ଖରା ସହ ବଢ଼ିଲା ବିଜୁଳି କଷ୍ଟ: କିଣା ହୋଇ ପଡ଼ିଛି, କିନ୍ତୁ କେବୁଲ୍‌ ବଦଳାଉନି ବିଭାଗ

Advertisment

ଜିଏ କଲୋନିରେ ୪ ଘଣ୍ଟା ବିଭ୍ରାଟ

ଜିଏ କଲୋନିରେ ୪ ଘଣ୍ଟା ବିଭ୍ରାଟ

ଖରା ସହ ବଢ଼ିଲା ବିଜୁଳି କଷ୍ଟ: କିଣା ହୋଇ ପଡ଼ିଛି, କିନ୍ତୁ କେବୁଲ୍‌ ବଦଳାଉନି ବିଭାଗ

ଖଣ୍ଡଗିରି: ଜିଏ କଲୋନିରେ ଗତକାଲି ସକାଳ ୭.୩୦ଟାରୁ ୧୨ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ସାଢେ ୪ ଘଣ୍ଟା ବିଜୁଳି ଚାଲିଯାଇଥିଲା। ଗରମ ଆରମ୍ଭ ହୋଇ ନଥିବାରୁ ଓ ସକାଳ ହୋଇଥିବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇନଥିଲା। କିନ୍ତୁ କେବୁଲ୍‌ ସମସ୍ୟା ଯୋଗୁଁ ବିଜୁଳି ବିଭ୍ରାଟ ହୋଇଥିବା ଜଣା ପଡ଼ିଥିଲା। ଗତବର୍ଷ ଖରାଦିନ ତମାମ ଭରତପୁର ପାୱାର ଷ୍ଟେସନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲଗାତାର ୮ରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ବିଜୁଳି ଯାଉଥିଲା। ଏଥିଯୋଗୁଁ ଲୋକଙ୍କ ଦୁର୍ଦଶା କାହିଁରେ କେତେ ଥିଲା। ବର୍ତ୍ତମାନ ଠାରୁ ଯଦି ଜିଏ କଲୋନି ଭଳି ଅଞ୍ଚଳରେ ଏତେ ଘଣ୍ଟା ବିଜୁଳି ଯାଉଛି, ଖରାରେ ଅବସ୍ଥା କଣ ହେବ ବୋଲି ସ୍ଥାନୀୟ ଅଧିବାସୀ ଆଶଙ୍କା କରୁଛନ୍ତି।

ସୂଚନା ଅନୁଯାୟୀ, ବିଜୁଳି ସଂଯୋଗ କରୁଥିବା କେବୁଲ୍‌କୁ ୧୦ ବର୍ଷରେ ଥରେ ବଦଳାଯିବା କଥା। ନଚେତ୍‌ ବିଭିନ୍ନ ସମୟରେ ଏହା ଛିଡ଼ିଯାଇ ଅଘଟଣ ଘଟେ ବା ବିଜୁଳି ବିଭ୍ରାଟ ହୁଏ। ଖରାଦିନରେ ବିଜୁଳିର ଅଧିକ ଚାହିଦା ରହୁଥିବାରୁ ତାର ଛିଡ଼ିଯିବା କିମ୍ବା ବିଭ୍ରାଟ ହେବାର ବେଶି ଆଶଙ୍କା ଥାଏ। ଖରାରେ ଥରେ ବିଜୁଳି କଟିକଲେ ଲୋକେ କେତେ କଷ୍ଟ ପାଆନ୍ତି ସେ ନେଇ ସମସ୍ତେ ଅବଗତ। ଏହି ସମୟରେ କେବୁଲ୍‌ ସାମୟିକ ମରାମତି କରାଯାଏ କିମ୍ବା ଛୋଟ ଅଂଶ ବଦଳା ଯାଏ। ସଂଯୋଗ କାଟି ସମ୍ପୂର୍ଣ୍ଣ ବିଜୁଳି ତାର ବଦଳାଇଲେ ସମୟ ଲାଗେ ଓ ଲୋକଙ୍କ ଦୁର୍ଦଶା କାହିଁରେ କେତେ ବଢିଯାଏ। ପୁଣି ବର୍ଷାଦିନରେ ତାହା ବଦଳାଇବା ସହଜ ହୁଏ ନାହିଁ। ଶୀତର ୩ ମାସରେ ହିଁ ସେ କାର୍ଯ୍ୟ ସାରି ଦିଆଯାଏ। ଗତବର୍ଷ ଖରାଦିନେ ଖଣ୍ଡଗିରି ବାରି, ଜିଏ କଲୋନି, ଶ୍ରୀରାମବିହାର, କଳିଙ୍ଗ ବିହାର ସମେତ ଭରତପୁର ସବଷ୍ଟେସନ ଅନ୍ତର୍ଗତ ପ୍ରାୟ ସବୁ ସ୍ଥାନରେ ଦୁର୍ବଳ ବିଜୁଳି କେବୁଲ୍‌ ଯୋଗୁଁ ବିଜୁଳି ବିଭ୍ରାଟ ହେଉଥିଲା। ଟାଟା ପାୱାର କର୍ମଚାରୀ ତାର ମରାମତି କରୁଥିଲେ କିନ୍ତୁ ତାହା ସାମୟିକ ଥିଲା। ତେଣୁ ଲକ୍ଷ୍ୟ ଥିଲା, ସ୍ଥାୟୀ ସମାଧାନ ପାଇଁ ୨୦୨୪ ଖରା ପୂର୍ବରୁ କେବୁଲ୍‌ ବଦଳାଯିବ। କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ, ଘାଟିକିଆ ଓ କେ-୮ର କିଛି ଅଂଶକୁ ଛାଡ଼ିଦେଲେ କୌଣସି ସ୍ଥାନରେ କେବୁଲ୍‌ ବଦଳାଯାଇ ନାହିଁ।

ଭରତପୁର ଜିଏ କଲୋନି ଅନ୍ତର୍ଗତ ଷ୍ଟୁଡିଓ ଛକରୁ ଦାସପୁର ପର୍ଯ୍ୟନ୍ତ ଯାଇଥିବା କେବୁଲ ଏତେ ପୁରୁଣା ହୋଇ ପଡ଼ିଥିଲା ଯେ ଗତବର୍ଷ ବିଭିନ୍ନ ସମୟରେ ବିଜୁଳି କଟୁଥିଲା। ଗତବର୍ଷ ମେ’ ଓ ଜୁନ୍‌ରେ ଜିଏ କଲୋନି, ଶ୍ରୀରାମ ବିହାର, ଆଦିତ୍ୟନଗର, ଦାସପୁର ରୋଡ୍‌ ପର୍ଯ୍ୟନ୍ତ ଅଞ୍ଚଳରେ ୧୦ ଘଣ୍ଟା ପର୍ଯ୍ୟନ୍ତ ପାୱାର୍‌ କଟ୍‌ ହୋଇଥିଲା। ସେହି ଦୃଷ୍ଟିରୁ ଚଳିତ ବର୍ଷ ଖରା ପୂର୍ବରୁ ଏହି ଅଞ୍ଚଳର କେବୁଲ ବଦଳାଯିବା କଥା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ। ଏଥିପାଇଁ କେବୁଲ୍‌ କିଣା ଯାଇ ପଡ଼ିଥିଲେ ମଧ୍ୟ ତାହା ଲଗାଯାଉ ନାହିଁ। ଉପରୋକ୍ତ ଅଞ୍ଚଳ ସହିତ ଗିରିଶବିହାର, ଭରତପୁର ବସ୍ତି, ସନ୍ତୋଷୀନଗର, ଶ୍ୟାମପୁର, ମଶାଣି ପାଖ, ସାଇନଗର, ମଳିପଡ଼ା, ଗୋଠପାଟଣା, ଘଙ୍ଗାପାଟଣା, ପାଇକରାପୁର, କଣ୍ଟାବାଡ଼ ଆଦିରେ ମଧ୍ୟ ପୁରୁଣା କେବୁଲ ବଦଳାଯିବା ଆବଶ୍ୟକ ହେଉଛି। ଖଣ୍ଡଗିରିବାରିରେ ତ ଗତବର୍ଷ ଥରେ ପ୍ରାୟ ୨୪ ଘଣ୍ଟା ଧରି ବିଳୁଳି ବିଭ୍ରାଟ ଘଟିଥିଲା। ଏଦିଗରେ ତୁରନ୍ତ ଦୃଷ୍ଟି ନଥିଲେ ଖରାରେ ଲୋକଙ୍କ ଅବସ୍ଥା କଣ ହେବ, ଅନୁମାନ କରାଯାଇ ପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe