ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ଲଟରେ ବସ୍ତି, ଖୋଲା ପରିସରରେ ଅସାମାଜିକଙ୍କ ଆଡ଼ା

ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ଲଟରେ ବସ୍ତି, ଖୋଲା ପରିସରରେ ଅସାମାଜିକଙ୍କ ଆଡ଼ା

ଖଣ୍ଡଗିରି : ବରମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଢ଼ି ଉଠିଛି ବସ୍ତି। ବିଶିଷ୍ଟ ବ୍ୟକ୍ତିମାନଙ୍କ ପୃଷ୍ଠପୋଷକତା ଯୋଗୁଁ ଉକ୍ତ ବସ୍ତିବାସିନ୍ଦାମାନଙ୍କୁ ହଟାଇବା ସମ୍ଭବ ହେଉନାହିଁ। ବସ୍ତିବାସିନ୍ଦାଙ୍କ ଯାତାୟତ ପାଇଁ ବିଦ୍ୟାଳୟ ପାଚେରିକୁ ମଧ୍ୟ ଅଧାରେ ଖୋଲା ଛାଡ଼ି ଦିଆଯାଇଛି। ଫଳରେ ବିଦ୍ୟାଳୟ ପରିସର ଦିନ‌ବେଳା ବୁଲା ଗୋରୁଗାଈଙ୍କ ଚରାଭୂଇଁ ପାଲଟିଥିବାବେଳେ ରାତିରେ ଅସାମାଜିକ ଯୁବକମାନଙ୍କ ଆଡା ପାଲଟିଛି। ଦିନବେଳା ବସ୍ତିଲୋକଙ୍କ ଯାତାୟତ ଲାଗି ରହିଥିବାରୁ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ପୁରା ନଷ୍ଟ ହୋଇ ଯାଇଛି। ଏନେଇ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଉଦାସୀନ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାନୁସାରେ ଉକ୍ତ ବସ୍ତିକୁ ହଟାଇବା ସମ୍ଭବ ନ ହେବାରୁ ପାଚେରି କାମ ସମ୍ପୁର୍ଣ ହୋଇ ପାରିନାହିଁ। ଏ ନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ମାତ୍ର ବିଏମ୍‌ସି କର୍ତ୍ତୃପକ୍ଷ କର୍ଣପାତ କରୁନଥିବା ଅଭିଯୋଗ ହୋଇଛି। ନିକଟରେ ପ୍ରଧାନ ଶିକ୍ଷକ ପୁଣି ଥରେ ଜୋନ୍‌ ଡେପୁଟି କମିସନରଙ୍କୁ ଚିଠି ଲେଖିଛନ୍ତି। ବୁଲା ଗୋରୁଙ୍କ ପାଇଁ ବିଦ୍ୟାଳୟ ପରିସରରେ ଗଛଟିଏ ଲଗାଇବା ସମ୍ଭବ ହେଉନାହିଁ ବୋଲି ସେ ଦର୍ଶାଇଛନ୍ତି। ସେହିଭଳି ରାତିରେ ଆଡା ଜମାଉଥିବା ଅସାମାଜିକ ବ୍ୟକ୍ତିମାନେ ମଦ ପିଇବା ପରେ ମାଳ ମାଳ ବୋତଲ ପକାଇ ପରିବେଶକୁ ନଷ୍ଟ କରୁଛନ୍ତି। ସେହିଭଳି ଦିନବେଳା ବିଦ୍ୟାଳୟ ପରିସର ଦେଇ ବସ୍ତିକୁ ବିଭିନ୍ନ ‌ଲୋକଙ୍କ ଯାତାୟତ ଲାଗି ରହୁଥିବାରୁ ପିଲାଙ୍କ ସାଇକେଲ୍‌ ଚୋରି ହୋଇଯାଉଛି। ବଡ଼ କଥା ହେଉଛି ବିଦ୍ୟାଳୟଟି ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ୧୬ ନମ୍ବର ଜାତୀୟ ରାଜପଥକୁ ଲାଗି ରହୁଥିବାରୁ ନିହାତି ପା‌ଚେରି ଘେରାଯିବାର ଆବଶ୍ୟକତା ରହିଛି। ଏ ନେଇ ଜୋନ୍‌ ଡେପୁଟି କମିସନରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ପ୍ରଧାନ ଶିକ୍ଷକଙ୍କ ଚିଠିକୁ ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ଦେଇଛନ୍ତି। କିନ୍ତୁ ପାଚେରି ପାଇଁ ଇଂଜିନିୟରିଂ କର୍ତ୍ତୃପକ୍ଷ କେତେ ଦୂର ପଦକ୍ଷେପ ଗ୍ରହଣ କରିଛନ୍ତି, ସେ କହିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe