ଆରମ୍ଭ ହେଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା: ବିନ୍ଦୁସାଗରରେ ଭଉଁରି, ଜଗତିରେ ଚନ୍ଦନ ସ୍ନାନ

ଏଥର ବି ଆସିଲେନି କପିଳନାଥ, ଅବଢ଼ା ଯୋଗୁଁ ୨ଘଣ୍ଟା ବିଳମ୍ବ

ଆରମ୍ଭ ହେଲା ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା: ବିନ୍ଦୁସାଗରରେ ଭଉଁରି, ଜଗତିରେ ଚନ୍ଦନ ସ୍ନାନ

ପୁରୁଣା ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ତିଥି ଅବସରରେ ଏକାମ୍ର କ୍ଷେତ୍ରରେ ଆଜିଠୁ ଆରମ୍ଭ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ୩ ସପ୍ତାହ ଅବଧିର ଏହି ଯାତ୍ରାର ଶୁଭାରମ୍ଭ ଦେଖିବା ପାଇଁ ଆଜି ଏକାମ୍ର କ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଥିଲା। ଏହି ଅବସରରେ ପ୍ରଭୁ ବିନ୍ଦୁସାଗରରେ ଚାପ ଖେଳିବା ସହ ବିନ୍ଦୁସାଗର ମଧ୍ୟଭାଗରେ ଥିବା ଜଗତି ଉପରେ ଚନ୍ଦନ ଜଳରେ ସ୍ନାନ କରିଥିଲେ। ପରମ୍ପରା ଓ ବିଧି ଅନୁସାରେ ପ୍ରଭୁ ଲିଙ୍ଗରାଜଙ୍କ ଏହି ଯାତ୍ରା ବେଳେ ସାଙ୍ଗରେ ମା’ ପାର୍ବତୀ, ମା’ ଦୁର୍ଗା ଓ ପ୍ରଭୁ ବାସୁଦେବ ସାମିଲ୍‌ ହୋଇଥିଲେ। ମାତ୍ର ବିଧି ଓ ପରମ୍ପରା ସତ୍ତ୍ବେ ଚଳିତ ବର୍ଷ ବି ପ୍ରଭୁ କପିଳନାଥ ଏହି ଯାତ୍ରାରେ ସାମିଲ୍ ହୋଇପାରିନାହାନ୍ତି।
ଆଜି ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ ପ୍ରବଳ ଭିଡ଼ ହୋଇଥିଲା। ସନ୍ଧ୍ୟା ପ୍ରାୟ ୬ଟା ୪୫ମିନିଟ୍‌ରେ ଶ୍ରୀଲିଙ୍ଗରାଜ ମନ୍ଦିରରରେ ଯଥାରୀତି ସମସ୍ତ ନୀତିକାନ୍ତି ସମାପନ କରାଯାଇଥିଲା। ସନ୍ଧ୍ୟା ୭ଟା୨୦ରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ପ୍ରଭୁ ବାସୁଦେବ ମନ୍ଦିରରୁ ବାହାରିଥିଲେ।

ସୁସଜ୍ଜିତ ପାଲିଙ୍କି ଓ ବିମାନରେ ବିଗ୍ରହମାନଙ୍କୁ ଉପବେଶନ କରାଯାଇଥିଲା। ସିଂହଦ୍ବାରରୁ ଆରମ୍ଭ ହୋଇଥିଲା ବିଶାଳ ପଟୁଆର। ପାଲିଙ୍କି ଓ ବିମାନ ସମ୍ମୁଖରେ ବାଜୁଥିଲା ବିଭିନ୍ନ ବାଦ୍ୟ। ଘଣ୍ଟ, ଘଣ୍ଟା, କାହାଳୀ, ଦୁନ୍ଦୁଭି ନାଦ ସାଙ୍ଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ଫାଟି ପଡ଼ୁଥିଲା। ସେହିଭଳି ବିମାନ ଆଗରେ ଛତ୍ରି ଓ ତ୍ରାସ ଧରି ସେବାୟତମାନେ ଚାଲିଥିଲେ। ଶୋଭାଯାତ୍ରା ବିନ୍ଦୁସାଗର ବ୍ରହ୍ମାଘାଟ କୂଳରେ ପହଞ୍ଚିବା ପରେ ସେଠାରେ ପ୍ରସ୍ତୁତ ହୋଇ ରହିଥିବା ଚାପ ଡଙ୍ଗାରେ ପୂଜାପଣ୍ଡା ସେବାୟତ ଛେରାପହଁରା କରିଥିଲେ। ଏହା ପରେ ପାଳିଆ ବଡୁ ସେବାୟତ ଠାକୁରଙ୍କୁ ମଣେଇଥିଲେ ଓ ଦେବାଦେବୀମାନଙ୍କୁ ଚାପ ଡଙ୍ଗାରେ ଥିବା ସିଂହାସନକୁ ନିଆଯାଇଥିଲା। ସମ୍ମୁଖ ସିଂହାସନରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ବସିଥିବା ବେଳେ ପାର୍ଶ୍ବ ସିଂହାସନରେ ପ୍ରଭୁ ବାସୁଦେବ ବସି ଯାତ୍ରା କରିଥିଲେ। ବିନ୍ଦୁସାଗର ଜଗତି ନିକଟକୁ ଯିବା ପୂର୍ବରୁ ଠାକୁରଙ୍କୁ ପ୍ରଥମେ ମହନୀ ଘାଟରେ ଭୋଗ ଲାଗି କରାଯାଇଥିଲା। ତା’ପରେ ଠାକୁରମାନେ ମଠ ଘାଟରେ ଭୋଗ ଖାଇଥିଲେ। ଏହା ପରେ ୮ଘେରା ଭଉଁରି ଖେଳି ଜଗତିକୁ ଯାଇଥିଲେ।

ପୂର୍ବରୁ ଜଗତି ଉପରେ ଚନ୍ଦନ ଜଳ କୁଣ୍ଡ ପ୍ରସ୍ତୁତ ହୋଇରହିଥିଲା। ଚନ୍ଦନ, ଅଗୁରୁ, କର୍ପୁର, ମଲ୍ଲୀ ଫୁଲ, ଚମ୍ପା ଫୁଲ ପଡ଼ିଥିବା ସୁବାସିତ ଜଳ ଭର୍ତ୍ତି କୁଣ୍ଡ ଥିଲା। ଚାପ ଡଙ୍ଗାରୁ ଠାକୁରମାନଙ୍କୁ ଜଗତିକୁ ନିଆଯିବା ପରେ ସେଠାରେ ପୁଣି ନୀତିକାନ୍ତି ପୂଜା ସମାହିତ ହୋଇଥିଲା। ଏହା ପରେ ଗୋଟିଏ କୁଣ୍ଡରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗାଙ୍କୁ ରଖାଯାଇଥିବା ବେଳେ ବାସୁଦେବଙ୍କୁ ସ୍ୱତନ୍ତ୍ର କୁଣ୍ଡରେ ରଖାଯାଇଥିଲା। ବିଗ୍ରହମାନଙ୍କୁ ବେକ ପର୍ଯ୍ୟନ୍ତ ଚନ୍ଦନ ଜଳରେ ବୁଡ଼ାଇ ରଖାଯାଇଥିଲା। ଠାକୁରଙ୍କ ଚନ୍ଦନସ୍ନାନ ପରେ ପୁଣି ଚାପ ଡଙ୍ଗାରେ ବସାଇ ଭଉଁରି ଖେଳ ହୋଇଥିଲା ଓ ଠାକୁରଙ୍କୁ ମନ୍ଦିର ଅଭିମୁଖେ ଫେରାଇ ଅଣାଯାଇଥିଲା। ଫେରିବା ବେଳେ ବାଟରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗଠାରେ ଠାକୁରଙ୍କୁ ଭୋଗ ଲାଗି କରାଯାଇଥିଲା।

publive-image

ଜଗତିରେ ଅନ୍ଧାର ରାଜୁତି

ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଜଗତି ସଫେଇ କରାଯାଇଥିଲା। କିନ୍ତୁ ଜଗତିରେ ଆଲୋକୀକରଣ ହୋଇପାରିଲା ନାହିଁ। ଜଗତି ସେମିତି ଅନ୍ଧାରରେ ରହିଛି। ଆଜି ଜଗତି ଉପରେ ଠାକୁର ଅନ୍ଧାରରେ ଚନ୍ଦନ ସ୍ନାନ କରିଥିଲେ। ଏହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୂର୍ବରୁ ଏହି ଯାତ୍ରା ପ୍ରସ୍ତୁତି ବେଳେ ବିଏମ୍‌ସି ପକ୍ଷରୁ ଜଗତିକୁ ଆଲୋକୀକରଣ କରିବାକୁ କୁହାଯାଇଥିଲା। କିନ୍ତୁ ବିଏମ୍‌ସି ତା’ର ପ୍ରତିଶ୍ରୁତି ରଖିଲା ନାହିଁ ବୋଲି ଅଭିଯୋଗ ହୋଇଛି।

ଅବଢ଼ା ଯୋଗୁଁ ୨ଘଣ୍ଟା ବିଳମ୍ବ
ଆଜି ପ୍ରଥମ ଦିନ ଥିବା ସତ୍ତ୍ବେ ଚନ୍ଦନଯାତ୍ରା ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ସୁଦ୍ଧା ଠାକୁର ମନ୍ଦିରରୁ ବାହାରିବେ ବୋଲି ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା। କିନ୍ତୁ ଠାକୁର ମନ୍ଦିରରୁ ୭ଟା ୨୦ରେ ବାହାରିଥିଲେ ଓ ଚାପ ଡ଼ଙ୍ଗାରେ ପ୍ରାୟ ସାଢ଼େ ୭ଟାରେ ବିଜେ କରିଥିଲେ। ଆଜି ଅକ୍ଷୟ ତୃତୀୟା ଲାଗି ଅବଢ଼ାର ଚାହିଦା ଅଧିକ ଥିଲା। ଦ୍ବିପ୍ରହର ଧୂପରେ ଅବଢ଼ା ପୂଜା ପାଇଁ ସମୟ ଅଧିକ ଲାଗିଥିଲା। ଫଳରେ ଏଭଳି ବିଳମ୍ବ ହୋଇଥିଲା। ଆସନ୍ତାକାଲିଠୁ ଠିକଣା ସମୟରେ ଚାପ ଭଉଁରି ନୀତି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe