୩୭ ଓ ୩୯ ନମ୍ବର ୱାର୍ଡ‌ରେ ସ୍ମାର୍ଟ ରୋଡ୍: ୩ ପ୍ରକଳ୍ପ ପାଇଁ ୫କୋଟି

Advertisment
୩୭ ଓ ୩୯ ନମ୍ବର ୱାର୍ଡ‌ରେ ସ୍ମାର୍ଟ ରୋଡ୍: ୩ ପ୍ରକଳ୍ପ ପାଇଁ ୫କୋଟି

ଭୁବନେଶ୍ବର: ନୂଆପଲ୍ଲୀରେ ରାସ୍ତା, ଡ୍ରେନ୍ ଓ ଫୁଟ୍‌ପାଥ୍ ନିର୍ମାଣ ପାଇଁ ଵାର୍ଡ ନମ୍ବର ୩୯ ଓ ୩୭ରେ ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା ଆଜି ନୂଆପଲ୍ଲୀରେ ୩ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଆସନ୍ତା ୭ମାସ ମଧ୍ୟରେ ସମସ୍ତ ପ୍ରକଳ୍ପ ଶେଷ ହେବ ବୋଲି ମେୟର ସୂଚନା ଦେଇଛନ୍ତି।

ଇନ୍‌ଫ୍ରା ଯୋଜନାରେ, ଵାର୍ଡ ନମ୍ବର ୩୯ରେ ନୂଆସାହିର ଲେନ୍-୨ ଓ ୯ ଫେବର୍ ବ୍ଲକ୍ ରାସ୍ତା ଓ ବାଲିତୋଟା ସାହିରେ ବ୍ଲାକ୍ ଟପ୍ ରାସ୍ତା ନିର୍ମାଣ କରାଯିବ। ଏଥିପାଇଁ ୩୩.୫ଲକ୍ଷ ଟଙ୍କା ମଂଜୁର କରାଯାଇଛି। ସେହିଭଳି ଵାର୍ଡ ନମ୍ବର ୩୭ରେ ପ୍ରାୟ ୨ହଜାର ମିଟର ଲମ୍ବା ରାସ୍ତାର ଉନ୍ନତୀକରଣ କରାଯିବ। ସିଓର୍ ଯୋଜନାରେ, ଦ ଵାର୍ଲ୍ଡ୍ ଟ୍ରାଫିକ୍ ଛକରୁ ଆର୍‌କେ କ୍ଲବ୍ ଦେଇ ୧୬ନମ୍ବର ଜାତୀୟ ରାଜପଥର ସର୍ଭିସ୍ ରୋଡ୍‌କୁ ସଂଯୋଗ କରିବ। ଫୁଟ୍‌ପାଥ୍, ରାସ୍ତା, ଡ୍ରେନ୍, ଷ୍ଟ୍ରିଟ୍ ଲାଇଟ୍, ପାର୍କିଂ ସ୍ଥଳ ଆଦି ନିର୍ମାଣ କରାଯିବ।

ଏଥିପାଇଁ ପ୍ରାୟ ସାଢ଼େ ୪କୋଟି ଟଙ୍କା ମଂଜୁର ହୋଇଛି। ମେୟର ଶ୍ରୀମତି ଦାସ କହିଛନ୍ତି, ଦୀର୍ଘ ଦିନ ଧରି ନୂଆପଲ୍ଲୀରେ ଲାଗିରହିଥିବା ଡ୍ରେନ୍ ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଲୋକଙ୍କ ସହାୟତା ଆବଶ୍ୟକ। ବିଧାୟକ ଶ୍ରୀ ଜେନା କହିଛନ୍ତି, ନୂଆପଲ୍ଲୀରେ ଏହି ସବୁ ପ୍ରକଳ୍ପ ସମାପ୍ତ ହେବା ପରେ ସ୍ମାର୍ଟ ରୋଡ୍‌ର ରୂପ ନେବ। କାର୍ଯ୍ୟକ୍ରମରେ କର୍ପୋରେଟର ବନ୍ଦିତା ପାଲ୍, ପଦ୍ମଜା ପ୍ରିୟଦର୍ଶିନୀ, ଗୀତାଞ୍ଜଳି ସାହୁଙ୍କ ସମେତ ବିଏମ୍‌ସିର ଯନ୍ତ୍ରୀ ହୃଷୀକେଶ ସାହୁ, ସରୋଜ ମହାପାତ୍ର, ଦିଲୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe