The Wildlife - blogger
ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରୁ ସଂଗୃହୀତ ସାପ ବିଷ ଦିଲ୍ଲୀ ଚାଲାଣ କରାଯାଉଛି। ପଟିଆ ଓ ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ବଡ଼ ରୢାକେଟ୍ ଜରିଆରେ ଏହି କାରବାର ଚାଲୁଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଏହି ରୢାକେଟ୍ର ମାଷ୍ଟରମାଇଣ୍ଡ୍ ଏତେ ସୁଚିନ୍ତିତ ଉପାୟରେ କାରବାର ଚଳାଇଛି ଯେ ପୁଲିସ ଏହାର ଟେର୍ ପାଇ ପାରୁନାହିଁ। ନିକଟରେ ବନ ବିଭାଗ ଏହି କାରବାରରେ ଲିପ୍ତ ୬ ଜଣଙ୍କୁ ଗିରଫ କରିଥିଲେ ବି ମାଷ୍ଟରମାଇଣ୍ଡ୍କୁ ଠାବ କରିପାରିନାହିଁ।
ସୂଚନାନୁସାରେ ଏହି ବ୍ୟବସାୟରେ ସାମିଲ ଅଛନ୍ତି କିଛି ସ୍ଥାନୀୟ ଯୁବକ। ଏହି ରୢାକେଟ୍ର ସଭ୍ୟମାନେ ପଟିଆ, ମଞ୍ଚେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ରହୁଥିବା କିଛି ସାପ ଧରାଳିଙ୍କୁ ଏହି ବ୍ୟବସାୟରେ ସାମିଲ୍ କରିଛନ୍ତି। ସେମାନଙ୍କଠାରୁ ପ୍ରତି ସପ୍ତାହରେ ବିଷ ସଂଗ୍ରହ କରାଯାଉଛି। ପ୍ରତିବଦଳରେ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ଦିଆଯାଉଛି। ନିଜକୁ ସ୍ନେକ୍ ହେଲ୍ପ ଲାଇନ୍ର ସାପ ଧରାଳି ଭାବେ ନକଲି ପରିଚୟ ଦେଇ ଏହି ଯୁବକମାନେ ଚନ୍ଦକା, ଭରତପୁର ଅଞ୍ଚଳରୁ ବିଷ ଧର ସାପଙ୍କୁ ଉଦ୍ଧାର କରୁଛନ୍ତି। ଉଦ୍ଧାର ସାପକୁ ଜଙ୍ଗଲରେ ଛାଡ଼ିବା ବଦଳରେ ନିଜ ପାଖରେ ରଖୁଛନ୍ତି। ବେଲୁନ୍ ବଟଲ୍ ସାହାଯ୍ୟରେ ସାପଠାରୁ ବିଷ ବାହାର କରି ସାଇତି ରଖୁଛନ୍ତି ଓ ପରେ ରୢାକେଟ୍କୁ ଯୋଗାଉଛନ୍ତି। ପଟିଆ ଓ ମଞ୍ଚେଶ୍ବର ଅଞ୍ଚଳରେ ଏକ ଦାମୀ ଗାଡ଼ି ଏହି ସାପ ବିଷ ସଂଗ୍ରହ କାମରେ ବୁଲୁଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି। ଅନେକ ସମୟରେ ମଞ୍ଚେଶ୍ବର ଅଞ୍ଚଳର ଦୁଇ ଜଣ ଅଟୋ ଚାଳକ ଏହି ବିଷ ସଂଗ୍ରହ କରି ଶିଳ୍ପାଞ୍ଚଳରେ ବସିଥିବା ମାଷ୍ଟରମାଇଣ୍ଡ୍ ପାଖରେ ପହଞ୍ଚାଉଥିବା ଜଣାପଡ଼ିଛି। ପଟିଆ ଷ୍ଟେସନ୍ ନିକଟ, ରୋକଟ ଇଟାଭାଟି, ଭୋଟପଡ଼ା ଭାଟି ବସ୍ତି, ଚିରଗାଲଟୋଲା ଓ ଚନ୍ଦକା ଜଙ୍ଗଲ ଅଞ୍ଚଳ ଆଦିବାସୀ ବସ୍ତିରେ ସାପ ବିଷ ବ୍ୟବସାୟ ଜୋର୍ଦାର ଚୋଲିଛି। ବଡ଼ କଥା ହେଉଛି ସାପ ଧରାଳିମାନେ ସାପ ରଖୁଥିବା ପେଡ଼ିକୁ ଘରଠାରୁ ଦୂରରେ ରଖୁଛନ୍ତି। କିଛି ଦିନ ବିଷ ବାହାର କରିବା ପରେ ସାପକୁ ଛାଡ଼ି ଦେଉଛନ୍ତି।
Follow Us