ଅଭିଯୁକ୍ତଙ୍କୁ ଜେରା ପାଇଁ ହେବ ସ୍ୱତନ୍ତ୍ର ସେଲ୍‌

Advertisment

କମିସନରେଟ ପୁଲିସର ନୂଆ ଯୋଜନା...

କମିସନରେଟ ପୁଲିସର ନୂଆ ଯୋଜନା...

ଅଭିଯୁକ୍ତଙ୍କୁ ଜେରା ପାଇଁ ହେବ ସ୍ୱତନ୍ତ୍ର ସେଲ୍‌

ଭୁବନେଶ୍ୱର: ଏଣିକି ହାର୍ଡକୋର ଅପରାଧୀଙ୍କୁ ଜେରା କରିବାକୁ କମିସନରେଟ ପୁଲିସ ମୁଖ୍ୟାଳୟ କିମ୍ବା ଡିସିପିଙ୍କ କାର୍ଯ୍ୟାଳୟକୁ ନେବାକୁ ପଡ଼ିବ ନାହିଁ। କମିସନରେଟ ପୁଲିସର ପ୍ରତ୍ୟେକ ଥାନାରେ ଅପରାଧୀମାନଙ୍କୁ ଜେରା କରିବାକୁ ଏକ ସ୍ୱତନ୍ତ୍ର ସେଲ୍‌ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର କ୍ୟାପିଟାଲ ଥାନା ଓ କଟକର ସିଡିଏ ଥାନା ଏଭଳି ସେଲ୍‌ କାର୍ଯ୍ୟକ୍ଷମ ହେବ। ଏ ନେଇ ନିର୍ମାଣ କାମ ଆରମ୍ଭ ହୋଇ ଗଲାଣି। ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ସେଲ ଅତ୍ୟନ୍ତ ଅତ୍ୟାଧୁନିକ ହେବ ବୋଲି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି। ପୁଲିସ କମିସନର ଶ୍ରୀ ଖୁରାନିଆଙ୍କଠାରୁ ମିଳିଥିବା ସୂଚନା ମୁତାବକ, ସିବିଆଇ ଓ ଅନ୍ୟାନ୍ୟ ତଦନ୍ତକାରୀ ସଂସ୍ଥାର ଯେଉଁଭଳି ସ୍ୱତନ୍ତ୍ର ସେଲ୍‌ ରହିଛି ସେହି ସମାନ ଢାଞ୍ଚାରେ ଏହି ସେଲ ଗଠନ କରାଯିବ। ସେଲ୍‌ଟି ସଂପୂର୍ଣ ଭାବେ କାଚ ଘର। ମଝିରେ ଏକ ଟେବୁଲ ରହିବ। ଅପରାଧୀ ଜଣକ ସମ୍ମୁଖ ଚୌକିରେ ବସିବେ। ତାଙ୍କ ସମ୍ମୁଖରେ ତଦନ୍ତକାରୀ ଅଫିସରଙ୍କ ଚୌକି। ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିବେ। ପୂର୍ବରୁ ଜେରାବେଳେ ପୁଲିସ ପକ୍ଷରୁ କ୍ୟାମେରାରେ ଭିଡିଓ ରେକର୍ଡିଂ କରାଯାଉଥିଲା। ଏବେ କିନ୍ତୁ ଆଉ କେହି ଭିଡିଓ ରେକର୍ଡିଂ କରିବେ ନାହିଁ। କାରଣ ସେଲ୍‌ଟି ସଂପୂର୍ଣ ସିିସି କ୍ୟାମେରା ମଧ୍ୟରେ ରହିବ। ଜେରାବେଳେ ଅଭିଯୁକ୍ତ ଦେଇଥିବା ତଥ୍ୟ (ଭିଡିଓ ଓ ଅଡିଓ)କୁ କୋର୍ଟରେ ପ୍ରମାଣ ହିସାବରେ ଉପସ୍ଥାପନ କରାଯିବ। ଅଭିଯୁକ୍ତଙ୍କ ପରିବାର ଲୋକ କିମ୍ବା ଆଇନଜୀବୀ ଚାହିଁଲେ ଜେରା ସମୟରେ ଉପସ୍ଥିତ ରହି ଜେରାର ଦୃଶ୍ୟ ଦେଖି ପାରିବେ। ଏଥିପାଇଁ କୋର୍ଟଙ୍କ ଅନୁମତି ଆଣିବାକୁ ପଡ଼ିବ।

କ୍ୟାପିଟାଲ ଓ ସିଡିଏ ଥାନାରେ ନିର୍ମାଣ ଆରମ୍ଭ

ପୁଲିସ କମିସନର ଖୁରାନିଆଙ୍କ ସୂଚନା ଅନୁଯାୟୀ ବିଭିନ୍ନ ସମୟରେ ଜେରାବେଳେ ଅଭିଯୁକ୍ତଙ୍କ ପରିବାର ଲୋକ ଅଭିଯୋଗ ଆଣୁଛନ୍ତି, ନିର୍ଯାତନା ଦିଆଯାଉଛି। ଏଭଳି ସେଲ୍‌ରେ ଜେରା କରାଯିବାବେଳେ ପରିବାର ଲୋକ ଚାହିଁଲେ କୋର୍ଟର ଅନୁମତି ନେଇ ପରବର୍ତୀ ସମୟରେ ଜେରାବେଳର ଭିଡିଓ ଦେଖି ପାରିବେ। ଏହା ଛଡ଼ା ବିଭିନ୍ନ ସମୟରେ ଅଭିଯୁକ୍ତମାନେ ଜେରାବେଳେ ପୁଲିସ ସମ୍ମୁଖରେ ସତ ମାନି ଯାଉଥିଲେ ମଧ୍ୟ କୋର୍ଟରେ ଅସ୍ୱୀକାର କରୁଥିଲେ। ଏଭଳି ସେଲ୍‌ରେ ଜେରା ହେବା ଦ୍ୱାରା ଆଉ କେହି ମିଛ କହି ପାରିବେ ନାହିଁ। ଅଭିଯୁକ୍ତମାନଙ୍କୁ ହେଉଥିବା ଜେରା ବେଳର ଭିଡିଓ କମିସନରେଟ ପୁଲିସ ମୁଖ୍ୟାଳୟରେ ମହଜୁଦ ରଖାଯିବ ବୋଲି ପୁଲିସ କମିସନର ଖୁରାନିଆ ସୂଚନା ଦେଇଛନ୍ତି। ବିଶେଷକରି ରିମାଣ୍ଡରେ ଆସୁଥିବା ଅଭିଯୁକ୍ତମାନଙ୍କୁ ଏହି ସେଲ୍‌ରେ ଜେରା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe