ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା: ଧାର୍ଯ୍ୟ ସମୟରେ ହେବ ନୀତି

Advertisment

କମିସନରେଟ୍‌ ପୁଲିସର ପ୍ରସ୍ତୁତି ବୈଠକ, ସହଯୋଗ କରିବେ ସମସ୍ତ ନିଯୋଗ

କମିସନରେଟ୍‌ ପୁଲିସର ପ୍ରସ୍ତୁତି ବୈଠକ, ସହଯୋଗ କରିବେ ସମସ୍ତ ନିଯୋଗ

ଖୁଣ୍ଟିଆ-ମଲିଆ ସେବାୟତଙ୍କ ବିବାଦ ତୁଟିନି: ଏଥର ବି ବନ୍ଦ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ!

ଭୁବନେଶ୍ବର: ଶାନ୍ତି ଶୃଙ୍ଖଳାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ନିମନ୍ତେ କମିସନରେଟ୍‌ ପୁଲିସ ପକ୍ଷରୁ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ କେଦାରଗୌରୀ ମନ୍ଦିର ନିକଟସ୍ଥ ମା’ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ, ଶୃଙ୍ଖଳିତ ନୀତି ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଆସିବାକୁ ଥିବା ଶ୍ରଦ୍ଧାଳୁମାନେ କିପରି ଶାନ୍ତି ଶୃଙ୍ଖଳାର ସହିତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହିତ ସୁରକ୍ଷିତ ଭାବରେ ଜାଗର ପାଳନ କରିବେ, ସେହିସବୁ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶ୍ରଦ୍ଧାଳୁ ତଥା ଅନ୍ୟାନ୍ୟ ସାଧାରଣ ଲୋକମାନଙ୍କର ଯାତାୟାତରେ ଯେପରି ସମସ୍ୟା ନ ଉପୁଜିବ ସେଥିପ୍ରତି ମଧ୍ୟ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥିଲା। ପୂର୍ବ ନିର୍ଦ୍ଧାରିତ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସମସ୍ତ ସେବାୟତଙ୍କ ସହଯୋଗ ଲୋଡ଼ା ଯାଇଥିଲା।

ବୈଠକରେ ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ, ପୂଜାପଣ୍ଡା ନିଯୋଗ ଓ ସମର୍ଥା ନିଯୋଗର ପ୍ରତିନିଧିମାନେ ଉପସ୍ଥିତ ରହି ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପୁଲିସ କମିସନର ସଞ୍ଜୀବ ପଣ୍ଡା ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ବୈଠକର ଆଭିମୁଖ୍ୟ ବିଷୟରେ ଅବଗତ କରିଥିଲେ। ବୈଠକରେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଶ୍ରୀଲିଙ୍ଗରାଜ ମନ୍ଦିରର ପୂଜକ ଓ କର୍ମକର୍ତ୍ତା ତଥା ଅନ୍ୟାନ୍ୟ ବିଭାଗଗୁଡ଼ିକର କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧି, ଏନ୍‌ଜିଓ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରମୁଖ ଯୋଗ ଦେଇଥିଲେ।

କପିଳେଶ୍ବରରେ ୯ଟା ୫୬ ପରେ ଉଠିବ ମହାଦୀପ

ଭୁବନେଶ୍ବର: କପିଳେଶ୍ବର ମନ୍ଦିର ଜାଗରଯାତ୍ରା ନେଇ ଆଜି ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ବର ଉପଜିଲ୍ଲାପାଳ ଚିନ୍ମୟ ଆଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ ଯୋଗ ଦେଇଥିଲେ। ନିଷ୍ପତ୍ତି ମୁତାବକ ରାତି ୯ଟା ୫୬ ପରେ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି। ତେବେ ଖୁଣ୍ଟିଆ ସେବାୟତମାନେ ଉକ୍ତ ଦିନ ସେବାପୂଜା କରିବେ କି ନାହିଁ ଏ ସମ୍ପର୍କରେ କୌଣସି ନିଷ୍ପତ୍ତି ହୋଇନାହିଁ। ଏଥିସହ ପରମ୍ପରା ଅନୁସାରେ ହାଣ୍ଡିଭଙ୍ଗା ଯାତ ହେବା ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇ ପାରିନାହିଁ। ସୂଚନାଯୋଗ୍ୟ ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ବିବାଦ ଯୋଗୁଁ ୨୦୧୫ ମସିହାରୁ ହାଣ୍ଡିଭଙ୍ଗା ଯାତ ବନ୍ଦ ରହିଛି।

ଲିଙ୍ଗରାଜ ମନ୍ଦିର ନିକଟରେ ସଫେଇ

ପୁରୁଣା ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ମହାଶିବରାତ୍ରି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ହେବ ଲକ୍ଷାଧିକ ଲୋକଙ୍କ ସମାଗମ। ଏହା ପୂର୍ବରୁ ଆଞ୍ଚଳିକ ବିକାଶ ପରିଷଦ(ଏବିପି) ପକ୍ଷରୁ ସ୍ୱଚ୍ଛ ପରିବେଶ ପାଇଁ ଲିଙ୍ଗରାଜ ମନ୍ଦିର ନିକଟରେ ସଫେଇ କରାଯାଇଥିଲା। ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତ, ବିଷ୍ଣୁ ବିଶ୍ୱାଳ, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ପ୍ରଶାନ୍ତ ମିଶ୍ର, ବସନ୍ତ ମହାରଣା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଲିଙ୍ଗରାଜ ଜେନା, ଜିତେନ୍ଦ୍ର ଜେନା, ବୈଶାଳିନୀ ପଟ୍ଟନାୟକ, ସୁମନ୍ତ ସୁବୁଦ୍ଧି, ବନମାଳି ପାତ୍ର, ପ୍ରଦୀପ୍ତ ପ୍ରଧାନ, ସଞ୍ଜୟ ଦାସ, ମନୋରମା ବିଶ୍ୱାଳ, ରବୀନ୍ଦ୍ର କୁମାର, ଦେବରାଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe