ମହାସ୍ନାନ କରି ପ୍ରଭୁ ଜ୍ବରରେ, ଗଜାନନ ବେଶରେ ଦର୍ଶନ ଦେଲେ

Advertisment

ଅଣସର ଘରେ ୧୫ଦିନ, ସେବା ଦେବେ ବଇଦ

ଅଣସର ଘରେ ୧୫ଦିନ, ସେବା ଦେବେ ବଇଦ

ମହାସ୍ନାନ କରି ପ୍ରଭୁ ଜ୍ବରରେ, ଗଜାନନ ବେଶରେ ଦର୍ଶନ ଦେଲେ

ଭୁବନେଶ୍ବର: ଗ୍ରୀଷ୍ମ ଦାଉ ଅସହ୍ୟ ହେବାରୁ ପ୍ରଭୁ ଆଜି ମନଭରି ସ୍ନାନ କରିଛନ୍ତି। ଭକ୍ତଙ୍କ ଭିଡ଼ ଭିତରେ ସ୍ନାନବେଦୀରେ ବସି ରସିକ ଠାକୁର ୧୦୮ ଗରା ସୁବାସିତ ଜଳରେ ଗାଧୋଇଛନ୍ତି। ପୁଣି ସ୍ନାନବେଦିରେ ଗଜାନନ ବେଶରେ ଦର୍ଶନ ଦେଇ ମନ ହରିଛନ୍ତି ଭକ୍ତ ବତ୍ସଳ ମହାପ୍ରଭୁ। ହେଲେ ଗାଧୁଆ ଏତେ ଜୋର୍‌ ହୋଇଛି ଯେ, ମାନବୀୟ ଲୀଳାଧାରୀ ପ୍ରଭୁଙ୍କୁ ଜ୍ବର ଧରିଛି। ୧୫ଦିନ ପ୍ରଭୁ ଆଉ ଦର୍ଶନ ଦେବେନି। ଅଣସର ଘରେ ରହିବେ। ପ୍ରଭୁଙ୍କ ଉପଶମ ପାଇଁ ନିଇତି ବଇଦ ଖଞ୍ଜା ହେବେ। ଆଜି ପ୍ରଭୁ ଦାରୁ ରୂପରେ ଆବିର୍ଭାବ ହୋଇଥିବା ବେଳେ ଜନ୍ମଦିନ ବି ପାଳନ ହୋଇଛି। ଏଥିସହ ରଥଯାତ୍ରା ମହାପର୍ବର ଶୁଭ ଶଙ୍ଖ ବାଜିଛି। ଶ୍ରୀକ୍ଷେତ୍ର ଭଳି ରାଜଧାନୀରେ ଦେଖିବାକୁ ମିଳିଥିଲା ସ୍ନାନ ପୂର୍ଣ୍ଣିମାର ଏହି ବିଶେଷ ଅବକାଶ। ଆଜି ସକାଳେ ଘଣ୍ଟଘଣ୍ଟା, ହୁଳହୁଳି, ସ˚କୀର୍ତନ ଓ ଚାମର ଲାଗି ହୋଇ ଶ୍ରୀଜିଉ ବିଜେ କରିଥିଲେ ସ୍ନାନବେଦିକୁ। ବେଦିରେ ବିଜେ ହେବା ପରେ ଯଥାରୀତି ଆରମ୍ଭ ହୋଇଯାଇଥିଲା ସ୍ନାନାଭିଷେକ। ପ୍ରଭୁ ୧୫ଦିନ ଅଣସରରେ ରହିବାକୁ ଥିବାରୁ ପ୍ରଭୁଙ୍କୁ ଥରେ ଆଖି ପୂରେଇ ଦେଖିନେବା ପାଇଁ ଜଗନ୍ନାଥ ମନ୍ଦିରରେ ଲାଗିଥିଲା ଗହଳି ଚହଳି। କିଛି ସ୍ଥାନରେ ପ୍ରଭୁଙ୍କ ମନୋର˚ଜନ ପାଇଁ ଭଜନ ସମାରୋହ ଆୟୋଜିତ ହୋଇଥିଲା। ରାତିରେ ଶେଷ ଦର୍ଶନ ଦେଇ ପ୍ରଭୁ ଫେରିଥିଲେ ଅଣସର ଘରକୁ। ଶହଶହ ଭକ୍ତଙ୍କ ଉପସ୍ଥିତି ସତ୍ତ୍ବେ ଶ୍ରୀଜିଉଙ୍କ ଲେଉଟାଣି ପରେ ସେ ସ୍ଥାନ ଯେମିତି ଧୀରେଧୀରେ ନିରବି ଯାଉଥିଲା।

ଶ୍ରୀବାଣୀ କ୍ଷେତ୍ର
କିସ୍ ଶ୍ରୀବାଣୀ ‌କ୍ଷେତ୍ରରେ ସକାଳ ୫ଟାରୁ ୭ ମଧ୍ୟରେ ଶ୍ରୀଜିଉଙ୍କୁ ୧୦୮ ଗଡ଼ୁ ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ପ୍ରଭୁଙ୍କ ଦୁର୍ଲଭ ହାତୀବେଶ ଦର୍ଶନ ପାଇଁ ଶ୍ରୀବାଣୀ‌‌ କ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଥିଲା। ରାତି ୮ ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କ ହାତୀ ବେଶ ଦର୍ଶନ କରିଥିଲେ। ସ୍ନାନ ମଣ୍ଡପରେ ପୁଷ୍ପାଞ୍ଜଳି ନୀତି ହେବାପରେ ସାଢ଼େ ୮ଟାରେ ବାହୁଡ଼ା ପହଣ୍ଡି ନୀତି କରାଯାଇଥିଲା। ସେହିଭଳି ଆର୍‌ସିଏମ୍‌ କଲେଜ୍ କ୍ୟାମ୍ପସ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପୂଜକ ସାକାଳୁ ମା’ ଲକ୍ଷ୍ମୀ, ମଦନମୋହନ, ସରସ୍ବତୀ ଓ ମାଧବଙ୍କର ମୁଖ୍ୟଶାଳାକୁ ବିଜେକରି ମଙ୍ଗଳାର୍ପଣ କରିଥିଲେ। ଜଳବିଜେ ପୂଜା ଓ ସ୍ନାନ ସହ ଛେରାପହଁରା କରାଯାଇ ଠାକୁରଙ୍କୁ ହାତୀବେଶ କାରାଯାଇଥିଲା। ଏଥିସହ ପଟିଆ ଶ୍ରୀ ଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର, ବିଡିଏ କଲୋନି ଶ୍ରୀ ଜଗନ୍ନାଥ ମନ୍ଦିର ଓ ଚନ୍ଦ୍ରଶେଖରପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣିମା ଯଥାରୀତି ଅନୁଷ୍ଠିତ ହୋଇଥିଲା।

publive-image

ଇସ୍କନ୍‌
ଇସ୍କନ୍‌ରେ ସାଢେ଼ ୯ଟାରେ ଧାଡ଼ି ପହଣ୍ତି କରି ସ୍ନାନବେଦିରେ ବସି ସ୍ନାନ କରିଥିଲେ ମହାପ୍ରଭୁ। ସାଢ଼େ ୧୦ଟାରେ ସ୍ନାନାଭିଷେକ ଆରମ୍ଭ ହୋଇଥିଲା। ଫନିରେ ଇସ୍କନ୍‌ ଚୂଡ଼ାରେ ଥିବା ସୁଦର୍ଶନ ଚକ୍ର ଭାଙ୍ଗି ପଡ଼ିଥିବା ବେଳେ ଆଜି ତାକୁ ପୁନଃ ସ୍ଥାପନ କରାଯାଇଥିଲା। ଅପରାହ୍‌ଣରେ ଗଜାନନ ବେଶରେ ପ୍ରଭୁ ଦର୍ଶନ ଦେଇଥିଲେ। ସନ୍ଧ୍ୟାରେ ପ୍ରଭୁଙ୍କ ପାଖେ ସନ୍ଧ୍ୟା ଆଳତି ପରେ ଶ୍ରୀଜିଉଙ୍କ ମନୋର˚ଜନ ପାଇଁ ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାତି ୯ଟାରେ ପ୍ରଭୁ ସ୍ନାନ ମଣ୍ତପରୁ ଅଣସର ଗୃହକୁ ପ୍ରତ୍ୟାବର୍ତନ କରିଥିଲେ।

ଜାଗମରା ଧର୍ମବିହାର
ଖଣ୍ତଗିରି ଜାଗମରା ସ୍ଥିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ୩୫, ବଳଭଦ୍ରଙ୍କୁ ୩୩, ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗରା ପାଣିରେ ସ୍ନାନ କରାଯାଇଥିଲା ବୋଲି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି। କୋଳଥିଆରେ ମଧୢ ପ୍ରଭୁ ସକାଳ ୯ଟାରେ ସ୍ନାନ କରିବା ପରେ ଅପରାହ୍‌ଣରୁ ହାତୀବେଶ ହୋଇଥିଲା। ବରମୁଣ୍ତାରେ ଓୟୁଏଟି କଲୋନିସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ୧୦ଟାରେ ସ୍ନାନ କରିଥିବା ବେଳେ ପରେ ଗଜାନନ ବେଶରେ ଦର୍ଶନ ଦେଇଥିଲେ। ବରମୁଣ୍ତା ଜଗନ୍ନାଥ ମନ୍ଦିରରେ ମହାସ୍ନାନ ହୋଇଥିବା ବେଳେ ୪ଟା ପରେ ଗଜାନନ ବେଶ ହୋଇଥିଲା, ଭୀମଟାଙ୍ଗି ସାଇଶ୍ରୀ କ୍ଲବ୍‌, ବଡ଼ଦାଣ୍ତ ସାହି ଘୋଷଯାତ୍ରା କମିଟି ଏବ˚ ସହର ଉପକଣ୍ଠରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଦର୍ଶନ ପାଇଁ ରାତି ଯାଏଁ ଭିଡ଼ ଲାଗିଥିଲା। ଲକ୍ଷ୍ମୀସାଗରସ୍ଥିତ ଶ୍ରୀଶ୍ରୀ ପତିତପାବନଙ୍କ ପୀଠରେ ପ୍ରଭୁଙ୍କୁ ଶଙ୍ଖ, ଘଣ୍ଟ, ମର୍ଦଳ ଓ ହୁଳହୁଳି ମଧ୍ୟରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପ ଅଣାଯାଇ ସ୍ନାନ କରାଯାଇଥିଲା। ମହାପ୍ରଭୁ ଅଣସର ଘରେ ରହିବା ପର୍ଯ୍ୟନ୍ତ ମଲମ ଓ ଚିକିତ୍ସା ନିର୍ଧାରିତ ନିର୍ଘଣ୍ଟ ମୁତାବକ କରାଯିବାର ବ୍ୟବସ୍ଥା କରାଯିବ ବୋଲି ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ପରିଡ଼ା ଜଣାଇଛନ୍ତି।

ସୁଦର୍ଶନ ଦେବଙ୍କ ଦାରୁପୀଠ
ବାଲିଅନ୍ତା ବ୍ଲକ ଅଧୀନ ହୀରାପୁରସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ସକାଳ ୯ଟାରେ ନାମ ସଂକୀର୍ତ୍ତନ ସହିତ ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳି ମଧ୍ୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇଥିଲା। ସୁବାସିତ ଜଳରେ ସ୍ନାନ ନୀତି ସମ୍ପନ୍ନ ପରେ ଠାକୁରଙ୍କୁ ପାଟବସ୍ତ୍ର ପରିଧାନ କରାଯାଇଥିଲା। ଏଥିସହ ଦାରୁପୀଠରେ ରଥଯାତ୍ରା ରଥକାଠ ଅନୁକୂଳ ହୋଇଥିଲା। ବାଲିଅନ୍ତା ବ୍ଲକ ଅଧୀନ କାକରୁଦ୍ରପୁର ପଞ୍ଚାୟତ ଅଞ୍ଚଳର ଆରାଧ୍ୟ ଦେବତା ଶ୍ରୀଶ୍ରୀ ପତିତପାବନ ଦେବଙ୍କ ପୀଠରେ ପୂର୍ବାହ୍ନ ୧୧ଟାରେ ପତିତପାବନଙ୍କୁ ପଣ୍ଡା ଓ ସେବାୟତବର୍ଗ ପ୍ରଭୁଙ୍କ ପହଣ୍ଡି କରାଇ ସ୍ନାନମଣ୍ଡପକୁ ନେଇଥିଲେ। ସ୍ନାନ ପରେ ଠାକୁରଙ୍କୁ ହାତୀବେଶ କରାଯାଇଥିଲା। ରାତି ୧୦ଟାରେ ପତିତପାବନ ଦେବଙ୍କୁ ଏକ ଶୋଭାଯାତ୍ରାରେ ମନ୍ଦିର ବିଜେ କରାଯାଇଥିଲା। ସେହିପରି ଖୋର୍ଧା ଦଧିମାଛ ଗାଡ଼ିଆସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି।

ପିଲାମାନଙ୍କ ଦ୍ବାରା ଗଜାନନ ବେଶ
ବଡ଼ଦାଣ୍ଡ ସାହିଠାରେ ଘୋଷଯାତ୍ରା କମିଟି ପକ୍ଷରୁ ଆୟୋଜିତ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବଡ଼ଦାଣ୍ଡ ସାହି ଛକଠାରେ ପ୍ରଭୁଙ୍କୁ ସ୍ନାନ କରାଯିବା ପରେ ପିଲାମାନଙ୍କ ଦ୍ୱାରା ତିନି ଠାକୁରଙ୍କ ଗଜାନନ ବେଶ କରାଯାଇଥିଲା। ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଇଥିଲା। ବିନ୍ଦୁସାଗରରୁ ତୀର୍ଥ ଜଳ ଆଣି ସେଥିରେ ଅଗୁରୁ, ଚନ୍ଦନ, ଭାସ୍କର, ମଲ୍ଲି ଫୁଲ ଆଦି ପକାଯାଇ ସ୍ନାନ କରାଯାଇଥିଲା। କିମିଟିର ସଭାପତି ଶକ୍ତି ପ୍ରସାଦ ସାହୁ, ସୁଶିଲ ପ୍ରହରାଜ, ଅମିତ ଶତପଥୀ ଓ ସଭ୍ୟମାନେ ପରିଚାଳନା କରିଥିଲେ। ସେହିପରି ପରକରଣ ସାହିରେ ନାରାୟଣ ମନ୍ଦିର ନିକଟରେ ପୁରୁଣା ଭୁବନେଶ୍ବର ଶ୍ରୀ ଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe