ସ୍ମାର୍ଟସିଟିରେ ଏମିତି ରାସ୍ତା! ଡିଷ୍ଟ୍ରିକ୍ଟ ସେଣ୍ଟରରେ ଘରୁ ବାହାରିହେଉନି

Advertisment

ପ୍ରଗତି ଏନ୍‌କ୍ଲେଭ୍‌ରେ ରାସ୍ତାରେ ଗଡ଼ୁଛି ଗୋଡ଼ି

ପ୍ରଗତି ଏନ୍‌କ୍ଲେଭ୍‌ରେ ରାସ୍ତାରେ ଗଡ଼ୁଛି ଗୋଡ଼ି

ସ୍ମାର୍ଟସିଟିରେ ଏମିତି ରାସ୍ତା! ଡିଷ୍ଟ୍ରିକ୍ଟ ସେଣ୍ଟରରେ ଘରୁ ବାହାରିହେଉନି

ଚନ୍ଦ୍ରଶେଖରପୁର: ଅସରାଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ। କେଉଁଠି ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ରାସ୍ତା ଉପରେ ଗୋଡ଼ି ଗଡ଼ୁଛି। ଦୁର୍ଘଟଣା ବି କମ୍‌ ହେଉନି। ବର୍ଷା ସମୟରେ ପାଣି କେଉଁଠି ଓ ଖାଲ କେଉଁଠି ଚାଳକ ‌ଜାଣିପାରୁ ନାହାନ୍ତି। ଖାଲରେ ଖସି ପଡ଼ି ହିନସ୍ତା ଭୋଗୁଛନ୍ତି। ଏ କୌଣସି ଉପାନ୍ତ କି ଗ୍ରାମାଞ୍ଚଳର ଦୃଶ୍ୟ ନୁହେଁ। ବରଂ ଖୋଦ୍‌ ରାଜଧାନୀରେ ଏମିତି ଚିତ୍ର ସାମ୍ନାକୁ ଆସିଛି। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ୮ ନମ୍ବର ୱାର୍ଡରେ ଥିବା ଏଭଳି କିଛି ରାସ୍ତାକୁ ଦେଖିଲେ ସ୍ମାର୍ଟ ସିଟିର ପ୍ରକୃତ ଚିତ୍ର ଜଣାପଡ଼ିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ମେଡିକାଲକୁ ସଂଯୋଗ କରୁଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି। ମାସେ କି ଦୁଇ ମାସ ନୁହେଁ।

ବର୍ଷାଧିକ କାଳ ହେଲା ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ଏଥିପ୍ରତି କାହାର ଧ୍ୟାନ ନାହିଁ। ଏମିତିକି ଗତ ଜାନୁଆରି ୧୪ ତାରିଖରେ ସେତେବେଳର ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ଏହି ରାସ୍ତାର ସ୍ଥିତି ଯାଞ୍ଚ କରିବା ସହ ଯେତେଶୀଘ୍ର ମରାମତି କରାଯିବ ବୋଲି ପ୍ରତିଶ୍ରୁ୍ତି ଦେଇଥିଲେ। ଇତିମଧ୍ୟରେ କମିସନରଙ୍କର ବଦଳି ହୋଇଗଲାଣି। ହେଲେ ରାସ୍ତା ଅବସ୍ଥାରେ କୌଣସି ସୁଧାର ଆସି ନାହିଁ। ବରଂ ଆହୁରି ଅଧିକ ଖରାପ ହୋଇଗଲାଣି। ଦୁଇ ଦିନ ତଳେ ଲଗାଣ ବର୍ଷାରେ ରାସ୍ତା ଅବସ୍ଥା ଏମିତି ହୋଇଛି ଯେ ମେଡିକାଲକୁ ୪ ଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡ଼ୁଛି। ବହୁ ଗାଡ଼ି ଚାଳକ ବି ଦୁର୍ଘଟଣାର ଶିକାର ହୋଇଛନ୍ତି। ତା’ପରେ ବି ପ୍ରଶାସନର ନିଦ ଭାଙ୍ଗୁନି। ୱାର୍ଡରେ ଜନପ୍ରତିନିଧି ନ ଥିବାରୁ ଲୋକଙ୍କ ସମସ୍ୟା ସମ୍ପର୍କରେ ବି କେହି ଶୁଣୁନାହାନ୍ତି।

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଦେଇ ଡମଣା ହାଟକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନ କହିବା ଭଲ। ପାଖାପାଖି ଦେଢ଼ ବର୍ଷ ହେଲା ସ୍ବେରେଜ କାମ ଚାଲିଛି ଯେ ସରିବାର ନାଁ ଧରୁନି। ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯିବା ସମ୍ଭବପର ହେଉ ନାହିଁ। ଏମିତିକି ଲୋକେ ଘରୁ ପଦାକୁ ବାହାରିପାରୁ ନାହାନ୍ତି। ଡମଣା ହାଟ ଭିତର ରାସ୍ତା ଅବସ୍ଥା ନ ଦେଖିଲେ ବିଶ୍ବାସ କରି ପାରିବେ ନାହିଁ। ଏମିତି ହୋଇଛି ଯେ ଲୋକେ ‌ପାଦରେ ଚାଲି ଚାଲି ଯିବା ବି କଷ୍ଟକର ହୋଇପଡ଼ୁଛି। ଗାଡ଼ି ଯିବା ଦୂରରେ ଥାଉ। ସେହିପରି ପ୍ରଗତି ଏନ୍‌କ୍ଲେଭ୍‌ ଭିତର ରାସ୍ତା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ହେଲା ଏହି ରାସ୍ତାରେ ଖାଲଖମା ‌ସୃଷ୍ଟି ହୋଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି।

ବିଏମ୍‌ସି ଅଧିକାରୀଙ୍କ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସବୁ ଜାଣି ଚୁପ୍‌ ବସି ରହିଛନ୍ତି। ରାସ୍ତା ଉପରେ ଗୋଡି, ଇଟା, ‌ଢଳେଇ ପଡ଼ିଥିବାରୁ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥାନରେ ଦୁଇ ରାସ୍ତାକୁ ସଂଯୋଗ କରୁଥିବା ସ୍ଥଳ ଧୋଇଯିବାରୁ ଲୋକେ ହିନସ୍ତା ଭୋଗୁଛନ୍ତି। ହଠାତ୍‌ ବାଟ ଜାଣି ନ ପାରି ଦୁର୍ଘଟଣାର ଶିକାର ହେଉଛନ୍ତି। ୱାର୍ଡରେ ଜନ ପ୍ରତିନିଧି ନ ଥିବାରୁ ଅଞ୍ଚଳବାସୀ ବିଧାୟକ ସୁଶାନ୍ତ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମରାମତି ଲାଗି ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe