ଭୁବନେଶ୍ୱର ସମ୍ବାଦ ସାହିତ୍ୟଘରର ବିଶେଷ ଆସର: ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ଗଳ୍ପ କହେ

Advertisment
ଭୁବନେଶ୍ୱର ସମ୍ବାଦ ସାହିତ୍ୟଘରର ବିଶେଷ ଆସର: ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ଗଳ୍ପ କହେ

ଭୁବନେଶ୍ୱର: ବର୍ଷର ସବୁଠୁ ତତଲା ଋତୁରେ ଫୁଟେ ନାଲି ଫରଫର କୃଷ୍ଣଚୂଡ଼ା। ତା’ ଉଜ୍ଜ୍ୱଳ ଓଢ଼ଣୀରେ ଅଟକେ ବାଟୋଇ। ତା’ ତେଜମୟତାରେ ଅଭିଭୂତ ହୁଏ କବି ଓ କଳାକାର। କୃଷ୍ଣଚୂଡ଼ା ଅନ୍ୟମାନଙ୍କ ପାଇଁ ଏକ ଫୁଲ ହେଇପାରେ। କିନ୍ତୁ କବି ଲେଖକଙ୍କ ପାଇଁ ସେ ସଂଘର୍ଷମୟ ବୟସ ଓ ଯୌବନର ପ୍ରତୀକ। ‘ବୟସର କୃଷ୍ଣଚୂଡ଼ା’ ଶୀର୍ଷକ ଏକ ନିଆରା ସାଂଧ୍ୟ ଆସରରେ ଯୋଗଦେଇ ଏଭଳି କହିଛନ୍ତି ଭୁବନେଶ୍ବର ‘ସମ୍ବାଦ ସାହିତ୍ୟଘର’ର ସଭାପତି ସରୋଜ ବଳ।

କଥା, କବିତା ଓ ସଙ୍ଗୀତକୁ ନେଇ ଆୟୋଜିତ ଏହି ବିଶେଷ କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ କୃଷ୍ଣଚୂଡ଼ା ପେନ୍ଥା ଦେଇ ସ୍ୱାଗତ କରିଥିଲେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ତଥା କବି ଡ. ଶୁଭଶ୍ରୀ ଲେଙ୍କା। ଏହାବ୍ୟତୀତ ଭୁବନେଶ୍ୱର ସାହିତ୍ୟଘରର ଭିନ୍ନ ଭିନ୍ନ କଳାତ୍ମକ ଆସରର ପ୍ରଭାବ କିପରି ସାରା ରାଜ୍ୟର ସାହିତ୍ୟଘର ଉପରେ ପଡ଼ୁଛି ଓ ନୂଆନୂଆ ସାହିତ୍ୟଘର ସୃଷ୍ଟି କରିବାକୁ ପ୍ରେରିତ କରୁଛି, ତାହା ସୂଚନା ଦେଇଥିଲେ। ସାହିତ୍ୟ କେବଳ ଶବ୍ଦର ମିଳନ ନହୋଇ ଭାବ ଓ ସଂପର୍କର ମିଳନର ଆଧାର ହେଉ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ କବି ପିନାକୀ ମିଶ୍ର ଯୋଗଦେଇ ‘ସାହିତ୍ୟଘର’ର ଏହି କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ତାଙ୍କ ଲିଖିତ କବିତା ପାଠ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ କବି, ଅନୁବାଦକ ତଥା ‘ବର୍ଣ୍ଣାଳୀ’ର ସଂପାଦକ ସୁରେନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଏକ କୃଷ୍ଣଚୂଡ଼ା ଆଧାରିତ ଏକ ହୃଦୟସ୍ପର୍ଶୀ ଛନ୍ଦ କବିତା ଆବୃତ୍ତି କରିଥିଲେ।

ସାହିତ୍ୟଘରର ସଂପାଦକ ଗାଳ୍ପିକ ସୁବ୍ରତ ସେନାପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ପ୍ରଖ୍ୟାତ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତିଙ୍କ ବହୁଚର୍ଚ୍ଚିତ ‘କୃଷ୍ଣଚୂଡ଼ା’ ଶୀର୍ଷକ ଗଳ୍ପଟିକୁ ନାଟକୀୟ ଢଙ୍ଗରେ ପାଠ କରିଥିଲେ ଗାଳ୍ପିକ ସୁମନ ଦାଶ। ସେହିପରି ରୁଦ୍ର ମାଧବ, ବେଦପ୍ରକାଶ ନାୟକ, ଅଂଶୁମାନ ସାହୁ, ସୁଶାନ୍ତ ମିଶ୍ର ପ୍ରମୁଖ ତରୁଣ କଥାକାରମାନେ ସ୍ୱରଚିତ ଅଳ୍ପ ଗଳ୍ପ ପାଠ କରିଥିଲେ। କବିତା ଆବୃତ୍ତି କରିଥିଲେ ଧର୍ମରାଜ ମହାମଲ୍ଲିକ, ସଂଗ୍ରାମ ମହାରଣା, ଶ୍ରୀସିକ୍ତା ଶୁଭଦର୍ଶିନୀ, ମୌସୁମୀ ଦାଶ, ସ୍ୱପ୍ନା ବେହେରା, ଅମିତ ସାହୁ, ଶୁଭଶ୍ରୀ ଶୁଭସ୍ମିତା ମିଶ୍ର, ତ୍ରିଲୋଚନ ମହାନ୍ତି ଓ ସୁବ୍ରତ ସେନାପତି। ଗଳ୍ପ ଓ କବିତା ମଝିରେ ଗୀତ ଗାଇ ଆସରକୁ ଆହୁରି ମନୋରଞ୍ଜନ ଭରା କରିଥିଲେ ଅର୍ପିତା ପତି, ସୁଶାନ୍ତ ସାହୁ, ଅନୀଲ, ଜ୍ୟୋତିରଞ୍ଜନ, ଅନ୍ତର୍ଯ୍ୟାମୀ ମିଶ୍ର, ସରୋଜ ବଳ ଓ ଅଭିନାଶ ଦାସ।

ଅନୁଷ୍ଠାନର ଉପସଭାପତି ସୁମିତ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶୁଭାଶିଷ ପଟ୍ଟନାୟକ, ଗୌରୀ ସାହୁ, ପିବିକେ କାହ୍ନା, ପ୍ରିୟଙ୍କା ରାୟ, ସୁକାନ୍ତ ମହାରଣା ପ୍ରମୁଖ ଲେଖକ ଓ ସାହିତ୍ୟାନୁରାଗୀ ଯୋଗଦେଇ ଆସରଟିକୁ ସଫଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe