୧୭ରୁ ଷୋହଳ ପୂଜା: ଶୈବକ୍ଷେତ୍ରରେ ଶକ୍ତି ଉପାସନା

Advertisment
୧୭ରୁ ଷୋହଳ ପୂଜା: ଶୈବକ୍ଷେତ୍ରରେ ଶକ୍ତି ଉପାସନା

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୭ତାରିଖ ସଂକ୍ରାନ୍ତି ତିଥିରୁ ଆରମ୍ଭ ହେବ ମା’ ଦୁର୍ଗାଙ୍କ ଷୋହଳ ପୂଜା। ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବ। ଏକାମ୍ର କ୍ଷେତ୍ରର ଅଷ୍ଟଚଣ୍ଡୀଙ୍କ ସମେତ ସମସ୍ତ ଦେବୀ ପୀଠରେ ଏହି ଶାରଦୀୟ ଷୋହଳ ପୂଜା ଚାଲିବ। ଦଶହରା ପର୍ଯ୍ୟନ୍ତ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଶୈବ ପୀଠରେ ଚାଲିବ ଶକ୍ତି ଉପାସନା।
ଏକାମ୍ର କ୍ଷେତ୍ରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସମେତ ବିଭିନ୍ନ ରୂପରେ ଭଗବାନ ଶିବଙ୍କୁ ବିଭିନ୍ନ ମନ୍ଦିରରେ ପୂଜା କରାଯାଉଛି। କିନ୍ତୁ ଏହି କ୍ଷେତ୍ର ମଧ୍ୟ ଭାରତର ଅନ୍ୟତମ ଶକ୍ତି କ୍ଷେତ୍ର ଭାବେ ଜଣାଶୁଣା। ଏଠାରେ ମା’ ଗୌରୀଙ୍କ ସହ ମା’ ଭୁବନେଶ୍ବରୀ, ମା’ ଦକ୍ଷିଣଚଣ୍ଡୀ, ମା’ ଦକ୍ଷିଣକାଳୀ, ମା’ କପାଳୁଣୀ ଦେବୀ, ମା’ ଦ୍ବାରବାସିନୀ, ମା’ ମହନୀ ଦେବୀ ମା’ ରାମାୟଣୀ ମା’ ଭୁବାସିନୀ ଆଦି ଠାକୁରାଣୀଙ୍କ ମନ୍ଦିର ରହିଛି। ମା’ ଦୁର୍ଗା ବା ମା’ ପାର୍ବତୀ ବିଭିନ୍ନ ରୂପରେ ଏଠାରେ ପୂଜା ପାଇଆସୁଛନ୍ତି।

ବର୍ଷ ତମାମ୍‌ ବିଭିନ୍ନ ତିଥି‌ରେ ଏହି ସବୁ ମନ୍ଦିରରେ ପୂଜାର୍ଚ୍ଚନା କରାଯାଏ। କିନ୍ତୁ ଦଶହରା ବେଳେ ଏଠାରେ ସୃଷ୍ଟି ହୁଏ ଭିନ୍ନ ପରିବେଶ। ଶୈବ ପୀଠ ପାଲଟିଯାଏ ଶକ୍ତି ପୀଠ। ଦୀର୍ଘ ୧୬ ଦିନ କାଳ ଏହି ଶୈବ ପୀଠରେ ଲାଗି ରହେ ଶକ୍ତି ଉପାସନା। ସ୍ଥାନୀୟ ବାସିନ୍ଦାମାନେ ଶକ୍ତି ଆରାଧନା କରି ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ମା’ ଭୁବନେଶ୍ୱରୀଙ୍କ ମନ୍ଦିରରେ ଏହି ସମୟରେ ସ୍ୱତନ୍ତ୍ର ପାରମ୍ପରିକ ପୂଜା କରାଯିବ। ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ଆସି ମନ୍ଦିର ପୁରୋହିତଙ୍କ ପାଖରେ ସଂକଳ୍ପ କରି ପୂଜା କରିବେ। ଷୋହଳ ଦିନ ପର୍ଯ୍ୟନ୍ତ ରାଜଗୁରୁ ଏଠାରେ ଅବସ୍ଥାନ କରି ପୂଜାର୍ଚ୍ଚନା କରିବେ। ଗଜପତି ମହାରାଜଙ୍କ ମଙ୍ଗଳ କାମନା କରି ‌ରାଜଗୁରୁ ମା’ ଭୁବନେଶ୍ବରୀଙ୍କୁ ପୂଜା କରିବେ। କେଦାରଗୌରୀ ମନ୍ଦିରେ ମଧ୍ୟ ଚାଲିବ ବିଧି ଓ ପରମ୍ପରାର ପୂଜା ପାଠ। ମା’ ଗୌରୀଙ୍କୁ ପୂଜା କରାଯିବ।

ଜଗନ୍ନାଥ ମଠରୋଡ୍‌ରେ ମା’ ଦକ୍ଷିଣଚଣ୍ଡୀ, ସାମନ୍ତରାପୁରସ୍ଥିତ ମା’ ଭୁବାସିନୀ, ବିନ୍ଦୁସାଗର କୂଳରେ ଥିବା ମା’ ଦ୍ୱାରବାସିନୀ, ବଡ଼ୁସାହିରେ ମା’ ମହନୀ ଦେବୀ, ତିନିମୁଣ୍ଡିଆ ଛକରେ ଥିବା ମା’କପାଳୁଣୀ ଦେବୀ, ପୂଜାପଣ୍ଡା ନିଯୋଗ ନିକଟରେ ଥିବା ମା’ ରାମାୟଣୀ ଦେବୀ, ଶ୍ରୀକପିଳେଶ୍ୱର ମନ୍ଦିର ବେଢ଼ା ପରିସରରେ ଥିବା ମା’ ଦକ୍ଷିଣକାଳୀଙ୍କ ନିକଟରେ ଷୋଡ଼ଶ ଉପଚାର ପୂଜା ହେବ। ମା’ ମହନୀ ଠାକୁରାଣୀଙ୍କ ପୂଜକ ଗୋପୀନାଥ କର କୁହନ୍ତି, ଏହି ସମୟରେ ସବୁ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ଭାବେ ଷୋଡ଼ଶ ଉପଚାର କରାଯାଏ। ସେହିପରି ପୂଜାପଣ୍ଡା ନିଯୋଗ ସଭାପତି କାଶିନାଥ ପୂଜାପଣ୍ଡା କୁହନ୍ତି ଏକାମ୍ର କ୍ଷେତ୍ରରେ ଶକ୍ତି ଉପାସନା ବହୁ ପ୍ରାଚୀନ। ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଅଷ୍ଟଚଣ୍ଡୀଙ୍କ ଷୋହଳ ପୂଜାରେ ସ୍ୱତନ୍ତ୍ର। ସେହିଭଳି ମା’ ଦକ୍ଷିଣଚଣ୍ଡୀ ମନ୍ଦିରର ପୂଜା ବିଧି ମଧ୍ୟ ସ୍ୱତନ୍ତ୍ର। ପ୍ରତିବର୍ଷ ଶତାଧିକ ଭକ୍ତ ନିଜର ମନବାଞ୍ଛା ପୂରଣ ପାଇଁ ୧୬ ଦିନ ପର୍ଯ୍ୟନ୍ତ ଏଠାକୁ ଆସି ସ୍ୱତନ୍ତ୍ର ପୂଜା କରିଥା’ନ୍ତି ବୋଲି ଦକ୍ଷିଣଚଣ୍ଡୀ ମନ୍ଦିର ପୂଜକ ସରୋଜ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe