ରାଜ୍ୟ ସଂଗ୍ରହାଳୟରେ ସ୍ବତନ୍ତ୍ର ପ୍ରଦର୍ଶନୀ: ଉତ୍ତରପିଢ଼ି ନେତାଜୀଙ୍କୁ ଭଲ କରି ଜାଣୁ

Advertisment
ରାଜ୍ୟ ସଂଗ୍ରହାଳୟରେ ସ୍ବତନ୍ତ୍ର ପ୍ରଦର୍ଶନୀ: ଉତ୍ତରପିଢ଼ି ନେତାଜୀଙ୍କୁ ଭଲ କରି ଜାଣୁ

Odisha Tourism

ଭୁବନେଶ୍ବର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଦିବସ ପାଳନ ଅବସରରେ ରାଜ୍ୟ ସଂଗ୍ରହାଳୟ ଆଭ୍ୟନ୍ତରୀଣ ଉଦ୍ୟାନରେ ନେତାଜୀଙ୍କୁ ନେଇ ଏକ ବିଶେଷ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ବିଭାଗୀୟ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ କହିଲେ, ସ୍କୁଲରେ ପଢ଼ିବା ବେଳୁ ନେତାଜୀଙ୍କ ଭିତରେ ବିପ୍ଲବର ବହ୍ନି ଜଳିବା ଆରମ୍ଭ ହୋଇଯାଇଥିଲା। ତାଙ୍କ ଭଳି ଜଣେ ସ୍ବାଭିମାନୀ ଓଡ଼ିଆଙ୍କ ବିଷୟରେ ଉତ୍ତରପିଢ଼ି ଭଲ ଭାବେ ଜାଣିବାର ଆବଶ୍ୟକତା ରହିଛି। ଏପରି ହେଲେ, ସମସ୍ତଙ୍କ ଭିତରେ ଦେଶାତ୍ମବୋଧ ଭାବନା ଜାଗ୍ରତ ହୋଇପାରିବ। ସେ ଆହୁରି କହିଥିଲେ ଯେ ବ୍ୟକ୍ତିଗତ ସ୍ବାର୍ଥରୁ ଊର୍ଦ୍ଧ୍ବକୁ ଉଠି ରାଜ୍ୟ ତଥା ଦେଶର ସ୍ବାଧୀନତାକୁ ଅକ୍ଷୁଣ୍ଣ ରଖିପାରିଲେ, ତାହା ନେତାଜୀଙ୍କ ପ୍ରତି ଆମର ଉଚିତ ସମ୍ମାନ ହେବ।

ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ନେତାଜୀଙ୍କ ମୃତ୍ୟୁ ଏବେ ବି ରହସ୍ୟମୟ ହୋଇ ରହିଛି। ହେଲେ ତାଙ୍କ ତମାମ ଜୀବନର ଘଟଣାକୁ ଉତ୍ତରପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ଦେଶ ସ୍ବାଧୀନତା ପାଇଁ ଆବେଦନ, ନିବେଦନ ଚାଲିଥିବା ବେଳେ ସେ ସଂଗ୍ରାମ କରି ସ୍ବାଧୀନତା ଛଡ଼ାଇ ଆଣିବାକୁ ଚେଷ୍ଟା କରିଥିଲେ। ସମ୍ମାନିତ ଅତିଥି ପ୍ରଫେସର୍‌ ନିହାର ରଞ୍ଜନ ପଟ୍ଟନାୟକ କହିଲେ, ପ୍ରତ୍ୟେକ ଲୋକଙ୍କ ଭିତରେ ଦେଶପ୍ରେମକୁ ଜାଗ୍ରତ କରିବାରେ ନେତାଜୀଙ୍କ ପ୍ରମୁଖ ଭୂମିକା ରହିଛି। ଓଡ଼ିଶା ମାଟିରୁ ହିଁ ଜାତୀୟତାବାଦ ଅଙ୍କୁରୋଦ୍‌ଗମ ହୋଇଥିଲା। ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ କୁମାର ଆଚାର୍ଯ୍ୟ, ରୁଚି ଚକ୍ରବର୍ତ୍ତୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଉ‌‌ଲ୍ଲେଖଯୋଗ୍ୟ, ଏହି ପ୍ରଦର୍ଶନୀରେ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ପ୍ରଦର୍ଶିତ କରୁଥିବା ୨୨ଟି ତାମ୍ର ଖମ୍ବ, ଲାଣ୍ଟି କ୍ଲିୟର ଫଟୋ, ସାମାଜିକ ଗଣମାଧ୍ୟମରେ ନେତାଜୀଙ୍କ ଫଟୋ ସମୂହ ଓ କ୍ୟୁଆର୍‌ କୋଡ୍‌ ଆଦି ପ୍ରଦର୍ଶନୀ କରାଯାଇଛି। ଏହା ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ। ଏହାକୁ ଅଧିକ ଦିନ ରଖିବା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖକୁ ଚିଠି ଲେଖାଯିବ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe