ଷୋଳ ପୂଜା ଆରମ୍ଭ, ଚଳଚଞ୍ଚଳ ଶକ୍ତିପୀଠ

ଗଜପତିଙ୍କ ପାଇଁ ମା’ ଭୁବନେଶ୍ବରୀଙ୍କୁ ପୂଜିଲେ ରାଜଗୁରୁ

ଷୋଳ ପୂଜା ଆରମ୍ଭ, ଚଳଚଞ୍ଚଳ ଶକ୍ତିପୀଠ

ପୁରୁଣା ଭୁବନେଶ୍ୱର: ଆଜି ଥିଲା ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ଅର୍ଥାତ୍‌ ପାର୍ବଣର ପ୍ରଥମ ପର୍ବ। ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଣା ଭୁବନେଶ୍ବରର ବିଭିନ୍ନ ଶକ୍ତିପୀଠରେ ଷୋଳ ପୂଜା। ଏକାମ୍ର କ୍ଷେତ୍ରର ଅଷ୍ଟଚଣ୍ଡୀ ସମେତ ସମସ୍ତ ଦେବୀପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି। ତେଣୁ ମା’ଙ୍କ ପୂଜା ବା ଶକ୍ତି ପୂଜାରେ ଚଳଚଞ୍ଚଳ ହୋଇଉଠିଛି ଶୈବ କ୍ଷେତ୍ର ପୁରୁଣା ଭୁବନେଶ୍ବର। ବଡ଼ କଥା ହେଉଛି, ପରମ୍ପରା ଅନୁସାରେ ଗଜପତି ମହାରାଜାଙ୍କ ଶୁଭକାମନା କରି ରାଜଗୁରୁ ଏଠାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ପାଉଥିବା ମା’ ଭୁବନେଶ୍ବରୀଙ୍କ ନିକଟରେ ଆଜିଠୁ ସଂକଳ୍ପ କରିଛନ୍ତି ଓ ଷୋଳ ପୂଜା‌ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏକାମ୍ର କ୍ଷେତ୍ରର ଅଧିଷ୍ଠାତ୍ରୀ ଅଷ୍ଟଚଣ୍ଡୀ ହେଉଛନ୍ତି କେଦାରଗୌରୀର ମା’ଗୌରୀ, ବିନ୍ଦୁସାଗର କୂଳର ମା’ଦ୍ୱାରବାସିନୀ, ବଡ଼ୁସାହିର ମା’ମହନୀଦେବୀ, ତିନିମୁଣ୍ଡିଆ ଛକର ମା’କପାଳୁଣୀ ଦେବୀ, ପୂଜାପଣ୍ଡା ନିଯୋଗ ନିକଟରେ ଥିବା ମା’ରାମାୟଣୀ ଦେବୀ, କେଦାରଗୌରୀ ଛକ ନିକଟରେ ଥିବା‌ ମା’ ଆଖଡ଼ାଚଣ୍ଡୀ, ବିନ୍ଦୁସାଗର ଉତ୍ତର କୂଳରେ ଥିବା ମା’ ଉତ୍ତରାୟଣୀ ଓ ତୀର୍ଥେଶ୍ବର ରୋଡ଼୍‌ରେ ପୂଜା ପାଉଥିବା ମା’ ଅମ୍ୱିକା। ଆଜିଠୁ ସବୁଠାରେ ବିଧି ଅନୁସାରେ ଷୋଳ ପୂଜା ଶୁଭାରମ୍ଭ କରାଯାଇଛି। ସେହିପରି ବଡ଼ମଠ ପରିସରରେ ମା’ କାମାକ୍ଷାଦେବୀ, ଶିଶୁପାଳଗଡ଼ରେ ମା’ ଗଡ଼ଚଣ୍ଡୀ, ସାମନ୍ତରାପୁରରେ ମା’ ଭୂବାସିନୀ, ଶ୍ରୀକପିଳେଶ୍ୱର ମନ୍ଦିର ବେଢ଼ା ପରିସରରେ ଥିବା ମା’ ଦକ୍ଷିଣକାଳୀଙ୍କ ପୀଠରେ ମଧ୍ୟ ବିଧି ମୁତାବକ ଷୋଳ ପୂଜା ଆରମ୍ଭ କରାଯାଇଛି। ପୁରୀ ଗଜପତି ମହାରାଜଙ୍କ ରାଜଗୁରୁ ଆସି ଶ୍ରୀଲିଙ୍ଗରାଜ ମନ୍ଦିର ପୁରୋହିତ ପାଖରେ ସଙ୍କଳ୍ପ କରି ପୂଜା ଆରମ୍ଭ କରିଛନ୍ତି। ଷୋହଳ ଦିନ ପର୍ଯ୍ୟନ୍ତ ଏଠାରେ ରାଜଗୁରୁ ରହି ମା’ ଭୁବନେଶ୍ବରୀଙ୍କୁ ପୂଜା କରିବେ। ମହାରାଜଙ୍କ ମଙ୍ଗଳ କାମନା କରି ‌ରାଜଗୁରୁ ଏହି ପୂଜା କରିବେ।

ମା’ ମହନୀଦେବୀଙ୍କ ପୂଜକ ଗୋପୀନାଥ କରଙ୍କ କହିବା କଥା ଷୋଡ଼ଶ ପୂଜା ଉପଚାର ପାଇଁ ବହୁ ନୀତିନିୟମରେ ରହିବାକୁ ପଡ଼େ। ମା’ଙ୍କ ଏହି ପୂଜା ପାଇଁ ନିଷ୍ଠାରେ ରହିବାକୁ ହୁଏ। ପୂଜାପଣ୍ଡା ନିଯୋଗ ସଭାପତି କାଶୀନାଥ ପୂଜାପଣ୍ଡା କୁହନ୍ତି ଯେ ଏକାମ୍ର କ୍ଷେତ୍ରରେ ଏବଂ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଅଷ୍ଟଚଣ୍ଡୀଙ୍କ ଷୋଳ ପୂଜାର ସ୍ୱତନ୍ତ୍ରତା ରହିଛି। ମା’ ଦକ୍ଷିଣଚଣ୍ଡୀ ମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ଶତାଧିକ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ୧୬ ଦିନ ପର୍ଯ୍ୟନ୍ତ ଏଠାକୁ ଆସି ସ୍ୱତନ୍ତ୍ର ପୂଜା କରନ୍ତି ବୋଲି ଦକ୍ଷିଣଚଣ୍ଡୀ ମନ୍ଦିର ପୂଜକ ସରୋଜ ମହାପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଆଜି ଥିଲା ସଂକ୍ରାନ୍ତି ତିଥି। ଏଥିପାଇଁ ମଧ୍ୟ ବିଭିନ୍ନ ପୀଠରେ ଭିଡ଼ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe