ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ: ମହକିଲା ଛପନ ଭୋଗ

ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ: ମହକିଲା ଛପନ ଭୋଗ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ଚେତନା ଭିତ୍ତିକ ସଂଗଠନ ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ ଆନୁକୂଲ୍ୟରେ ଆଜି ଜୟଦେବ ଭବନରେ ‘ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରୀୟ ଶ୍ରୀମହାପ୍ରସାଦ ମାହାତ୍ମ୍ୟ ଆଲୋଚନାଚକ୍ର, ପାରମ୍ପରିକ ଭକ୍ତି ସଂଗୀତ ପରିବେଷଣ, ମହାପ୍ରଭୁଙ୍କ ଖେଚୁଡ଼ି, କାନିକା ମହାପ୍ରସାଦ, ଘିଅ ଅନ୍ନଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପିଠା ଓ ୫୬ ଭୋଗର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବରିଷ୍ଠ ଗବେଷକ ଭାସ୍କର ମିଶ୍ରଙ୍କ ସ୍ବରଚିତ ‘ଶ୍ରୀ ପରମେଶ୍ବରଙ୍କ ଛପନ ଭୋଗ’ ଗ୍ରନ୍ଥ ଉନ୍ମୋଚିତ ହୋଇଥିଲା। ଟ୍ରଷ୍ଟର ସଭାପତି ଦଇତାପତି ରାମଚନ୍ଦ୍ର ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବେଦାନ୍ତ ଲିମିଟେଡ୍‌ର ସଭାପତି ତପନ ଚାନ୍ଦ, ମହିଳା ଓ ଶିଶୁକଲ୍ୟାଣ ବିଭାଗର ଉପଦେଷ୍ଟା ସୁମିତ୍ରା ଜେନା, ଓଟିଡିସି ଅଧ୍ୟକ୍ଷ ଲେନିନ୍‌ ମହାନ୍ତି, ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଶ୍ରୀମନ୍ଦିରର ତିନିଜଣ ବରିଷ୍ଠ ସେବାୟତ ଭଗବାନ ସୁଆର, ବୀରେନ୍ଦ୍ର ନାରାୟଣ ଗୋଚ୍ଛିକାର ଓ ରାଧାନାଥ ପ୍ରତିହାରୀଙ୍କୁ ‘ଦାରୁବ୍ରହ୍ମ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ବିଶିଷ୍ଟ ପ୍ରବଚକ ରାମଚରଣ ଦାସ ଓ ଶ୍ରୀମନ୍ଦିର ବଡ଼ସୁଆର ନିଯୋଗର ସଭାପତି ବିଶ୍ବନାଥ ସାମନ୍ତରା ଛପନ ଭୋଗ ମାହାତ୍ମ୍ୟ ଉପ‌ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଟ୍ରଷ୍ଟର ସାଧାରଣ ସମ୍ପାଦକ ଭାସ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ନନ୍ଦକିଶୋର ଜେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରବଚକ ଦେବେନ୍ଦ୍ର ଦାସ, ନିରଞ୍ଜନ ଦାଶ, କୃଷ୍ଣଚନ୍ଦ୍ର ରଥ, ଗଙ୍ଗୋତ୍ରୀ ଦେବୀ, ରାଧାବଲ୍ଲଭ ସିଂହ, ରବିନାରାୟଣ ମହାପାତ୍ର, ଦିଲ୍ଲୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe