ସେଲିବ୍ରିଟିଙ୍କ ନିଆରା ରଜ, କିଏ କେଉଁଠି ପାଳିବେ ରଜ

ସେଲିବ୍ରିଟିଙ୍କ ନିଆରା ରଜ, କିଏ କେଉଁଠି ପାଳିବେ ରଜ

ଓଡ଼ିଶାର ପାରମ୍ପରିକ ରଜ ପର୍ବ ଏବେ ଗଣପର୍ବ ରୂପେ ପାଳନ ହେଉଛି। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏଥିରେ ମସ୍‌ଗୁଲ ହୋଇ ପଡୁଛନ୍ତି। ବି‌ଶେଷ କରି ଏହି ପର୍ବ ଝିଅବୋହୂମାନଙ୍କର ପର୍ବ ହୋଇ ଥିବାବେଳେ ସେଲିବ୍ରିଟମାନେ ବି ଏଥିରୁ ବାଦ ପଡନ୍ତେ କିପରି? ତେବେ ସେଲିବ୍ରିଟିମାନଙ୍କ ରଜ କ’ଣ ନିଆରା। ହଁ ସେମାନେ ରଜ ପର୍ବକୁ କିଏ କିଭଳି ପାଳନ କରନ୍ତି। କିଏ ଦର୍ଶକଙ୍କ ସହ ମିଶି ରଜ ପାଳନ କରିବାକୁ ଚାହୁଁଛନ୍ତି ତ ଆଉ କିଏ ଓଡ଼ିଶା ବାହାରେ ପାଳନ କରୁଛନ୍ତି। ଆଉ କିଏ ପୋଡ ପିଠାକୁ ପରୀକ୍ଷା ନିରୀକ୍ଷା କରି ରଜକୁ ଉପଭୋଗ କରିବାକୁ ଚାହୁଁଥିବାବେଳେ ଆଉ କିଏ ଚଳଚ୍ଚିତ୍ର ରିଲିଜ ହେବାକୁ ଥିବାରୁ ତାହା ଦର୍ଶକଙ୍କୁ ରଜ ଭେଟି ଦେଇ ରଜକୁ ନିଆରା ଢଙ୍ଗରେ ପାଳନ କରୁଛନ୍ତି। ଏଭଳି କେତେକ ସେଲିବ୍ରିଟିଙ୍କୁ ଆମେ ଭେଟିଥିଲୁ। ସେମାନଙ୍କ ମୁହଁର କଥାକୁ ନେଇ ଆମର ଆଲ୍ଲେଖ୍ୟ।

ମାମୁ ଘରେ ରଜ ଉତ୍ସବ

ମୁଁ ଛୁଆ ବେଳୁ ଆଜି ଯାଏ ସବୁ ବର୍ଷ ‘ରଜ’କୁ ମୋ ମାମୁ ଘର ଫକୀରପଡ଼ାରେ ହିଁ ପାଳନ କରେ। ଗତ ଦୁଇ ବର୍ଷ କରୋନା କଟକଣାରେ ରଜ ପାଳିତ ହୋଇଥିଲେ ମଧ୍ୟ ‌ମୋତେ ସେମିତି କିଛି ଅନୁଭବ ହୋଇନାହିଁ। କାରଣ ମୋ ମାମୁ ଘରେ ଆମେ ବେଶ୍‌ ଜାକଜମକରେ ରଜ ପାଳିଥାଉ। ଗୋଟିଏ ବର୍ଷ ରଜରେ ମୋ ପ୍ରଥମ ଚଳଚ୍ଚିତ୍ର ‘ସିଷ୍ଟର ଶ୍ରୀଦେବୀ’ ମୁକ୍ତିଲାଭ କରିଥିଲା। ଚଳିତ ବର୍ଷ ବି ରଜ ଅବସରରେ ମୋ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ମୁକ୍ତିଲାଭ କରିଛି। ଏଣୁ ରଜ ମୋ ପାଇଁ ସବୁ ବେଳେ ସ୍ବତନ୍ତ୍ର।
ଶିବାନୀ ସଙ୍ଗୀତା, ଅଭିନେତ୍ରୀ

ପିଠାରେ ଚାଲିବ ପରୀକ୍ଷାନିରୀକ୍ଷା

ପୂର୍ବରୁ ରଜ ପାରମ୍ପରିକ ଶୈଳୀରେ ପାଳିତ ହେଉଥିଲା। ମୁଁ ଛୁଆ ବେଳେ ରଜକୁ ନେଇ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଭାଗ ନିଏ ଓ ପୁରସ୍କାର ଜିତି ଖୁସି ହୁଏ। ବର୍ତ୍ତମାନ ବିଭିନ୍ନ ଷ୍ଟେଜ୍‌ ସୋ’ କରି ରଜକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରୁଛୁ। ଏଥର ରଜରେ ଆମ ଘରେ ପିଠା ସ୍ବତନ୍ତ୍ର ସ୍ଥାନ ନେବ। ବିଭିନ୍ନ ପ୍ରକାର ପିଠାରେ ପରୀକ୍ଷାନିରୀକ୍ଷା କରି ଆମେ ଏଥର ରଜ ପାଳିବୁ।
ଭୂମିକା ଦାଶ, ଅଭିନେତ୍ରୀ

ଦର୍ଶକଙ୍କ ସହ ରଜ ମଉଜ

ରଜରେ ମୋର ଅନେକଗୁଡ଼ିଏ ଲାଇଭ୍ ସୋ’ ରହିଛି। ଏଣୁ ଦର୍ଶକଙ୍କ ସହ ଚଳିତ ଥର ରଜ ମଉଜ ଜମିବ। ଏଥିସହ ଏଥର ମୋତେ ଘର ଲୋକଙ୍କ ସହ ରଜ ପାଳିବାର ସୁଯୋଗ ମିଳିବ। ଅଳତା, କୁକୁମ ଲଗେଇ ପୁଣି ଛୁଆ ହେବାର ସୁଯୋଗ ମିଳିବ ଓ ପୋଡ଼ପିଠା, ମଣ୍ଡା ଓ ଚକୁଳିରେ ପୁଣି ପିଲାଦିନ ସ୍ମୃତି ଯୋଡ଼ି ହେବ।
ଶୀତଲ୍‌ ପାତ୍ର, ଅଭିନେତ୍ରୀ

ମୁମ୍ବାଇରେ ପାଳିବି ରଜ

ମୁଁ ମୁମ୍ବାଇରେ ଥିବାରୁ ଏଠିକାର ଓଡ଼ିଆ ଓ ମୋ ଅଣଓଡ଼ିଆ ବନ୍ଧୁମାନଙ୍କ ସହ ଏଥର ରଜ ପାଳିବି। ଅଣଓଡ଼ିଆମାନେ ଆମର ଏହି ପରମ୍ପରାକୁ ଖୁବ୍ ପସନ୍ଦ କରୁଥିବାରୁ ସେମାନଙ୍କ ମଧ୍ୟରେ ଆମ ପରମ୍ପରା, ପିଠା ଓ ସଂସ୍କୃତିକୁ ଚିହ୍ନାଇବାକୁ ଆମେ ଏଠାରେ ପାରମ୍ପରିକ ଶୈଳୀରେ ରଜ ପାଳନ କରିଥାଉ। ପାନ, ପୋଡ଼ପିଠା, କ୍ଷୀର ମଣ୍ଡା ସହ ଦୋଳି ଖେଳର ଆସର ଏଠାରେ ବେଶ୍ ଜମେ। ଆମେ ବୁଲାବୁଲି କରି ରଜ ୩ ଦିନକୁ ଖୁବ୍ ଉପଭୋଗ କରୁ।
ପ୍ରକୃତି ମିଶ୍ର, ଅଭିନେତ୍ରୀ

ଆସିବ ମୋ ଚଳଚ୍ଚିତ୍ର ‘ଚୋରଣୀ-୨’

ଚଳିତ ବର୍ଷର ରଜ ମୋ ପାଇଁ ଖୁବ୍ ସ୍ବତନ୍ତ୍ର। କାରଣ ରଜରେ ମୋ ନୂଆ ଚଳଚ୍ଚିତ୍ର ‘ଚୋରଣୀ-୨’ ଟିଭି ପରଦାରେ ମୁକ୍ତିଲାଭ କରିବ। ଘରେ ପରିବାର ସହ ବସି ମୋ ଚଳଚ୍ଚିତ୍ର ଦେଖିବି। ଏଥିସହ ଏଥର ରଜରେ ମୁଁ ଘରେ ରହିବି। ଦୋଳି, ପୋଡ଼ପିଠା ଓ ପାନର ମଜା ନେବି। ଗତ ୨ ବର୍ଷ କରୋନା କଟକଣା ଯୋଗୁଁ ରଜ ପାଳିନଥିବାରୁ ଏକାଥରେ ୩ ବର୍ଷର ରଜ ମଜା ଉଠାଇବି।
ସୂର୍ଯ୍ୟମୟୀ, ଚଳଚ୍ଚିତ୍ର ଅଭିନେତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe