ଆସୁଛି ଶ୍ରାବଣ, ଏଥର ବି ଶୁଭିବନି କାଉଡ଼ିଆଙ୍କ ବୋଲ୍‌ ବମ୍‌

Advertisment
ଆସୁଛି ଶ୍ରାବଣ, ଏଥର ବି ଶୁଭିବନି କାଉଡ଼ିଆଙ୍କ ବୋଲ୍‌ ବମ୍‌

ପୁରୁଣା ଭୁବନେଶ୍ୱର,୧୩/୭(ଇମିସ): କରୋନା ଭୟ ଯୋଗୁଁ ଗତ ବର୍ଷ ପରି ଚଳିତ ବର୍ଷ ଶ୍ରାବଣ ମାସରେ ଠାକୁରଙ୍କୁ ଜଳ ଲାଗି ବାରଣ କରାଯାଇଛି। ସରକାରୀ ନିଷ୍ପତ୍ତି ଅନୁଯାୟୀ ଏଥର ବି ବୋଲବମ୍‌ ଉପରେ କଟକଣା ଲଗାଯାଇଛି। ତେଣୁ ଏବର୍ଷ ବି କାଉଡ଼ିଆଙ୍କ ବୋଲ୍‌ ବମ୍‌ ହର ହର ବମ୍‌ ଶୁଣିବାକୁ ମିଳିବନି।

ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ପର୍ବପର୍ବାଣି ବନ୍ଦ ରହିଛି। ଏପରିକି ମନ୍ଦିରକୁ ଦର୍ଶନ ମଧ୍ୟ ବାରଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନଥିବା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏଣୁ ବୋଲବମ୍‌ ପାଇଁ ଅନୁମତି ଦିଆଯାଇ ନାହିଁ।
ଗତବର୍ଷ କରୋନା କଟକଣା ଲାଗି କାଉଡ଼ିଆଙ୍କ ବୋଲ୍ ବମ୍ ହର ହର ବମ୍ ଡାକ ଶୁଭିନଥିଲା। ଏବର୍ଷ ବି ଅନୁରୂପ ଅବସ୍ଥା, ବରଂ ଗତବର୍ଷ ଅପେକ୍ଷା ଚଳିତ ବର୍ଷ କରୋନା ମହାମାରୀ ଦ୍ବିତୀୟ ଲହରରେ ଅଧିକ ଭୟଙ୍କର ହୋଇଛି ଓ ଅଧିକ ମୁଣ୍ଡ ନେଇଛି। ପୁଣି ତୃତୀୟ ଲହର ବି ବଡ଼ ବିପଦ ନେଇ ଆସିବ ବୋଲି ବିଶେଷଜ୍ଞମାନେ ସତର୍କ ସୂଚନା ଦେଲେଣି। ‌ତେଣୁ ଏଭଳି ଆଶଙ୍କା ଭିତରେ ସରକାର ଏବର୍ଷ କାଉଡ଼ିଆଙ୍କୁ ଅନୁମତି ଦେଇ ନାହାନ୍ତି।

ଜୁଲାଇ ୨୩ରୁ ଶ୍ରାବଣ ଆରମ୍ଭ। ୨୬ରେ ପଡ଼ୁଛି ପ୍ରଥମ ସୋବାର ତଥା ବୋଲ୍‌ବମ୍‌ର ପ୍ରଥମ ପାଳି। ତେଣୁ କାଉଡ଼ିଆମାନେ ଶ୍ରାବଣୀ ଜଳଭାର ପାଇଁ ପ୍ରସ୍ତୁତ ଆରମ୍ଭ କରିଦେଇଥିବ‌ା ବେଳେ ସରକାରଙ୍କ ନିଷ୍ପତ୍ତି ସେମାନଙ୍କୁ ନିରାଶ କରିଛି। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ରୁକୁଣା ରଥ ଗଡ଼ିଲା। ବିନା ଭକ୍ତରେ ବିଶ୍ବ ପ୍ରସିଦ୍ଧ ବଡ଼ଦାଣ୍ଡରେ ଗୁଣ୍ଡିଚା ଯାତ ହେଲା। ଏଣୁ ବୋଲ୍‌ବମ୍‌ ପାଇଁ ଅନୁମତି ମିଳିଲା ନାହିଁ। ଏହି ଉତ୍ସବ ପାଇଁ ପ୍ରତି ଶ୍ରାବଣ ସୋମବାର ରାଜଧାନୀର ବିଭିନ୍ନ ଶୈବ ମନ୍ଦିରରେ କାଉଡ଼ିଆମାନଙ୍କ ପ୍ରବଳ ଭିଡ଼ ହୁଏ। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ମେଘେଶ୍ବର, ବ୍ରହ୍ମେଶ୍ବର, ଭାସ୍କରେଶ୍ବର, ନାଗେଶ୍ବର, ରାମେଶ୍ବର, ଗୋସାଗରେଶ୍ବର, କୁକୁଟେଶ୍ବର, କପିଳେଶ୍ବର, ସୂକ୍ଷ୍ମେଶ୍ବର, ମୁକ୍ତେଶ୍ବର, ପର୍ଶୁରାମେଶ୍ବର, ଡାକରା ବୀଭିଷଣେଶ୍ବର, ଖରାଖିଆ ବୈଦନାଥ, ତୀର୍ଥେଶ୍ବର, ଭବାନୀ ଶଙ୍କର, ଚିନ୍ତାମଣିଶ୍ବର, ଜମେଶ୍ବର ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ହୁଏ। ଏକାମ୍ର କ୍ଷେତ୍ରକୁ ଶ୍ରାବଣ ସୋମବାରର ପ୍ରତି ପାଳିରେ ୨୦ ହଜାରରୁ ୫୦ ହଜାର ବୋଲବମ୍ ଭକ୍ତ ଆସିଥାନ୍ତି। ତେଣୁ ମନ୍ଦିରରେ ସାଧାରଣ ଭାବେ ଗହଳି ହେବା ସ୍ବାଭାବିକ। କଟକ ଗଡ଼ଗଡ଼ିଆ ଘାଟରୁ ପ୍ରତି ପାଳିରେ ୫୦ ହଜାରରୁ ଅଧିକ ଲୋକ ପାଣି ଭାର ଉଠାନ୍ତି। ତେଣୁ ରାସ୍ତାଘାଟରେ ବି ଭିଡ଼ ହୁଏ। ଏବର୍ଷ ଏସବୁ ଦେଖିବାକୁ ମିଳିବ ନାହିଁ। ସରକାରଙ୍କ ଏହି ନିଷ୍ପତ୍ତି ଶ୍ରଦ୍ଧାଳୁମାନଙ୍କୁ ଯେତିକି ବ୍ୟଥିତ କରିଛି ପୂଜା ସାମଗ୍ରୀ ବେପାରୀମାନଙ୍କ ଆଶାକୁ ବି ଧୂଳିସାତ କରିଛି।

ବ୍ୟବସାୟୀ ଦେବରାଜ ସାହୁଙ୍କ କହିବା କଥା କରୋନା ଯୋଗୁଁ ବୋଲବମ୍‌ ପାଇଁ ଅନୁମତି ମିଳିଲା ନାହିଁ। ବୋଲ ବମ୍‌ ହେଲେ କିଛି ବେପାର ହେବ ବୋଲି ଆଶା ଥିଲା। ହେଲେ କରୋନା ତାହା କରାଇ ଦେଲାନାହିଁ। ଆମ ପିଲାଛୁଆ ହଇରାଣ ହେବେ। ସେବାୟତ ବିରଞ୍ଚି ନାରାୟଣ ପତି କହନ୍ତି, ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ଶ୍ରାବଣରେ ମନ୍ଦିରକୁ ପାଣି ଭାର ନେବା ବାରଣ କରାଯାଇଛି ବୋଲି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ କହିଛନ୍ତି। ଲିଙ୍ଗରାଜ ମନ୍ଦିର ପାଇଁ ବିଏମ୍‌ସି କମିସନର ସ୍ବତନ୍ତ୍ର ନିର୍ଦେଶ ଜାରି କରିବେ ବୋଲି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe