ଭୁବନେଶ୍ବର : ଯେଉଁ ବରିଷ୍ଠ ନାଗରିକମାନେ ବୃଦ୍ଧାଶ୍ରମରେ ରହୁଛନ୍ତି କିନ୍ତୁ କରୋନା ଟିକା ନେଇପାରିନାହାନ୍ତି ସେମାନଙ୍କୁ ଆଜି ବିଏମ୍ସି ପକ୍ଷରୁ ଟିକା ଦିଆଯାଇଛି। ଏଥିପାଇଁ ଆଜି ଟଙ୍କପାଣି ରୋଡ୍ସ୍ଥିତ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମ ପରିସରରେ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଶିବିର ଆୟୋଜନ କରି ୪୦ଜଣ ବୃଦ୍ଧବୃଦ୍ଧାଙ୍କୁ ଟିକା ଦିଆଯାଇଛି। ଏଥିରେ ଶ୍ରୀକ୍ରିଷ୍ଣା ବୃଦ୍ଧାଶ୍ରମର ନୂଆଗାଁ ଏବଂ ପୁରୁଣା ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ରହୁଥିବା ଅନ୍ତେବାସୀମାନେ ଉପସ୍ଥିତ ରହି ଟିକା ନେଇଥିଲେ। ଏହାପରେ ବିଏମ୍ସି ପକ୍ଷରୁ ୟୁନିଟ-୩ସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଅନ୍ତେବାସୀମାନଙ୍କୁ ଟିକା ଦିଆଯାଇଥିଲା। ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନ୍ ଜୋନାଲ ଡେପୁଟି କମିସନର ଅଂଶୁମାନ ରଥଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ଟିକାଦାନ ଶିବିର ଆୟୋଜନ ହୋଇଥିଲା। ଗୁରୁବାର ରାଜଧାନୀର ସମସ୍ତ ସହରାଞ୍ଚଳ ଆଶ୍ରୟସ୍ଥଳୀରେ ଅସହାୟ ଲୋକମାନଙ୍କୁ ଟିକା ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ବିଏମ୍ସିର ୭ଟି ଆଶ୍ରୟସ୍ଥଳୀରେ ପ୍ରାୟ ୫୦୦ରୁ ଅଧିକ ଅସହାୟ ଅନ୍ତେବାସୀ ଅଛନ୍ତି।
ବୃଦ୍ଧାଶ୍ରମରେ ସ୍ବତନ୍ତ୍ର ଟିକାଦାନ ଶିବିର
Advertisment
Follow Us