ଭୁବନେଶ୍ୱର: ଯଦି କେହି ଘର କି ଜମି କିଣିବା ସମୟରେ ଠକେଇର ଶିକାର ହୁଅନ୍ତି ତେବେ ଥାନାକୁ ନ ଯାଇ ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ। କର୍ତ୍ତୃପକ୍ଷ ଅଭିଯୋଗକୁ ଯାଞ୍ଚ କରିବା ପରେ ଏହାର ଶୁଣାଣି କରିବେ। ଯଦି ଏଥିରେ କେହି ସନ୍ତୁଷ୍ଟ ନ ହୁଅନ୍ତି ତେବେ ରିଅଲ୍ ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲରେ ମାମଲାର ଶୁଣାଣି ହେବ। ଏହାପରେ ଠକିଥିବା ବ୍ୟକ୍ତି ଓ ସଂସ୍ଥାକୁ ଦଣ୍ଡିତ କରାଯିବ। ଏହିଭଳି ନିୟମ ଲାଗୁ କରିବା ପାଇଁ ରାଜ୍ୟ ସରକାର ରିଅଲ ଇଷ୍ଟେଟ୍ ରେଗୁଲେଟୋରି ଅଥରିଟି (ରେରା) ଆଇନ ପ୍ରଣୟନ କରିଛନ୍ତି। ୮ମାସ ହେଲା ଆଇନ ଲାଗୁ ହେଲାଣି। ୭ମାସରୁ ଅଧିକ ହେଲା (ମେ ୧ରୁ) ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷ ବି ଗଠନ ହୋଇ ସାରିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ମାତ୍ର ଗୋଟିଏ ମାତ୍ର ମାମଲାର ଶୁଣାଣି ହୋଇଛି। ଏୟା ନୁହେଁ ଯେ, ଏହି ଗୋଟିଏ ଅଭିଯୋଗ ହୋଇଛି। ୧୫ରୁ ଅଧିକ ଅଭିଯୋଗ ଆସିଛି। କିନ୍ତୁ ଅଭିଯୋଗ ଗ୍ରହଣ କରିବା ପାଇଁ ଅଥରିଟି ଯେପରି ନିୟମ କରିଛନ୍ତି ସେପରି ଆସିନି। ଯେଉଁଥିପାଇଁ କର୍ତ୍ତୃପକ୍ଷ ମାତ୍ର ୭ରୁ ୮ଟି ଅଭିଯୋଗ ଗ୍ରହଣ କରି ବସିଛନ୍ତି। ରେରା ଆଇନ ନେଇ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରାଇ ନଥିବାବେଳେ ଅଭିଯୋଗ ଗ୍ରହଣ ପାଇଁ ହଜାରେ ଟଙ୍କା ଫି’ ଓ ଅଫଲାଇନ୍ରେ ଅଭିଯୋଗ ଦାଖଲ କରିବାକୁ ଥିବାରୁ ବହୁ ଅଭିଯୋଗକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିପାରିନାହାନ୍ତି। କେବଳ ଏତିକି ନୁହେଁ କର୍ତ୍ତୃପକ୍ଷଙ୍କ ପାଖରେ ବିଲଡର୍ କରୁଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ପଞ୍ଜୀକୃତ ହୋଇନଥିବାରୁ କର୍ତ୍ତୃପକ୍ଷ କାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କହି ଫେରାଇ ଦେଉଥିବା ଅଭିଯୋଗକାରୀ କହିଛନ୍ତି। ରେରା ଆଇନ୍ ଲାଗୁ ହେବାର ୮ମାସ ପରେ ବି ଗୋଟିଏ ମାତ୍ର ମାମଲାର ଶୁଣାଣି ହୋଇଥିବାରୁ ‘ରେରା’ ଆରମ୍ଭରୁ ହୁଗୁଳି ଗଲାଣି ବୋଲି ଚର୍ଚ୍ଚା ହେଲାଣି।
ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୪୨୦ରୁ ଅଧିକ ପ୍ରକଳ୍ପ ନିର୍ମାଣାଧୀନ ଥିବାବେଳେ ସେଥିରୁ ମାତ୍ର ୧୫ଟି ପ୍ରକଳ୍ପ ରେରାର ପଞ୍ଜୀକୃତ ନମ୍ବର ପାଇଛି। ବାକି ପ୍ରକଳ୍ପ ଏବେ ବି ବେଆଇନ୍ ଭାବେ ନିର୍ମାଣ ହେଉଛି। ଯେହେତୁ ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକଳ୍ପଗୁଡ଼ିକ ପଞ୍ଜୀକୃତ ହୋଇନି ସେଥିପାଇଁ କର୍ତ୍ତୃପକ୍ଷ କିଛି ଆକ୍ସନ ପ୍ଲାନ୍ ବି ପ୍ରସ୍ତୁତ କରିପାରୁନାହାନ୍ତି। ଏନେଇ ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଅମିୟ କୁମାର ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ରିଅଲ ଇଷ୍ଟେଟ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଗଠନ ହେବାର ତିନି ମାସ ମଧ୍ୟରେ ସମସ୍ତ ରିଅଲ ଇଷ୍ଟେଟ୍ ପ୍ରକଳ୍ପ ପଞ୍ଜୀକରଣ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁଲାଇ ୩୧ ସୁଦ୍ଧା ୨୨୦ଟି ପ୍ରକଳ୍ପ ପଞ୍ଜୀକରଣ ପାଇଁ ଆବେଦନ ପତ୍ର ଆସିଥିଲା। ହେଲେ ଏଥିରୁ ୯୮% ଆବେଦନ ପତ୍ର ଭୁଲ୍ ଭାବେ ଆବେଦନ ହୋଇଥିଲା। ଯେଉଁଥିପାଇଁ ଆମେ ଫେରାଇ ଦେଇଥିଲୁ। ଆବଶ୍ୟକ ଡକୁମେଣ୍ଟ, ପ୍ରକଳ୍ପର ସବିଶେଷ ରିପୋର୍ଟ ଦେଇ ପଞ୍ଜୀକରଣ କରିବାକୁ ସମୟ ଦେଇଥିଲୁ। ଏଥିରୁ ବର୍ତ୍ତମାନ ସୁଦ୍ଧା କିଛି ସଂସ୍ଥା ଡକୁମେଣ୍ଟ ଦେଇ ପଞ୍ଜୀକରଣ କରିଛନ୍ତି। ସେହିପରି ୨୦୦ରୁ ଅଧିକ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥା ନିର୍ଦ୍ଧାରିତ ସମୟ ପରେ ପଞ୍ଜୀକରଣ କରିବାକୁ ଆସିଥିଲେ। କିନ୍ତୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା। ସେମାନଙ୍କୁ ୨ହଜାର ଟଙ୍କା ଜରିମାନା ଦେଇ ପ୍ରକଳ୍ପ ପଞ୍ଜୀକରଣ କରିବାକୁ କୁହାଯାଇଛି। ଡିସେମ୍ବର ୩୧ସୁଦ୍ଧା ସମସ୍ତ ପ୍ରକଳ୍ପ ପଞ୍ଜୀକରଣ ହୋଇଯିବାର ସମ୍ଭାବନା ଅଛି।
ସେହିପରି ଆମ ନିକଟକୁ ପ୍ରଥମେ ୧୫ରୁ ଅଧିକ ଅଭିଯୋଗ ଚିଠି ମାଧ୍ୟମରେ ଆସିଥିଲା। କିନ୍ତୁ ଏହାକୁ ଆମେ ଫେରାଇ ଦେଇଛୁ। ସେମାନଙ୍କୁ ସମସ୍ତ ଡକୁମେଣ୍ଟ ସହ ହଜାରେ ଟଙ୍କା ଆବେଦନ ଫି’ ଦେବାକୁ କୁହାଯାଇଛି। ଯିଏ ଫି’ ଦେବେ ସେମାନଙ୍କ ଅଭିଯୋଗ ଗ୍ରହଣ ହେବ। ଆମ ନିକଟରେ ସମସ୍ତ ପ୍ରକଳ୍ପ ପଞ୍ଜୀକୃତ ହେଲେ ଆମେ ଅନଲାଇନ୍ରେ ଏହାକୁ ଛାଡ଼ିବୁ। ଏଥିପାଇଁ ସ୍ୱତନ୍ତ୍ର େଓ୍ଵବସାଇଟ୍ ନିର୍ମାଣ ହେଉଛି। ଏଥିରେ ପ୍ରକଳ୍ପର ସବିଶେଷ ତଥ୍ୟ ରହିବ। ଏହାକୁ ଦେଖି ଲୋକ ରିଅଲ ଇଷ୍ଟେଟ୍ କାରବାର କରିପାରିବେ। ବର୍ତ୍ତମାନ ସୁଦ୍ଧା ଦୁଇଟି ଅଭିଯୋଗ ନିୟମ ଅନୁଯାୟୀ ଆସିଥିବାବେଳେ ଏଥିରୁ ଗୋଟିଏ ମାମଲାର ଶୁଣାଣି ଚାଲିଛି। ବାକି ଗୋଟିଏ ଅଭିଯୋଗର ଡକୁମେଣ୍ଟ ଠିକ୍ ନଥିବାରୁ ଏହାକୁ ଦାଖଲ କରିବାକୁ ସମୟ ଦିଆଯାଇଛି। ନିୟମ ଅନୁଯାୟୀ ଆମେ ଅଭିଯୋଗ ଗ୍ରହଣର ୬୦ଦିନ ମଧ୍ୟରେ ମାମଲାର ଶୁଣାଣି କରିବୁ। ଆମ ରାୟରେ ଯଦି କେହି ଅସନ୍ତୁଷ୍ଟ ହେବେ ତେବେ ଟ୍ରିବ୍ୟୁନାଲରେ ଆବେଦନ କରିପାରିବେ।
ଗଠନ ହୋଇପାରୁନି ସ୍ଥାୟୀ ରିଅଲ ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ
ଏବେ ସୁଦ୍ଧା ସ୍ଥାୟୀ ରିଅଲ ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲ ଗଠନ ହୋଇପାରିଲାନି। ଏଥିରେ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି କିମ୍ବା ଅବସରପ୍ରାପ୍ତ ବିଚାରପତି ଅଧ୍ୟକ୍ଷ ରହିବେ। ହେଲେ କିଏ ରହିବେ ତାହା ଏପର୍ଯ୍ୟନ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ସ୍ଥିର କରିପାରିନାହାନ୍ତି। ଯେଉଁଥିପାଇଁ ଟ୍ରିବ୍ୟୁନାଲ ଗଠନ ହୋଇପାରିନି। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷ ନିଯୁକ୍ତି ହୋଇନଥିବାରୁ ବାକି ସଦସ୍ୟଙ୍କୁ ବି ନିଯୁକ୍ତି ମିଳିନି। ତେଣୁ ସେଲ୍ ଟ୍ୟାକ୍ସ ଟ୍ରିବ୍ୟୁନାଲଙ୍କୁ ଏବେ ଅସ୍ଥାୟୀ ଭାବେ ରିଅଲ ଇଷ୍ଟେଟ୍ ଆପିଲିଏଟ୍ ଟ୍ରିବ୍ୟୁନାଲର ଦାୟିତ୍ୱ ଦିଆଯାଇଛି।
କ’ଣ ରହିଛି ନିୟମ
ରେରା ଆଇନ ଅନୁଯାୟୀ, ବିନା ପଞ୍ଜୀକରଣରେ ବିଲ୍ଡରମାନେ ଜମି, ଘର ଓ ଫ୍ଲାଟ୍ ବିକ୍ରି କରି ପାରିବେ ନାହିଁ। ଡେଭଲପର୍ସ ଓ ବିଲଡର୍ସ ନିଜର ସମସ୍ତ ପ୍ରକଳ୍ପ ପାଇଁ ପ୍ରାଧିକରଣ ନିକଟରେ ପଞ୍ଜୀକୃତ ହେବାକୁ ବାଧ୍ୟତାମୂଳକ କରାଯାଇଛି। ପଞ୍ଜୀକରଣ ସମୟରେ ସେମାନେ ନିଜ ନିଜର ଠିକ ପରିଚୟ ଓ ଠିକଣା ସହ ପ୍ରକଳ୍ପ ନିର୍ମାଣ ୫ ବର୍ଷର ବିସ୍ତୃତ ତଥ୍ୟ ଦେବାକୁ ପଡିବ। ଏହି ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ହେବ। ଜଣେ ବିଲଡର୍ ବୁକିଂ ସମୟରେ ଗ୍ରାହକଙ୍କଠାରୁ ସର୍ବାଧିକ ୧୦% ଅର୍ଥ ନେଇପାରିବେ। ଆଉ ସୁପର୍ ବିଲ୍ଟଅପ୍ ଏରିଆ ନ ନେଇ କାର୍ପେଟ ଏରିଆ ଉପରେ ଗ୍ରାହକଙ୍କ ସହ ଚୁକ୍ତି କରିବେ। ବିଭିନ୍ନ ପର୍ଯ୍ୟାୟରେ ଗ୍ରାହକ ଅର୍ଥ ଭରିବେ। ରିଅଲ ଇଷ୍ଟେଟ୍ ସଂସ୍ଥା ଯେଉଁ ସମୟ ମଧ୍ୟରେ ପ୍ରକଳ୍ପ ଶେଷ କରିବେ ଓ ଘର ହସ୍ତାନ୍ତର କରିବେ ବୋଲି ଚୁକ୍ତି କରିଥିବେ ସେହି ସମୟରେ ଘର ପ୍ରଦାନ କରିବାକୁ ବାଧ୍ୟ। ନଚେତ୍ ଗ୍ରାହକ ଅଭିଯୋଗ କଲେ ତାଙ୍କ ଉପରେ ଦଣ୍ଡବିଧାନ ହେବ।
ଏହି ନିୟମ ବଳରେ ‘ରେରା’ ନିକଟରେ ଗୃହ ନିର୍ମାଣ ସଂସ୍ଥା ସବିଶେଷ ବିବରଣୀ ଯଥା ବିକଶିତ ଜମି, ଏହାର ସ୍ଥାନ ଏବଂ ପ୍ରକଳ୍ପର ନକ୍ସା ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିବ। ଏଥିସହିତ ସମ୍ପୃକ୍ତ ଗୃହ ନିର୍ମାଣକାରୀ ସଂସ୍ଥାର ଆର୍ଥିକ, ବୈଷୟିକ ଏବଂ ପରିଚାଳନାଗତ କ୍ଷମତା ସମ୍ପର୍କରେ ବି କର୍ତ୍ତୃପକ୍ଷ ଯେ କୌଣସି ସମୟରେ ଅନୁଧ୍ୟାନ କରିପାରିବେ। ଏହି ନୂଆ ଆଇନ ବଳରେ ‘ରେରା’ ଗୃହ ପାଇଥିବା ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିର୍ମାଣକାରୀ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ଅର୍ଥ, ଜରିମାନା, ସୁଧ ଓ କ୍ଷତିପୂରଣ ସଂକ୍ରାନ୍ତୀୟ ସବିଶେଷ ତଥ୍ୟ ମାଗି ପାରିବେ । ପ୍ରତ୍ୟେକ ଆର୍ଥିକ ବର୍ଷ ସରିବାର ୬ମାସ ମଧ୍ୟରେ ନିର୍ମାଣକାରୀ ସଂସ୍ଥାଗୁଡ଼ିକ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପର ଅଡିଟ ରିପୋର୍ଟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ସହର ବାହାରେ ଆଠ ମହଲାରୁ ଅଧିକ କିମ୍ବା ୫୦୦ ବର୍ଗମିଟର ଜମି ଉପରେ ନିର୍ମାଣ ହେଉଥିବା ଯେକୌଣସି ବାସପଯୋଗୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଏହି ଆଇନର ପରିସରଭୁକ୍ତ ହେବ । ଟ୍ରିବ୍ୟୁନାଲର ନିର୍ଦ୍ଦେଶକୁ ଅମାନ୍ୟ କଲେ ବିଲ୍ଡରଙ୍କୁ ତିନି ବର୍ଷ ଜେଲ୍ ଏବଂ ଆର୍ଥକ ଜରିମାନାର ବ୍ୟବସ୍ଥା ଥିବାବେଳେ ଖରିଦଦାର ଓ ମଧ୍ୟସ୍ଥିଙ୍କ ପାଇଁ ବି ବର୍ଷେ ଜେଲ୍ଦଣ୍ଡ ସହିତ ଅର୍ଥ ଜରିମାନା ନିୟମ ରହିଛି।
ବିଲଡର୍ଙ୍କୁ ‘ରେରା’ ଭୟ
/sambad/media/post_attachments/wp-content/uploads/2017/12/AAEAAQAAAAAAAAwuAAAAJGFlMmRjMDgzLWRhZWYtNDQzZi04NDdjLTZhMTFjODBlMzdkMA-300x161.jpg)
ରେରା ଆଇନ ଲାଗୁ ହେଲେ ଅଥରିଟିକୁ ଡେଭଲପର୍ସ ସମସ୍ତ ତଥ୍ୟ ଦେବାକୁ ନିୟମ ରହିଛି। ଏପରିକି ଗ୍ରାହକଙ୍କୁ ଚୁକ୍ତି ଅନୁଯାୟୀ ନିର୍ଦ୍ଧାରିତ ସମୟରେ ଘର ଯୋଗାଇ ନ ପାରିଲେ ଜେଲ୍ ଦଣ୍ଡ ସହ ଜରିମାନା ଦେବାକୁ ନିୟମ ହୋଇଥିବାରୁ ନୂଆ ଡେଭଲପର୍ସମାନେ ପୁଞ୍ଜିନିବେଶ କରିବାକୁ ଡରୁଛନ୍ତି। ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେରା ଆଇନ ଅନୁଯାୟୀ, ଡେଭଲପର୍ସ କିମ୍ବା ବିଲଡର୍ ଘର ଦେବା ପାଇଁ ଗ୍ରାହକଙ୍କ ଠାରୁ ଯେତିିକି ଅର୍ଥ ଆଣିବେ ସେଥିରେ କେତେ ନିର୍ମାଣ କଲେ, ଅର୍ଥ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ କଲେ ତା’ର ସବିଶେଷ ରିପୋର୍ଟ ଦେବାକୁ କୁହାଯାଇଛି। ଯାହା ବିଲଡର୍ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଯେଉଁଥିପାଇଁ ଏବେ କେହି ନୂଆ ପ୍ରକଳ୍ପ ଆରମ୍ଭ କରୁନାହାନ୍ତି କି ପ୍ଲାନ୍ ପାଇଁ ଆବେଦନ କରୁନାହାନ୍ତି।
Follow Us