ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସୋନମ୍ ୱାଙ୍ଗଚୁକ୍‌ : ‘୩ଏଚ୍’ ଶିକ୍ଷାର ପ୍ରମୁଖ ଅଂଶ

Advertisment
ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ସୋନମ୍ ୱାଙ୍ଗଚୁକ୍‌ : ‘୩ଏଚ୍’ ଶିକ୍ଷାର ପ୍ରମୁଖ ଅଂଶ

ଚନ୍ଦ୍ରଶେଖରପୁର : କୁଶଳୀ ହାତ, ଦୟାଳୁ ହୃଦୟ ଓ ଉଜ୍ଜ୍ବଳ ମସ୍ତିସ୍କ(୩ଏଚ୍) ଏହି ୩ଟି ଜିନିଷ ଶିକ୍ଷାର ପ୍ରମୁଖ ଅଂଶ ବୋଲି ଶିକ୍ଷାବିତ୍ ତଥା ରମନ୍ ମ୍ୟାଗସେସ୍‌ ପୁରସ୍କାର ବିଜେତା ସୋନମ୍ ୱାଙ୍ଗଚୁକ୍ କହିଛନ୍ତି। ଓଡ଼ିଶା ଗସ୍ତ ଅବସରରେ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ୱାଙ୍ଗଚୁକ୍ କହିଲେ କୌଣସି ବ୍ୟକ୍ତିର ଶିକ୍ଷାର ବିକାଶ ପାଇଁ ପଢ଼ିବା, ଲେଖିବା ଓ ଗଣିତର ପ୍ରମୁଖ ଭୂମିକା ରହିଛି। ଛାତ୍ରଛାତ୍ରୀ ସମାଜରେ ସକାରାତ୍ମକ ଚିନ୍ତନ ଆଣିବା ପାଇଁ ନିଜର ପାଠ୍ୟପୁସ୍ତକର ଜ୍ଞାନକୁ ବାସ୍ତବିକ ଜୀବନରେ ବିନିଯୋଗ କରିବା ଆବଶ୍ୟକ।

ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବା ପ୍ରଣାଳୀରେ ନୁହେଁ, ବରଂ ଛାତ୍ରଛାତ୍ରୀ କେଉଁ ପ୍ରଣାଳୀରେ ଶିକ୍ଷାକୁ ଗ୍ରହଣ କରିବେ ତାହାକୁ ପ୍ରାଧାନ୍ୟ ଦିଆଯିବା ଦରକାର। ନିଜକୁ ମଜବୁତ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇବା ସହ ନିଜେ ଶିକ୍ଷା ଗ୍ରହଣ ସମୟରେ କିଭଳି ବିଭିନ୍ନ ସମସ୍ୟା ଓ ବିଫଳତାର ରାସ୍ତାରେ ଗତି କରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ବିଫଳତା ଆଗରେ ହାର ନ ମାନି ନିଜ କ୍ଷମତା ବଳରେ କିଭଳି ସଫଳତାର ଚାବିକାଠିକୁ ହାତମୁଠାକୁ ଆଣିପାରିଥିଲେ ସେନେଇ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବାଖ୍ୟା କରିଥିଲେ।

ଶକ୍ତି ସଂରକ୍ଷଣକୁ ଗୁରୁତ୍ୱ ଦେଇ ୱାଙ୍ଗଚୁକ୍ କହିଲେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱବୋଧକୁ ଉପଲବ୍ଧି କରି ଏକ ସ୍ୱଚ୍ଛ, ସୁନ୍ଦର ଓ ସବୁଜ ପୃଥିବୀ ଗଢ଼ି ତୋଳିବା ପାଇଁ ପ୍ରୟାସ କରିବା ଆବଶ୍ୟକ। ଯେପର୍ଯ୍ୟନ୍ତ ଏହା ନ ହୋଇଛି ସେପର୍ଯ୍ୟନ୍ତ ବିଶ୍ୱର ସ୍ଥିତି ଖରାପ ଆଡ଼କୁ ଗତି କରିବ।

ମହାତ୍ମା ଗାନ୍ଧୀଙ୍କ ପରି ସମସ୍ତେ ଏକ ସାଧାରଣ ଜୀବନଯାପନ ଶୈଳୀକୁ ଆପଣେଇବାକୁ ପରାମର୍ଶ ଦେଇଥିଲେ। ଏହା ‌ହୋଇପାରିଲେ ସାରା ବିଶ୍ୱ ଏକ ହେବ। ଖାଦ୍ୟକୁ ନଷ୍ଟ ନ କରିବା, ସାଇକେଲ୍ ଚଲାଇବା, ବିଦ୍ୟୁତ୍‌ର ସଠିକ୍ ବିନିଯୋଗ ସହ ନିଜ ସମାଜରେ କିପରି ନିଜକୁ ପ୍ରେରଣାର ଉତ୍ସ ଭାବେ ଗଢ଼ି ତୋଳିବା ସେଥିପାଇଁ ସର୍ବଦା ଚେଷ୍ଟା ଜାରି ରଖିବା ଦରକାର ବୋଲି ସେ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।

ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ୍ ଏଜୁକେଶନ୍ ଗ୍ରୁପ୍‌ର ପ୍ରତିଷ୍ଠାତା ବିଜୟ କୁମାର ସାହୁ କହିଲେ, ସୋନମ୍ ୱାଙ୍ଗଚୁକ୍‌ ପ୍ରଥମେ କାମ କରନ୍ତି। ପରେ ସେ କାମକୁ ଆସି ଦେଖାନ୍ତି ଯେ କିଭଳି ହେଉଛି।

ଯେଉଁମାନେ ପରୀକ୍ଷାରେ ଭଲ କରୁନାହାନ୍ତି ସେମାନଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଲୁଚି ରହିଛି। ସେଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ୱାଙ୍ଗଚୁକ୍‌ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଛନ୍ତି। ଏଭଳି ବକ୍ତବ୍ୟ ଦ୍ବାରା ଛାତ୍ରଛାତ୍ରୀ ବେଶ୍‌ ଅନୁପ୍ରାଣିତ ହେବେ ବୋଲି ଆଶା ରହିଛି। କାର୍ଯ୍ୟକ୍ରମରେ ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ଭାଇସ୍ ଚେୟାରପର୍ସନ ଶିଳ୍ପୀ ସାହୁ, ଜେନେରାଲ୍ ମ୍ୟାନେଜର୍ କମ୍ୟୁନିକେସନ୍ ଶରତ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe