ଆରମ୍ଭ ହେଲା ‘କମଳ ଦେଶ ରାଜକୁମାର’, ଶ୍ରୋତାଙ୍କୁ ବାନ୍ଧି ରଖିଲା ପ୍ରଫୁଲ୍ଲ ସଙ୍ଗୀତ

Advertisment
ଆରମ୍ଭ ହେଲା ‘କମଳ ଦେଶ ରାଜକୁମାର’, ଶ୍ରୋତାଙ୍କୁ ବାନ୍ଧି ରଖିଲା ପ୍ରଫୁଲ୍ଲ ସଙ୍ଗୀତ

ଭୁବନେଶ୍ବର: ଆସନ୍ତାକାଲି (ରବିବାର) ପ୍ରଫୁଲ୍ଲ କରଙ୍କ ୮୧ତମ ଜନ୍ମଦିବସ। ଏହି ଅବସରରେ ଆଜିଠାରୁ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଛି ଦୁଇ ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’। ଆଜି କାର୍ଯ୍ୟକ୍ରମକୁ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉଦ୍‌ଘାଟନ କରିଥିଲେ। ପ୍ରଫୁଲ୍ଲ କରଙ୍କ କାଳଜୟୀ ଗୀତଗୁଡ଼ିକ ସବୁ ସମୟରେ ସବୁ ପିଢ଼ିର ଶ୍ରୋତାଙ୍କୁ ଆକର୍ଷିତ କରୁଥିବ ବୋଲି ସେ କହିଥିଲେ। ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଦାଶ ବେନହୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଯୋଜକ ଡକ୍ଟର୍ ଜେନାମଣି ସଞ୍ଜୀବ କୁମାର, ସମ୍ପାଦକ ଚୌଧୁରୀ ଅମିତାଭ ଦାସ, ଆବାହକ ଗିରିଜା ଶଙ୍କର ଦାଶ ଓ ‘ସଂସ୍କାର’ର ସାଧାରଣ ସମ୍ପାଦକ ମହାଦୀପ କର ଉପସ୍ଥିତ ଥିଲେ।

ଉଦ୍‌ଘାଟନୀ ସଭା ପରେ ଆରମ୍ଭ ହୋଇଥିଲା ସଙ୍ଗୀତ ଆସର। ପ୍ରଥମ କଣ୍ଠଶିଳ୍ପୀ ଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ। ତାଙ୍କ କଣ୍ଠରେ ‘ଲୋ ଚାନ୍ଦମୁହିଁ ଗୀତ’ ଶ୍ରୋତାମାନଙ୍କୁ ଓଡ଼ିଆ ସଙ୍ଗୀତର ସେହି ସୁବର୍ଣ୍ଣ ଯୁଗକୁ ଫେରାଇ ନେଇଥିଲା। ତାଙ୍କ ପରେ ମହାପ୍ରସାଦ କର, ସଞ୍ଜୟ ମିଶ୍ର, ବିରଜା ରଥ, ଗିରିଜା ଦାଶ, ଅନ୍ତରା ଚକ୍ରବର୍ତ୍ତୀ, ସୋହିନୀ ମିଶ୍ର ଓ ଇପ୍‌ସିତା ପଣ୍ଡା ପ୍ରଫୁଲ୍ଲ କରଙ୍କ ଦ୍ବାରା ବିଭିନ୍ନ ସମୟରେ ସୃଷ୍ଟି କରାଯାଇଥିବା କାଳଜୟୀ ଗୀତଗୁଡ଼ିକୁ ପରିବେଷଣ କରି ଶ୍ରୋତାଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ। ମୁମ୍ବାଇର ଜଣାଶୁଣା କଣ୍ଠଶିଳ୍ପୀ ସାରିକା ସିଂହ ଓଡ଼ିଆ ଓ ହିନ୍ଦୀ ଗୀତ ପରିବେଷଣ କରିଥିଲେ। ନୂଆ ପିଢ଼ିର କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ ବେଳେ ମଞ୍ଚରେ ପ୍ରଫୁଲ୍ଲ କରଙ୍କ ଉପସ୍ଥିତି ଶ୍ରୋତାଙ୍କୁ ଏକ ଭିନ୍ନ ଅନୁଭବ ଦେଉଥିଲା। ସଙ୍ଗୀତ ଆସରକୁ ସଂଯୋଜନା କରିଥିଲେ ମୃତ୍ୟୁଞ୍ଜୟ ରଥ। ଫାଉଣ୍ଡେସନ୍‌ର କର୍ମକର୍ତ୍ତା ବିଶ୍ବରଞ୍ଜନ ଦାଶ, ବିମଳ ଦାସ, ସାଲୁଟ୍ ସାହୁ, କେଦାରନାଥ ରଣସିଂହ, ସଂତୃପ୍ତ ଦଳାଇ ଓ ପରେଶ ମାହୁନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆସନ୍ତାକାଲି ଦ୍ବିତୀୟ ଦିବସରେ ପ୍ରଫୁଲ୍ଲ କରଙ୍କୁ ଜନ୍ମଦିନର ସମ୍ବର୍ଦ୍ଧନା ଦିଆଯିବା ସହ ରାଜ୍ୟର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀମା‌େନ ସଙ୍ଗୀତ ପରିବେଷଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe