Image Courtesy: News Nation
ଭୁବନେଶ୍ବର: ଓଡ଼ିଶା ରାଜ୍ୟ ପୂର୍ବତନ ସୈନିକ ସଂଘର ସାଧାରଣ ଅଧିବେଶନ ତଥା ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।
ଭୁବନେଶ୍ବରର ୧୨୦ ବାଟାଲିୟନ୍(ଟିଏ) ପରିସରରେ କର୍ଣ୍ଣେଲ୍ ଡକ୍ଟର ପ୍ରଶାନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ଅଧିବେଶନରେ ବ୍ରିଗେଡିୟର୍ ବରଦା ପ୍ରସନ୍ନ ପଟ୍ଟନାୟକ, ସହକାରୀ ପରିଚାଳନା ନିର୍ଦ୍ଦେଶକ (ଇସିଏଚଏସ) ବ୍ରିଗେଡିୟର୍ ଅନୁପମ୍ ଅଗ୍ରୱାଲ୍, କର୍ଣ୍ଣେଲ ବୀରେନ୍ଦ୍ର କୁମାର ବସ୍ତିଆ, ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଡାକ୍ତର ଲୋକନାଥ ସାହୁ, ଉଇଙ୍ଗ କମାଣ୍ତର ନନ୍ଦକିଶୋର ସାମଲ, ରାଜ୍ୟ ସୈନିକ ବୋର୍ଡ ସମ୍ପାଦକ କମାଡୋର୍ ଘନଶ୍ୟାମ ଓଝା ମଞ୍ଚାସୀନ ଥିଲେ। ଏହି ସାଧାରଣ ଅଧିବେଶନରେ ପୂର୍ବତନ ସୈନିକମାନଙ୍କୁ ଇସିଏଚ୍ଏସ୍ ଜରିଆରେ ମେଡିକାଲ ଚିକିତ୍ସା ସୁବିଧା ତଥା ନୂତନ ଭାବେ ପ୍ରଣୟନ କରାଯାଇଥିବା ସ୍ପର୍ଶ ପେନସନ୍ ସୁବିଧା ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କରାଯିବା ସହିତ ଏଥିରେ ଥିବା ଅସୁବିଧାର ନିରକାରଣ ନିମନ୍ତେ ଦିଗଦର୍ଶନ ପ୍ରଦାନ କରାଯାଇଥିଲା।
ଅଧିବେଶନର ୨ୟ ପର୍ଯ୍ୟାୟରେ ନିବାଚନ ଅଧିକାରୀ କର୍ଣ୍ଣେଲ ଶ୍ରୀପ୍ରକାଶ ପାଣିଙ୍କ ତତ୍ତ୍ବାବଧାନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମସ୍ତ ପଦବି ନିମନ୍ତେ କେବଳ ଗୋଟିଏ ଲେଖାଏ ପ୍ରାର୍ଥିପତ୍ର ଦାଖଲ ହୋଇଥିବାରୁ ନିର୍ବାଚନ ଅଧିକାରୀ କର୍ଣ୍ଣେଲ ପାଣି ସମସ୍ତଙ୍କୁ ଅପ୍ରତିଦ୍ବନ୍ଦ୍ବୀ ବିଜୟୀ ଘୋଷଣା କରିଥିଲେ। ବ୍ରିଗେଡିୟର୍ ଅନ୍ତର୍ଯାମୀ ପ୍ରଧାନ ସଂଘର ସଭାପତି, ଉଇଙ୍ଗ କମାଣ୍ତର ନନ୍ଦକିଶୋର ସାମଲ ବରିଷ୍ଠ ଉପ-ସଭାପତି, କର୍ଣ୍ଣେଲ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଓ ସୁବେଦାର୍-ମେଜର୍ ପ୍ରଶାନ୍ତ କୁମାର ଦାଶ ଉପସଭାପତି, କର୍ଣ୍ଣେଲ୍ ଡାକ୍ତର ପ୍ରଶାନ୍ତ କୁମାର ସିଂହ ସମ୍ପାଦକ, ସୁବେଦାର ପ୍ରଦୀପ କୁମାର ଗିରି ଓ କର୍ଣ୍ଣେଲ ଉମାକାନ୍ତ ବେହେରା ଯୁଗ୍ମ-ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ସୁବେଦାର ମେଜର୍ ନୃସିଂହ ଚରଣ ପଣ୍ତା ନିର୍ବାଚିତ ହୋଇଥିଲେ। ସେହିପରି କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଉମାକାନ୍ତ ମିଶ୍ର, ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଡାକ୍ତର ଲୋକନାଥ ସାହୁ, ସୁବେଦାର ଗୋପାଳ ଚରଣ ସ୍ବାଇଁ, ସୁବେଦାର ମାନସ ସୁନ୍ଦର ଶତପଥୀ ଓ ହାବିଦାଲଦାର ସୁଶାନ୍ତ କୁମାର ନାୟକଙ୍କୁ ନିର୍ବାଚିତ ଘୋଷଣା କରାଯାଇଥିଲା। ନବନିର୍ବାଚିତ ପରିଚାଳନା କମିଟିର ପରବର୍ତ୍ତୀ ଅଧିବେଶନରେ ଉପଦେଷ୍ଟାମଣ୍ତଳୀ, ଆଇନ ପରାମର୍ଶଦାତା ଓ ମିଡିଆ ସେଲ୍ ସଦସ୍ୟଙ୍କ ନାମ ଚୟନ କରାଯାଇ ଘୋଷଣା କରାଯିବ ବୋଲି ନବନିର୍ବାଚିତ ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଭାପତି, ସମ୍ପାଦକଙ୍କ ସମେତ ବରିଷ୍ଠ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ସଭା ପ୍ରାରମ୍ଭରେ ଦିବଂଗତ ଭେଟେରାନ୍ମାନଙ୍କ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
Follow Us