୍ୟା ଏବଂ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେଲେ ରାଜଧାନୀର ବାସହରା ଏବଂ ବସ୍ତି ବାସିନ୍ଦା ସର୍ବାଧିକ କ୍ଷତିଗ୍ରସ୍ତ ହେବେ ବୋଲି ଆଶଙ୍କା କରି ଚିନ୍ତାରେ ରହିଛନ୍ତି।

ରାଜଧାନୀର ପ୍ରାୟ ୫୦୦ ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶଙ୍କ ପଟ୍ଟା ନାହିଁ। ତେଣୁ ବାତ୍ୟା ବା ବର୍ଷାରେ କ୍ଷତିଗ୍ରସ୍ତ ହେଲେ କ୍ଷତିପୂରଣ ତ ମିଳିବ ନାହିଁ ବରଂ କୋଭିଡ୍‌ ସ୍ଥିତି ଆହୁରି ଜଟିଳ କରିବ ବୋଲି କହିଛନ୍ତି ଅନେକ। ସୁବାସନଗର ବସ୍ତିର ବିଚିତ୍ରାନନ୍ଦ କହିଛନ୍ତି, କୋଭିଡ୍‌ରେ ତାଙ୍କ ବସ୍ତିରୁ ଏଯାଏ ୩ ଜଣଙ୍କ ମୃତ୍ୟୁ ହୋଇ ସାରିଛି। ଅଧିକାଂଶ ବ୍ୟକ୍ତିଙ୍କ ଲକ୍ଷଣ ଥିଲେହେଁ କୋଭିଡ୍‌ ପରୀକ୍ଷା କରୁନଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା କହି ହେବନାହିଁ। ଏଭଳି ଅବସ୍ଥାରେ ବାତ୍ୟା ହେଲେ ଅବସ୍ଥା କ’ଣ ହେବ କୁହାଯାଇ ପାରିବ ନାହିଁ। ରାଜଧାନୀରେ କେବଳ ବର୍ଷା ହେଲେ ଅନେକ ଲୋକ ଜଳବନ୍ଦୀ ରହିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକଙ୍କୁ ସ୍ଥାନାନ୍ତର କିମ୍ବା ରିଲିଫ ଖାଦ୍ୟ ପାଇଁ ପ୍ରଶାସନିକ ପ୍ରସ୍ତୁତି ଜଣାପଡ଼ୁ ନାହିଁ। ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖିବା ଲାଗି ପୂର୍ବରୁ ଯେଉଁଠି ଗୋଟିଏ ସ୍କୁଲ ଗୃହ ଆବଶ୍ୟକ ଥିଲା, ବର୍ତ୍ତମାନ ୪ଟି ଦରକାର ହେବ। ନଚେତ କୋଭିଡ-ଅଣକୋଭିଡ ଏକାକାର ହୋଇଯିବେ। ଅନ୍ୟପକ୍ଷରେ ଏହି ବସ୍ତିର ବିଚିତ୍ରାନନ୍ଦ କହିଛନ୍ତି, ଗତ ଫନିରେ ଏଠାରେ ଅନେକ ଘର ଭାଙ୍ଗିଥିଲା, ଚଳିତ ବର୍ଷ ସେଭଳି ସ୍ଥିତି ନ ହେଉ।

publive-image Telegraph India

ଆଖଣ୍ଡଳମଣୀ ବସ୍ତିର ସରୋଜ ଦାସ କହିଛନ୍ତି, ଫନିର ଭୟଙ୍କର ଅନୁଭୂତି ଆଜି ବି ଭୁଲି ପାରୁନି। ପୁରୁଣା ଅଭିଜ୍ଞତା ଆଧାରରେ ଲୋକେ ସତର୍କ ଅଛନ୍ତି। ଆଜବେଷ୍ଟସ୍ ଘର ଉପରେ ବାଲିବସ୍ତା, ଇଟା ପକାଯାଇଛି। କେବଳ ବର୍ଷା ହେଲେବି ମଞ୍ଚେଶ୍ବର ଅଞ୍ଚଳର ଗୋପବନ୍ଧୁ ସାହି, ଖରଣା ସାହି, କଖ, ତୁଇକୁଡ଼ୁ, ପୁରସ୍ତମ ବସ୍ତିରେ ଘର ଭିତରେ ପାଣି ପଶିଯିବ। ହାଡ଼ବାଇ, ପାଟଜୋଗୀ, ମୁଣ୍ଡା ବସ୍ତି ସମେତ ସମସ୍ତେ ହୀନସ୍ତା ହେ‌ବେ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିଏମସି ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ମା’ ତାରେଣୀ ବସ୍ତିର ହେନା ବାରିକ କହିଛନ୍ତି, ପ୍ରବଳ ବର୍ଷା ହେଲେ ଏଠାରେ ପାଣି ପଶିବ।

ଅନ୍ୟପକ୍ଷରେ ଖଣ୍ଡଗିରି ବସଷ୍ଟାଣ୍ଡ ନିକଟରେ ଅନେକ ଗୃହହୀନ ପରିବାର ନିକଟସ୍ଥ ଆଶ୍ରୟସ୍ଥଳୀରେ ରହିଛନ୍ତି। ବର୍ଷା ହେଲେ ସେମାନଙ୍କ ପାଇଁ ବିଏମସି ପକ୍ଷରୁ ଖାଦ୍ୟ ବ୍ୟବସ୍ଥା କରାନଗଲେ ଅସୁବିଧା ହେବ ବୋଲି କହିଛନ୍ତି। ବାହାର ଜିଲ୍ଲାରୁ ଆସିଥିବା କୋଭିଡ ଆକ୍ରାନ୍ତଙ୍କ ପରିବାର ସର୍ବାଧିକ ଚିନ୍ତାରେ ଅଛନ୍ତି। ଏମ୍‌ସ ପ୍ରାଙ୍ଗଣରେ ସ୍ଥିତ ଆଶ୍ରୟ ଗୃହ ଏବଂ କିଛି ଖୋଲା ଆକାଶ ତଳେ ରହିଥାଆନ୍ତି। ବର୍ଷା କିମ୍ବା ବାତ୍ୟା ହେଲେ ସେମାନଙ୍କ ଦୁର୍ଦଶା କାହିଁରେ କେତେ ବଢିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe