ସଟ୍‌ଡାଉନ୍‌ରେ ଗୀତ ଲୋକାର୍ପିତ, ନେତା ବୋଲି କ’ଣ ସବୁ ମାଫ୍?

Advertisment
ସଟ୍‌ଡାଉନ୍‌ରେ ଗୀତ ଲୋକାର୍ପିତ, ନେତା ବୋଲି କ’ଣ ସବୁ ମାଫ୍?

ଭୁବନେଶ୍ବର : ଜଟଣୀ ବିଧାୟକ ନିୟମିତ ବ୍ୟବଧାନରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବାରେ ଲାଗିଛନ୍ତି। ସଟ୍‌ଡାଉନ୍, ଲକ୍‌ଡାଉନ୍ କଟକଣା କିଛି ମାନୁନାହାନ୍ତି। ହେଲେ ସାଧାରଣ ଲୋକଙ୍କଠାରୁ ହଜାର ହଜାର ଟଙ୍କା ଜରିମାନା ଆଦାୟ କରୁଥିବା କମିସନରେଟ୍ ପୁଲିସ୍‌ ଓ ବିଏମ୍‌ସି ନଜରରେ ବିଧାୟକ ପଡ଼ୁ ନାହାନ୍ତି। ବିଧାୟକଙ୍କ ଦେଖାଦେଖି ଏବେ ତାଙ୍କ ସମର୍ଥକମାନେ ବି କୋଭିଡ୍‌-୧୯ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିବାରେ ଲାଗିଛନ୍ତି।

ଆଜି ପୂର୍ବାହ୍ନରେ ଜୟଦେବ ଭବନ ନିକଟରେ ବିଧାୟକ ଶ୍ରୀ ରାଉତରାୟ ଅଳଙ୍କାର ମ୍ୟୁଜିକର 'ଜାଣିଛି ଜୀବନେ ଆସିବୁନି କେବେ...' ମ୍ୟୁଜିକ ସିଡିର ଲୋକାର୍ପଣ କରିଥିଲେ। ଏଥିରେ ଉକ୍ତ ଗୀତର କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ସମେତ ଅନ୍ୟ ଜଣେ ଲୋକ ଉପସ୍ଥିତ ଥିଲେ। ୫ ଜଣ ଥିବା ବେଳେ ଦୁଇ ଜଣ ମାସ୍କ ପିନ୍ଧି ନଥିଲେ। ମାସ୍କ ପିନ୍ଧିବା ନ ପିନ୍ଧିବା ଅଲଗା କଥା; ଆଜି ସଟ୍‌ଡାଉନ୍ ପାଇଁ ସାରା ରାଜ୍ୟରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଲାଗିଛି। କାହାର ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହାରି ପାରିବେନି ବୋଲି କୁହାଯାଇଛି। କିନ୍ତୁ ଏମାନେ କେଉଁ ସାହସରେ ଓ କିପରି ଲୋକସେବା ଭବନ ସମ୍ମୁଖରେ, ମୁତୟନ ହୋଇଥିବା ପୁଲିସ କର୍ମଚାରୀଙ୍କ ପଛପଟେ ଗୀତ ଲୋକାର୍ପଣ କଲେ, ସେନେଇ ପ୍ରଶ୍ନ ଉଠିଛି। ଗୀତ ଲୋକାର୍ପଣ କ'ଣ ଅତ୍ୟନ୍ତ ଜରୁରୀ କାମ ଥିଲା ଯେ ବିଧାୟକ ଏହାକୁ ଉନ୍ମୋଚନ କରିବାକୁ ଏଠାକୁ ଆସିଥିଲେ। ଶ୍ରୀ ରାଉତରାୟ ଜଣେ ବରିଷ୍ଠ ରାଜନେତା ହୋଇଥିବା ବେଳେ କିପରି ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ କଟକଣା ନିୟମକୁ ବେଖାତିର କରି ଜୟଦେବ ଭବନ ନିକଟରେ ଏହିଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେଲେ। ବିଧାୟକ ଆଜି କ'ଣ ଜରୁରୀ କାମରେ ଘରୁ ବାହାରିଥିଲେ ଯେ ପୁଲିସ ତାଙ୍କୁ ଅଟକାଇଲାନି। ନା ନେତା ବୋଲି ତାଙ୍କୁ ପୁଲିସ ଅଟକାଇନି। କେବଳ ବିଧାୟକ ନୁହେଁ, ଏହି ମ୍ୟୁଜିକ୍‌ ଆଲବମ୍‌ର କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ, ସଂଳାପକାର ରାସ୍ତାରେ ଜଗିଥିବା ପୁଲିସକୁ ଏମିତି କ'ଣ କହିଲେ ଯେ ପୁଲିସ ତାଙ୍କୁ ଛାଡ଼ିଦେଲା। ନା ବିଧାୟକ ଗୀତ ରିଲିଜ୍‌ କରିବେ ବୋଲି ସମସ୍ତେ ଜାଣିଥିଲେ।

ବିଧାୟକ ଆଜି କେବଳ ସଟ୍‌ଡାଉନ୍ ନିୟମ ଭାଙ୍ଗି ନାହାନ୍ତି। ପୂର୍ବରୁ ସେ ମାସ୍କ ପିନ୍ଧିବେନି ବୋଲି ବିଭିନ୍ନ ଗଣମାଧ୍ୟମରେ କହିଥିଲେ। ଏପରିକି ବିଭିନ୍ନ ସ୍ଥାନରେ ବିନା ମାସ୍କରେ ବୁଲୁଥିଲେ। କିନ୍ତୁ ବିଏମ୍‌ସି କି କମିସନରେଟ୍ ପୁଲିସ ତାଙ୍କଠାରୁ କେବେ ଜରିମାନା ଆଦାୟ କରିପାରିଲାନି। କାରଣ ଏଠାରେ ନେତାଙ୍କ ପାଇଁ ଗୋଟେ ନିୟମ ଓ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ନିୟମ‌ ବୋଧେ। ଅବଶ୍ୟ କରୋନାର ଦ୍ବିତୀୟ ଲହର ଭୟଙ୍କର ରୂପ ନେବା ପରେ ଏବେ ବିଧାୟକ ମାସ୍କ ପିନ୍ଧୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe