ସେ‌‌ପ୍ଟେମ୍ବରରୁ ସ୍ମାର୍ଟ ସେବା, ଅଗଷ୍ଟ ୩୧ ସୁଦ୍ଧା ସରିବ ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ

Advertisment

ପୂରା ରାଜଧାନୀରେ ମିଳିବ ୱାଇଫାଇ ସେବା, ୬୮୦କିମିରୁ ୫୫୦କିମିରେ କେବୁଲ୍‌ ବିଛା ସରିଲାଣି

ପୂରା ରାଜଧାନୀରେ ମିଳିବ ୱାଇଫାଇ ସେବା, ୬୮୦କିମିରୁ ୫୫୦କିମିରେ କେବୁଲ୍‌ ବିଛା ସରିଲାଣି

ସେ‌‌ପ୍ଟେମ୍ବରରୁ ସ୍ମାର୍ଟ ସେବା, ଅଗଷ୍ଟ ୩୧ ସୁଦ୍ଧା ସରିବ ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ

ଭୁବନେଶ୍ବର : ପୂରା ରାଜଧାନୀରେ ଇଣ୍ଟରନେଟ୍ ଭିତ୍ତିଭୂମି ସୁଦୃଢ଼ ହେବ। ସବୁ ଅଞ୍ଚଳରେ ଲୋକଙ୍କୁ ମାଗଣାରେ ୱାଇଫାଇ ସୁବିଧା ଯୋଗାଇ ଦିଆଯିବ। ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥାକୁ ସଂପୂର୍ଣ୍ଣ କ୍ରିୟାଶୀଳ କରାଯିବ। ସ୍ମାର୍ଟ ଫୋନ୍‌ ବ୍ୟବହାରକାରୀଙ୍କୁ ବିଭିନ୍ନ ଅଞ୍ଚଳର ଅପ୍‌ ଟୁ ଡେଟ୍‌ ତଥ୍ୟ ଦିଆଯିବା ସହ ସବୁ ଲୋକ ଯେପରି ଅନଲାଇନ୍‌ ସେବାର ଅଧିକ ବ୍ୟବହାର କରିବେ ସେନେଇ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୬୧୬କୋଟିର ଏହି ପ୍ରକଳ୍ପ ଦୁଇ ବର୍ଷରେ ଅର୍ଥାତ୍ ଜାନୁଆରି, ୨୦୨୦ରେ ଶେଷ ହେବାକୁ ଥିଲେ ହେଁ ସାଢେ ତିନି ବର୍ଷ ଲାଗିଲାଣି। କିନ୍ତୁ ଆସନ୍ତା ଅଗଷ୍ଟ ୩୧ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ଏବଂ ସେପ୍ଟମ୍ବରରୁ ପୂରା ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ୍ ସେବା ଆରମ୍ଭ ହେବ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ କୁହାଯାଇଛି।

ବିଏସ୍‌ସିଏଲ୍‌ର ସୂଚନା ଅନୁଯାୟୀ, ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ୍ ‌‌ପ୍ରକଳ୍ପ ପାଇଁ ୬୮୦କିମିର ଅପ୍ଟିକାଲ୍ ଫାଇବର୍ କେବୁଲ୍‌ ବିଛାଇବାକୁ ଯୋଜନା ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରୁ ୫୫୦କିମି କେବୁଲ୍‌ ବିଛା ସରିଲାଣି। ଏଥିରୁ ୫୦୧ କିମି କେୁବଲ୍‌ର ଟେଷ୍ଟିଂ ସରିଲାଣି। ଏହାକୁ ଚାଲୁ କରାସରିଲାଣି। ବାକି କେବୁଲ୍‌ ବିଛାଇବା କାର୍ଯ୍ୟ ତୁରନ୍ତ ଶେଷ କରି ସେପ୍ଟେମ୍ବରରୁ ସାରା ରାଜଧାନୀରେ ସ୍ମାର୍ଟ ସଲ୍ୟୁସନ୍ ସେବା ଆରମ୍ଭ କରିବାକୁ କୁହାଯାଇଛି। ସ୍ମାର୍ଟ ସଲ୍ୟୁସନ୍ ଯୋଜନାରେ ଦୁଇ ପ୍ରକାରର କେବୁଲ୍‌ ବିଛାଯାଉଛି। ୧୪୪ କୋର୍‌ କେବୁଲ୍‌ରେ ବିଭିନ୍ନ ସଂସ୍ଥାକୁ କେବୁଲ୍‌ ଭଡ଼ା ଦିଆଯିବ। ୧୨କୋର୍‌ କେବୁଲ୍‌ ଶେଷ ପର୍ଯ୍ୟନ୍ତ ସଂଯୋଗ କରିବ। ଏଥିରେ ମୁଖ୍ୟତଃ ସ୍ମାର୍ଟ ସିଟିର ବିଭିନ୍ନ ସେବା ଯୋଗାଯିବ।

ନିକଟରେ ବିଏସ୍‌ସିଏଲ୍‌ ସିଇଓ ସଂଜୟ ସିଂହ ପ୍ରକଳ୍ପର ସମୀକ୍ଷା କରିବା ସହ ସମସ୍ତ କାର୍ଯ୍ୟ ଅଗଷ୍ଟ ୩୧ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି କେବୁଲ୍‌ ବିଛାଇବାରେ ଯେଉଁ ସବୁ ସମସ୍ୟା ରହିଛି ତାହାକୁ ତୁରନ୍ତ ସମାଧାନ କରିବାକୁ କୁହାଯାଇଛି।

publive-image DNA India

ସ୍ମାର୍ଟ ସଲ୍ୟୁସନ୍ କାର୍ଯ୍ୟକ୍ଷମ ହେଲେ ପୂରା ରାଜଧାନୀରେ ଲୋକଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ମାଗଣାରେ ଇଣ୍ଟରନେଟ୍ ସୁବିଧା ମିଳିବ। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିରୁ ଲାଇଭ୍ ଚିତ୍ର ଓ ଭିଡିଓ ସଂଗ୍ରହ ହେବ। ଯେପରିକି ହଠାତ୍ କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଲୋକଙ୍କୁ ବିଭିନ୍ନ ସ୍ଥାନରେ ଲାଗିଥିବା ସ୍ପିକର୍‌ ମାଧ୍ୟମରେ ସଚେତନ କରିହେବ, ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିହେବ, ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ସଙ୍ଗେସଙ୍ଗେ ଚାଲାଣ କାଟିହେବ, ଡାଇନାମିକ୍ ମେସେଜ୍ ବୋର୍ଡ ମାଧ୍ୟମରେ ବିଭିନ୍ନ ସମୟରେ ସଚେତନତା ବାର୍ତ୍ତା ଦେଇହେବ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜଧାନୀରେ ଆଉ ଓଭରହେଡ୍‌ କେବୁଲ୍‌ ଦେଖିବାକୁ ମିଳିବନି। ବିଭିନ୍ନ କେବୁଲ୍ ସଂସ୍ଥା, ଟେଲିକମ୍ ସଂସ୍ଥା ଏବେ ବିଦ୍ୟୁତ ଖୁଣ୍ଟ, ଷ୍ଟ୍ରିଟ ଲାଇଟ୍‌ ଖୁଣ୍ଟରେ ଯେପରି ତାର ଓହଳିଛି ତାହା ଆଉ ଦେଖିବାକୁ ମିଳିବନି। ସେମାନଙ୍କୁ ଏହି କେବୁଲ୍‌ ବ୍ୟବହାର କରିବାକୁ ପଡ଼ିବ। ଏହାଦ୍ବାରା ବିଦ୍ୟୁତ ଖୁଣ୍ଟଗୁଡ଼ିକ ଉପରୁ ବୋଝ କମିଯିବ। ଯେଉଁମାନେ ଏହି ସେବା ବ୍ୟବହାର କରିବେ ସେମାନଙ୍କୁ ପ୍ରତି ୧୦୦ମିଟରକୁ ୨୫ଟଙ୍କା ଲେଖାଏଁ ଦେବାକୁ ପଡ଼ିବ ‌ବୋଲି ଜଣାପଡ଼ିଛି। ଏହାଦ୍ବାରା ବିଏସ୍‌ସିଏଲ୍‌ର ରାଜସ୍ବ ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ, ହନିୱେଲ ଅଟୋମେସନ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାବେଳେ ଏଥିପାଇଁ ୬୧୬କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ସଂସ୍ଥା କେବୁଲ୍‌ କିଣିବା, ବିଛାଇବା, ବିଭିନ୍ନ ଯନ୍ତ୍ରାଂଶ କିଣିବା ଓ ଲଗାଇବା କାର୍ଯ୍ୟ କରୁଛି। ଦୁଇ ବର୍ଷରେ ଏହି ପ୍ରକଳ୍ପ ଶେଷ କରି ୭ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe