ରାଜ୍ୟପାଳଙ୍କୁ ଶ୍ରୀଜଗନ୍ନାଥ ସେନାର ସ୍ମାରକପତ୍ର: ରତ୍ନଭଣ୍ଡାର ଖୋଲଯାଉ, ବ୍ଲୁ’ ଫ୍ଲାଗ୍‌ ବିଚ୍‌ ବନ୍ଦ ହେଉ

ରାଜ୍ୟପାଳଙ୍କୁ ଶ୍ରୀଜଗନ୍ନାଥ ସେନାର ସ୍ମାରକପତ୍ର: ରତ୍ନଭଣ୍ଡାର ଖୋଲଯାଉ, ବ୍ଲୁ’ ଫ୍ଲାଗ୍‌ ବିଚ୍‌ ବନ୍ଦ ହେଉ

ଭୁବନେଶ୍ବର: ରତ୍ନଭଣ୍ଡାର ଖୋଲିବା ସହ ୪ଦଫା ଦାବିରେ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛି ଶ୍ରୀଜଗନ୍ନାଥ ସେନା। ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ ବନ୍ଦ ରତ୍ନଭଣ୍ଡାର ତୁରନ୍ତ ଖୋଲାଯାଉ। ଏହାର ସୁରକ୍ଷା ବୃଦ୍ଧି ସହ ସମସ୍ତ ରତ୍ନ ଅଳଙ୍କାରର ଗଣତି କରାଯାଇ ଯାଞ୍ଚ ହେଉ। ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ଏମାର ମଠରୁ ଜବତ ହୋଇଥିବା ସମସ୍ତ ରୂପା ଇଟାକୁ ରତ୍ନ ଭଣ୍ଡାରକୁ ଅଣାଯାଉ। କେବଳ ଏମାର ମଠ ନୁହେଁ, ପୁରୀର ସମସ୍ତ ମଠ ସହ ଶଙ୍କରାଚାର୍ଯ୍ୟ ମଠ, ଗଜପତିଙ୍କ ଶ୍ରୀନଅରକୁ ମଧ୍ୟ ମେଟାଲ୍‌ ଡିଟେକ୍ଟର ସହାୟତାରେ ଯାଞ୍ଚ କରାଯାଉ। ମାଟି ତଳେ ପୋତି ହୋଇଥିବା ଗୁପ୍ତଧନର ସଦୁପଯୋଗ କରାନଗଲେ ତାହା ନଷ୍ଟ ହୋଇଯିବ।

ଶ୍ରୀଜଗନ୍ନାଥ ସେବାର ଜାତୀୟ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀକ୍ଷେତ୍ର ପରି ପବିତ୍ର ଧାମର ସମୁଦ୍ର କୂଳକୁ ବ୍ଲୁ’ ଫ୍ଲାଗ୍‌ ବିଚ୍‌ କରିବା ଆଦୌ ଗ୍ରହଣୀୟ ନୁହେଁ। କାରଣ ଏହା ଅନ୍ୟ ରାଜ୍ୟ ତଥା ଦେଶର ସମୁଦ୍ର ଭଳି ନୁହେଁ। ଏହା ଏକ ଧାର୍ମିକ ସମୁଦ୍ର। ପ୍ରତି ଅମାବାସ୍ୟାରେ ସ୍ବୟଂ ଜଗନ୍ନାଥ ଆସି ବୁଡ଼ ପକାନ୍ତି। ଶଙ୍କରାଚାର୍ଯ୍ୟ ଆଳତୀ କରନ୍ତି। ବାଙ୍କି ମୁହାଣ ଓ ସ୍ବର୍ଗଦ୍ବାର ବି ପାଖରେ ରହିଛି, ଯେଉଁଠାରେ ବର୍ଷତମାମ ଗଙ୍ଗା ସୁଗାର ବୁଡ଼, ଗୋବିନ୍ଦ ଦ୍ବାଦଶୀ ବୁଡ଼, କାର୍ତ୍ତିକ ପୂର୍ଣ୍ଣିମା ବୁଡ଼, ତିଳତର୍ପଣ ଆଦି କରାଯାଏ। ତେଣୁ ବ୍ଲୁ’ ଫ୍ଲାଗ୍‌ ବିଚ୍‌ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ। ଏଥିସହ ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିରର ଚାରି ଦୁଆରକୁ ଯଥାଶୀଘ୍ର ଖୋଲାଯାଉ। ଦେଶବାସୀ କିମ୍ବା ରାଜ୍ୟବାସୀଙ୍କ ପାଇଁ ସମ୍ଭବ ନ ହେଲେ, ପୁରୀବାସୀଙ୍କ ଲାଗି ଖୋଲାଯାଉ। ନଚେତ୍‌ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe