ବାପ ଗୁଳିରେ ପୁଅ ଟଳିପଡ଼ିବା ମାମଲା: ଜଙ୍ଗଲରେ ଅନୁତାପର ଅଶ୍ରୁ ଢାଳୁଛି ପୁତ୍ରହନ୍ତା

ଅପରାଧୀଙ୍କ ବନ୍ଧୁକରେ ପୁଲିସ ଗୁଳି!

ବାରଙ୍ଗ: ମଦନିଶାରେ ଚୁର୍‌ ଥିବା ବେଳେ ରାଗ ମୁଣ୍ଡକୁ ଚଢ଼ିଗଲା। ରାଗରେ ଅନ୍ଧ ହୋଇ ପୁଅ ଉପରକୁ ଗୁଳି ଚଳାଇ ଦେଲା। କିନ୍ତୁ ଏବେ ଅନୁତାପ କରୁଛି। ପୁତ୍ରହନ୍ତା ପାଲଟି ଯିବାର ଅପବାଦ ତାକୁ ତିଳ ତିଳ କରି ଜାଳୁଛି। ପୂଲିସ ବାନ୍ଧିବ ବୋଲି ଭୟରେ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଛପିଛି। ସବୁବେଳେ ମୁଣ୍ଡ ପିଟି କାନ୍ଦୁଛି। ସମ୍ପର୍କୀୟମାନଙ୍କ ଘରକୁ ଘରକୁ ବୁଲୁଛି। ରାତିରେ ସମ୍ପର୍କୀୟଙ୍କ ଘର ଛାଡ଼ି ଜଙ୍ଗଲରେ ରହୁଛି। ଏମିତି ଅବସ୍ଥାରେ ୫ ଦିନ ହେଲା ଜଙ୍ଗଲରେ ଦିନରାତି କାଟୁଛି ବାରଙ୍ଗ ଥାନା ମୁଣ୍ଡଳୀ ପଞ୍ଚାୟତ ବେଣ୍ଟୁଆବସ୍ତିର ଯଦୁ ମୁଣ୍ଡା। ଏପଟେ ଯଦୁକୁ ଗିରଫ କରିବା ପାଇଁ ପୁଲିସ ବାରମ୍ବାର ଜଙ୍ଗଲର ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଚଢ଼ଉ କରି ବିଫଳ ହେଉଛି।
ଗତ ୧୦ ତାରିଖରେ ବେଣ୍ଟୁଆ ବସ୍ତିରେ ଘଟିଥିଲା ଏହି ହତ୍ୟାକାଣ୍ଡ। ବାଇଗଣ ତୋଳାକୁ କେନ୍ଦ୍ର କରି ବାପ-ପୁଅ ଭିତରେ କଥା କଟାକଟି ହୋଇଥିଲା। ମଦ ନିଶାରେ ଟଳମଳ ହେଉଥିବା ଯଦୁ ମୁଣ୍ଡା ବନ୍ଧୁକ ଆଣି ସିଧା ତା’ ପୁଅ ଶିବ ମୁଣ୍ଡା(୧୬)ର ଛାତିକୁ ଲକ୍ଷ୍ୟ କରି ଦୁଇ ରାଉଣ୍ଡ ଗଳି ଫୁଟାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିବ ଟଳିପଡ଼ିଥିଲା। ଯଦୁର ସ୍ତ୍ରୀ ଆଖି ଆଗରେ ଏହି ଅଘଟଣ ଘଟିଥିଲେ ବି ବିଚାରୀ କିଛି କରିପାରିନଥିଲା। ଅଘଟଣଟି ଏତେ ଆକସ୍ମିକ ଥିଲା ଯେ ବିଚାରୀ ଯଦୁକୁ ରୋକିବା ପୂର୍ବରୁ ଗୁଳି ଫୁଟି ସାରିଥିଲା। ଏହା ପରେ ଯଦୁ ବନ୍ଧୁକ ସହ ଫେରାର୍ ହୋଇ ଯାଇଥିଲା।

ବାରଙ୍ଗ ଥାନା ପୁଲିସ ସୂଚନା ପାଇ କଲ୍ୟାଣୀନଗର, ଭାଲୁଙ୍କା, କୃଷ୍ଣନଗର, ପିଠାଖିଆ ଆଦି ଜଙ୍ଗଲ ବସ୍ତିରେ ଚଢ଼ଉ କରିଛି। ମାତ୍ର ସବୁଠାରୁ ଖାଲି ହାତରେ ଫେରୁଛି। ସମ୍ପର୍କୀୟମାନେ ସବୁ ଜାଣୁଥିଲେ ବି ପୁଲିସକୁ ସହଯୋଗ କରୁନାହାନ୍ତି। ଯଦୁ ସେମାନଙ୍କ ଆଗରେ କାନ୍ଦୁଥିବାରୁ ସେମାନେ ପୁଲିସକୁ କିଛି କହୁନାହାନ୍ତି। ମିଳିଥିବା ସୂଚନାନୁସାରେ ଏବେ ସେ ଜଙ୍ଗଲ ମଝିରେ ଥିବା ଚାଷୀଙ୍କ କୁଡ଼ିଆ ବା ମଞ୍ଚରେ ରହୁଛି। କୌଣସି ସ୍ଥାନରେ ସେ ଅଧିକ ସମୟ ରହୁନାହିଁ। ତା ସମ୍ପର୍କୀୟମାନେ ତାକୁ ଖାଦ୍ୟ ପାନୀୟ ଯୋଗାଉଛନ୍ତି ବୋଲି ପୁଲିସ ସୂଚନା ପାଇଥିଲେ ବି ଏତେ ବଡ଼ ଜଙ୍ଗଲରେ ଭିତରେ ତାକୁ ଠାବ କରିବା ସମ୍ଭବ ହେଉନାହିଁ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe