ଖଣ୍ଡଗିରି ଅଂଚଳରେ ବୃଦ୍ଧ ବାପାଙ୍କୁ ପିଟି ପିଟି ମାରିଲା ଡାକ୍ତର ପୁଅ, ଜେଲ ଗଲା ଅଭିଯୁକ୍ତ

Advertisment
ଖଣ୍ଡଗିରି ଅଂଚଳରେ ବୃଦ୍ଧ ବାପାଙ୍କୁ ପିଟି ପିଟି ମାରିଲା ଡାକ୍ତର ପୁଅ, ଜେଲ ଗଲା ଅଭିଯୁକ୍ତ

ଭୁବନେଶ୍ୱର: ସ୍ୱାର୍ଥପର ଦୁନିଆରେ ସଂପର୍କ ମୂଲ୍ୟହୀନ ହୋଇଯାଇଛି । ସ୍ୱାର୍ଥ ପାଇଁ ସଂପର୍କ ବଳିପଡୁଛି । ରାଜଧାନୀ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଥାନା ଅଂଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଅବସରପ୍ରାପ୍ତ ବୃଦ୍ଧ ବାପାଙ୍କୁ ଡାକ୍ତର ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପିତୃ ହତ୍ୟାକାରୀ ପୁଅକୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି । ଅଭିଯୁକ୍ତର ନାମ ହେଲା ରଂଜନ ମିଶ୍ର (୪୧) ଓ ସେ ଜଣେ ଆୟୁଷ ଡାକ୍ତର ବୋଲି ସୂଚନା ରହିଛି।

ସୂଚନା ଅନୁସାରେ ପାରିବାରିକ ପ୍ରସଙ୍ଗକୁ ନେଇ ରଂଜନ ଓ ତାଙ୍କର ବାପା ଅବସରପ୍ରାପ୍ତ ଅତିରିକ୍ତ କୃଷି ନର୍ଦ୍ଦେଶକ ରାଜକିଶୋର (୭୩)ଙ୍କ ମଧ୍ୟରେ ଗୁରୁବାର ଯୁକ୍ତିତର୍କ ହୋଇଥିଲା । ସମୟ କ୍ରମେ ଏହା ଗଣ୍ଡଗୋଳରେ ପରିଣତ ହୋଇଥିଲା, ଯାହାକି ଭୟଙ୍କର ରୂପ ନେଇଥିଲା । ଏଥିରେ ରଂଜନ ଉତକ୍ଷିପ୍ତ ହୋଇ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ରାଜକିଶୋରଙ୍କର ମୃତ୍ୟୁ ହୋଇ ଯାଇଥିଲା। ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ମୃତକଙ୍କ ଝିଅ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପରେ ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚିଥିଲା । ପୁଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ରଂଜନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ରଞ୍ଜନକୁ ଜେଲ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ରଂଜନ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଆୟୁଷ ଡାକ୍ତର ଭାବେ କାମ କରୁଥିଲେ । କୌଣସି କାରଣକୁ ନେଇ ୭ ଦିନ ତଳେ ସେ ଚାକିରି ଛାଡ଼ିଥିଲେ । ଚାକିରି ଛାଡ଼ିବା ପରେ ସେ ଘରକୁ ଆସି ରହୁଥିଲେ । ଅନ୍ୟପଟରେ ଜଣେ ଡାକ୍ତର ହୋଇ ନିଜ ପିତାଙ୍କୁ ପିଟିପିଟି ହତ୍ୟା କରିବାକୁ ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ଆଲୋଚନା ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe