ମହଲତ ସତ୍ତ୍ବେ ଚିନ୍ତାରେ ବସ୍ତିବାସିନ୍ଦା, ପଣ୍ଡାକୁଦିଆରୁ ଖାଲି ହାତରେ ଫେରିଲା ଉଚ୍ଛେଦ ଟିମ୍‌

Advertisment
ମହଲତ ସତ୍ତ୍ବେ ଚିନ୍ତାରେ ବସ୍ତିବାସିନ୍ଦା, ପଣ୍ଡାକୁଦିଆରୁ ଖାଲି ହାତରେ ଫେରିଲା ଉଚ୍ଛେଦ ଟିମ୍‌

ଖଣ୍ଡଗିରି: ଜୋରଦାର ବିରୋଧ ହେବାରୁ ସରକାରୀ ଜମିରୁ ଜବରଦଖଲ ହଟାଇ ନପାରି ଶ୍ୟାମପୁର ପଣ୍ଡାକୁଦିଆସ୍ଥିତ ଅଣପଞ୍ଜୀକୃତ ବସ୍ତିରୁ ମଙ୍ଗଳବାର ଜବରଦଖଲ ଉଚ୍ଛେଦ ଟିମ୍‌ ଖାଲି ହାତରେ ଫେରିଛି। ତୁରନ୍ତ ସରକାରୀ ଜମି ଖାଲି କରିବା ପାଇଁ ବସ୍ତିବାସିନ୍ଦାଙ୍କୁ କିଛି ଦିନ ମହଲତ ଦେଇ ଉଚ୍ଛେଦ ଟିମ୍‌ ଫେରି ଯାଇଛି। ତେଣୁ ଏବେ ଘୋର୍‌ ଚିନ୍ତାରେ ପଡ଼ି ଯାଇଛନ୍ତି ୬୦ ପରିବାର। ନିକଟ ଭବିଷ୍ୟତରେ ମୁଣ୍ଡ ଉପରୁ ଛାତ ହରାଇବା ଆଶଙ୍କାରେ ସେମାନେ ଚିନ୍ତିତ ଓ ବିବ୍ରତ ହୋଇପଡ଼ିଛନ୍ତି। ତେଣୁ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରାଇବା ପାଇଁ ସେମାନେ ବସ୍ତିରେ ଘନଘନ ବୈଠକ କରୁଥିବା ଜଣାପଡ଼ିଛି।

ଆଜି ଏକ ପ୍ଲାଟୁନ୍‌ ପୁଲିସ ବଳ ଓ ଦୁଇ ସେକ୍ସନ୍‌ ମହିଳା ପୁଲିସ ନେଇ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ପଣ୍ଡାକୁଦିଆସ୍ଥିତ ଅଣପଞ୍ଜୀକୃତ ବସ୍ତି ଉଚ୍ଛେଦ ପାଇଁ ଯାଇଥିଲେ। ଏଥିପାଇଁ ପୂର୍ବରୁ ବସ୍ତିବାସିନ୍ଦାମାନଙ୍କୁ ନୋଟିସ୍ କରାଯାଇଥିଲା ଓ ଗତକାଲି ସନ୍ଧ୍ୟାରେ ମାଇକ୍ ଦ୍ବାରା ପ୍ରଚାର ମଧ୍ୟ କରାଯାଇଥିଲା। ତେଣୁ ବସ୍ତିବାସିନ୍ଦାମାନେ କାମ ଧନ୍ଦାକୁ ନ ଯାଇ ଉଚ୍ଛେଦ ଟିମ୍‌କୁ ପ୍ରତିରୋଧ କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ଉଚ୍ଛେଦ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଶହ ଶହ ମହିଳା ଓ ପୁରୁଷ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବେ ଟିମ୍‌କୁ ଘେରିବା ସହ ଦୁଇ ଦୁଇଟି ଜେସିବି ଆଗରେ ବସି ରହିଥିଲେ। ପରେ ପୁଲିସ ଉପସ୍ଥିତିରେ ଦୁଇ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବିଏମ୍‌ସି କର୍ତ୍ତୃପକ୍ଷ କିଛି ଦିନର ମହଲତ ଦେବାକୁ ରାଜି ହୋଇଥିଲେ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ପ୍ରାୟ ୩ ଏକର ସରକାରୀ ଜମିକୁ ୬୦ ପରିବାର କବ୍‌ଜା କରିଛନ୍ତି। ଏମିତିକି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ମାପଚୁପ ହୋଇ ସଂରକ୍ଷିତ ଥିବା ଜମିକୁ ମଧ୍ୟ ମାଡ଼ି ବସିଛନ୍ତି। ପ୍ରାୟ ୩୫ ପରିବାର ସାଧାରଣ ପ୍ରଶାସନର ସଂରକ୍ଷିତ ଜମି ଜାଣି ମଧ୍ୟ ଜବରଦଖଲ କରିଛନ୍ତି। ତେଣୁ ବହୁ ଦିନ ହେଲା ସେମାନଙ୍କୁ ନୋଟିସ୍ କରାଯାଇଛି ଓ ଏବେ ସାମୟିକ ମହଲତ ଦିଆଯାଇଛି। ଖୁବ୍‌ କମ୍ ଦିନ ଭିତରେ ପୁଣି ଜବରଦଖଲ ହଟାଇବାକୁ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe