ଆରମ୍ଭ ହେଲା ଷ୍ଟାଣ୍ଡିଂ କମିଟି ବୈଠକ: ସଂଶୋଧିତ ଆ‌ଇନକୁ ନେଇ ଅସନ୍ତୋଷ

Advertisment
ଆରମ୍ଭ ହେଲା ଷ୍ଟାଣ୍ଡିଂ କମିଟି ବୈଠକ: ସଂଶୋଧିତ ଆ‌ଇନକୁ ନେଇ ଅସନ୍ତୋଷ

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେବାକୁ ଯାଉଛି। ଷ୍ଟାଣ୍ଡିଂ କମିଟି ଅପ୍ରାସଙ୍ଗିକ ହୋଇ ରହିବା ଏକ ପ୍ରକାର ଥୟ। ଆଜି ପବ୍ଲିକ୍‌ ୱାର୍କସ୍‌ ଷ୍ଟାଣ୍ଡିଂ କମିଟି ବୈଠକରୁ ଏହା ଜଳ ଜଳ ହୋଇ ଦେଖାଯାଉଛି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ ହେଲେ ଯାଇ ଷ୍ଟାଣ୍ଡିଂ କମିଟି ଓ ମେୟରଙ୍କ ପାଖକୁ ଫାଇଲ୍‌ ଆସିବ। ଏକ କୋଟିରୁ କମ୍‌ ହେଲେ କମିସନର ହିଁ ଫାଇଲ୍‌ ଡିଲ୍‌ କରିବେ। ସଂଶୋଧିତ ସିପିଡବ୍ଲ୍ୟୁଡି କୋଡ୍‌ ଅନୁଯାୟୀ ବିଏମ୍‌ସିରେ ଏହି ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାକୁ ନେଇ ଷ୍ଟାଣ୍ଡିଂ କମିଟି ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଜିର ବୈଠକରେ ସେମାନେ ଏ ‌ନେଇ କ୍ଷୋଭ ପ୍ରକାଶ କରିଥିଲେ। ଯେହେତୁ ବିଏମ୍‌ସିରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ପ୍ରକଳ୍ପ କ୍ବଚିତ୍‌ ଥାଏ, ତେଣୁ ଷ୍ଟାଣ୍ଡିଂ କମିଟି କେବଳ ରବର ଷ୍ଟାମ୍ପ ହେବାର ଆଶଙ୍କା ଦେଖାଦେଇଛି। ଏହାକୁ ପୁନଃ ସଂଶୋଧିତ କରିବାକୁ ସଦସ୍ୟମାନେ ଦାବି କରିଥିଲେ।

କମିଟିର ଆଗାମୀ କାର୍ଯ୍ୟପନ୍ଥା ନେଇ ମେୟର ସୁଲୋଚନା ଦାସ କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। ସେ କହିଥଲେ, ବିକାଶ ମୂଳକ କାମରେ ଷ୍ଟାଣ୍ଡିଂ କମିଟିମାନଙ୍କର ଗୁରୁତ୍ବ ରହିଛି। ନିଜ ନିଜ ୱାର୍ଡରେ ରହିଥିବା ‌ଆବଶ୍ୟକତାକୁ କର୍ପୋରେଟରମାନେ ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇବେ। ଷ୍ଟାଣ୍ଡିଂ କମିଟି ଏହାକୁ ବିଏମ୍‌ସିକୁ ଅବଗତ କରାଇବ। ପରେ ସେହି ସବୁ ବିକାଶମୂଳକ କାମ ହେବ। ଫଳରେ ସମ୍ପୃକ୍ତ ୱାର୍ଡର ପ୍ରକୃତ ଚିତ୍ର ବିଏମ୍‌ସି ପାଖ‌ରେ ରହିପାରିବ। କମିଟିର ଅଧକ୍ଷ ଅମରେଶ ଜେନା କମିଟି ସଦସ୍ୟ, ଅଧିକାରୀ ଓ କର୍ମଚାରୀଙ୍କର ସହଯୋଗ କାମନା କରିଥିଲେ। ପ୍ରତ୍ୟେକ ନାଗରିକଙ୍କ ପାଖରେ କିଭଳି ସେବା ପହଞ୍ଚି ସେ ନେଇ ସମସ୍ତେ ଉଦ୍ୟମ କରିବା ଜରୁରୀ ବୋଲି କହିଥିଲେ। କମିଟିର ସଦସ୍ୟ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଜୟନ୍ତୀ ସାହୁ, ସମିତା ମହାନ୍ତି, ଶ୍ରୀଧର ବେହେରା, ସନ୍ତୋଷ କୁମାର ସିଂହ ଓ ସେକ୍ ନୁର ହାସନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିସନର କମଳାକାନ୍ତ ବେହେରା ଓ ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ।

ଅପରାହ୍‌ଣରେ ‘ଗ୍ରିଭାନ୍‌ସେସ୍ ଆଣ୍ଡ ସୋସିଆଲ ଜଷ୍ଟିସ୍‌ ଷ୍ଟାଣ୍ଡିଂ କମିଟି’ର ବୈଠକ ବସିଥିଲା। କମିଟି ଅଧ୍ୟକ୍ଷ ବିନୟିନୀ ଜେନା ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। କେବଳ ଅନ୍ ଲାଇନ୍‌ରେ ହିତାଧିକାରୀଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଉଥିବାରୁ ହିତାଧିକାରୀମାନଙ୍କୁ ଅଫିସ୍‌ ଦଉଡ଼ିବାକୁ ପଡ଼ୁନଥିବା କହିଥିଲେ। ଡେପୁଟି କମିସନର ରମେଶ ଚନ୍ଦ୍ର ଜେନା କହିଥିଲେ, କେତେକ ହିତାଧିକାରୀମାନଙ୍କର ଆକାଉଣ୍ଟକୁ ନେଇ ସମସ୍ୟା ରହିଥିଲା। ଏଣୁ ସହାୟତା ଅର୍ଥ ଯାଇ ପାରୁନଥିଲା। ସେଗୁଡ଼ିକୁ ସମାଧାନ କରାଯାଇଛି ବୋଲି ସୂଚନା ଦେଇଥି‌ଲେ। ଡେପୁଟି କମିସନର (ଗ୍ରିଭାନ୍ସ) ଗାୟତ୍ରୀ ସାମନ୍ତରାୟଙ୍କ ସମେତ ଶିବ ନାରାୟଣ ରାୟ, ଇତିଶ୍ରୀ ଦାସ, ପ୍ରଭାସିନି ମହାନ୍ତି, ଗୀତାଞ୍ଜଳି ସାହୁ ଓ ସଂଯୁକ୍ତା ସୁନ୍ଦରାୟ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ। କେବଳ ୫ ତାରିଖକୁ ଛାଡ଼ିଦେଲେ ଆସନ୍ତା ୭ ତା‌ରିଖ ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟିମାନଙ୍କର ବୈଠକ ବସିବ। ୧୦ ତାରିଖରେ ପ୍ରଥମ କର୍ପୋରେସନ ବୈଠକ ବସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe