The New Indian Express
ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଲୁଟେରାମାନେ ମାତିଛନ୍ତି। ଗତକାଲି ରାତିରେ ଦୁଇ ଦୁଇଟି କାଣ୍ଡ ଘଟାଇ ରାଜଧାନୀରେ ସେମାନଙ୍କ ଉପସ୍ଥିତି ଜାହିର୍ କରିଛନ୍ତି। ଲିଙ୍ଗରାଜ ଥାନା ବାସୁଦେବ ରିସୋର୍ଟ ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟିଥିବା ବେଳେ ଝାରପଡ଼ାସ୍ଥିତ ଗୋଲେଇ ବ୍ରିଜ୍ ନିକଟରେ ଜଣେ ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିଛନ୍ତି। ଏନେଇ ଲିଙ୍ଗରାଜ ଓ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି।
ଆଜି ଭୋର୍ ସମୟରେ ଲିଙ୍ଗରାଜ ଥାନା ବଡ଼ଦାଣ୍ଡ ସାହିର ଜ୍ୟୋତିଭୂଷଣ ଗରାବଡ଼ୁ ସାଇକେଲ୍ ଧରି ଫୁଲ ତୋଳିବା ପାଇଁ ବାହାରିଥିଲେ। ହଠାତ୍ ୩ଜଣ ଯୁବକ ତାଙ୍କୁ ବାସୁଦେବ ରିସୋର୍ଟ ପାଖରେ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ତାଙ୍କୁ ଖଣ୍ଡାରେ ୩ ଚୋଟ ପକାଇଥିଲେ। ପ୍ରାଣ ବିକଳରେ ଜ୍ୟୋତି ଦୌଡ଼ିବାରୁ ସେମାନେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ପୁଣି ଚୋଟ ମାରିଥିଲେ। କିନ୍ତୁ ଜ୍ୟୋତି ହାତ ଦେଖାଇ ଦେବାରୁ ତାଙ୍କର ହାତ ୨ ଫାଳ ହୋଇଯାଇଥିଲା। ସେ ତଳେ ପଡ଼ିଯିବା ପରେ ଲୁଟେରାମାନେ ତାଙ୍କ ପାଖରୁ ୧୫୦ଟଙ୍କା ଛଡ଼ାଇ ଚମ୍ପଟ୍ ମାରିଥିଲେ। ଜ୍ୟୋତି ଏବେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେହିଭଳି ଆଜି ଭୋର୍ ପ୍ରାୟ ୪ଟା ବେଳେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆରେ ରହୁଥିବା ମହିଳା ପରିବା ବ୍ୟବସାୟୀ ଲଳିତା ଜେନା ୟୁନିଟ୍-୪ ପରିବା ହାଟକୁ ଯାଉଥିଲେ। ସେ ଝାରପଡ଼ା ବ୍ରିଜ୍ ନିକଟରେ ଲୁଟ୍ର ଶିକାର ହୋଇଛନ୍ତି। ୪ଜଣ ଲୁଟେରା ତାଙ୍କ ସ୍କୁଟି ଆଗରେ ଓ ପଛରେ ବାଇକ୍ ଲଗାଇ ବେକରେ ଖଣ୍ଡା, ଛୁରି ଲଗାଇଥିଲେ। ଏହାପରେ ତାଙ୍କ ସ୍କୁଟି ଡିକିରୁ ୮ହଜାର ଟଙ୍କା ଓ ଏଟିଏମ୍ କାର୍ଡ ନେଇ ପଳାଇଥିଲେ। ସେମାନେ ସ୍କୁଟି ଛଡ଼ାଇ ନେବାକୁ ବସିଥିଲେ ବି ପରେ ଛାଡ଼ି ପଳାଇଥିଲେ।
Follow Us