ପୁରୁଣା ଭୁବନେଶ୍ବର: ଶୀତଳ ଷଷ୍ଠୀ ପରେ ଆଜି ଅଷ୍ଟମୀ ତିଥି ଅବସରରେ ଲିଙ୍ଗରାଜ ମନ୍ଦିରରେ ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଚତୁର୍ଥୀ କର୍ମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଦେବଦମ୍ପତି ବ୍ରହ୍ମାଘାଟରେ ସ୍ନାନ କରିବା ସହ ଚତୁର୍ଥୀ ନୀତି କରାଯାଇଛି। ଭାରତୀ ମଠରେ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଦେବୀ ଗଇଁଠାଳ ଖୋଲିଥିବା ବେଳେ ବେହରଣମଣ୍ଡପରେ ମୁଆଁ ଭୋଗ ଲାଗି ଏବଂ ଆଡ଼କାଠ ନିକଟରେ କଉଡ଼ି ଖେଳ ଆଦି ନୀତି ସମ୍ପନ୍ନ କରାଯାଇଛି। ମନ୍ଦିରରେ ସନ୍ଧ୍ୟା ଧୂପ ପରେ ରାତି ପ୍ରାୟ ୧୦ଟାରେ ଶ୍ରୀଲିଙ୍ଗରାଜ ଓ ମା’ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ସୁସଜ୍ଜିତ ବିମାନରେ ବିଜେ କରାଇ ବାସୁଦେବ ମନ୍ଦିର ସମ୍ମୁଖସ୍ଥ ବିନ୍ଦୁସାଗର ବ୍ରହ୍ମାଘାଟକୁ ନିଆଯାଇଥିଲା।
ସେଠାରେ ଦେବଦମ୍ପତିଙ୍କୁ ସ୍ନାନ କରାଯାଇ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ଦେବଦମ୍ପତି ଅନନ୍ତ ବାସୁଦେବଙ୍କ ନିକଟକୁ ଯାଇଥିଲେ ଏବଂ ସେଠାରେ ଭୋଗ ଓ ଭେଟ ଆଳତି କରାଯାଇଥିଲା। ସେଠାରୁ ପ୍ରଭୁ ଲିଙ୍ଗରାଜ ଓ ମା’ ପାର୍ବତୀ ଭାରତୀ ମଠକୁ ବିଜେ କରଥିଲେ। ସେଠାରେ ଶ୍ରୀଲିଙ୍ଗରାଜଙ୍କ ଭଉଣୀ ମା’ କାମାକ୍ଷା ଦେବୀ ପରମ୍ପରା ଅନୁଯାୟୀ ନଣନ୍ଦ ଭାବେ ଗଇଁଠାଳ ଖୋଲିଥିଲେ। ପାଳିଆ କୁଳ ପୁରୋହିତ ଚତୁର୍ଥୀ ହୋମ କରିବା ସହ ଠାକୁର ଠାକୁରାଣୀଙ୍କ ନିକଟରେ ମୁଆଁ ଭୋଗ ଲାଗି କରାଯାଇଥିଲା। ପରେ ଆଡ଼କାଠ ନିକଟରେ ଆୟୋଜିତ ହୋଇଥିଲା କଉଡ଼ି ଖେଳ। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତ ଓ ମା’ ପାର୍ବତୀଙ୍କ ପକ୍ଷରୁ ମହାସୁଆର ପତ୍ରୀ ସେବାୟତ କଉଡ଼ି ଖେଳିଥିଲେ। ଶେଷରେ ଦେବଦେବୀ ଦକ୍ଷିଣୀ ଗୃହକୁ ବିଜେ କରିଥିଲେ।
Follow Us