ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ନୂଆ ତାଲିକା ପାଇଁ ମାନସ ମନ୍ଥନ ଆରମ୍ଭ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ନୂଆ ତାଲିକା ପାଇଁ ମାନସ ମନ୍ଥନ ଆରମ୍ଭ

Sambad English

ଭୁବନେଶ୍ବର: ୨୦୧୯ ମସିହା ପାଇଁ ଘୋଷଣା ହୋଇଥିବା ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ର ମନୋନୟନ ତାଲିକାକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ ଏବେ ଓଡ଼ିଆ‌ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଛି। ଚଳଚ୍ଚିତ୍ର ପୁରସ୍କାର ମନୋନୟନ ପାଇଁ ନିୟୋଜିତ ହୋଇଥିବା ବିଚାରକଙ୍କ ଉପରେ ହାଇକୋର୍ଟ କୌଣସି ଆପତ୍ତି ଉଠାଇ ନଥିଲେ। ସେହି ବିଚାରକ ମଣ୍ଡଳୀକୁ ନେଇ ସାନି ତାଲିକା ପ୍ରସ୍ତୁତ କରାଯିବ ବୋଲି ଆପାତତଃ ନିଷ୍ପତ୍ତି ନିଆଯାଇଛି। ଆଇନ ବିଭାଗ ମଧ୍ୟ ଏଥିରେ ସମ୍ମତି ଜଣାଇଛି। ସଂସ୍କୃତି ବିଭାଗ ହାଇକୋର୍ଟଙ୍କ ରାୟକୁ ବିଭିନ୍ନ ଦିଗରୁ ତର୍ଜମା କରିବା ପରେ ଆଜି ବିଚାରକ ମଣ୍ଡଳୀର ସଦସ୍ୟକୁ ଡାକି ପ୍ରାରମ୍ଭିକ ଆଲୋଚନା କରିଛି।

କିପରି ଢଙ୍ଗ‌ରେ ସାନି ମନୋନୟନ ତାଲିକା ପ୍ରସ୍ତୁତ କରାଯିବ, ତାହା ଏବେ ବିଭାଗ ପାଇଁ ବଡ଼ ଆହ୍ବାନ। ଏଥି ପାଇଁ ଦୁଇଟି ବିକଳ୍ପ ବାଟ ସଂସ୍କୃତି ବିଭାଗ ସାମ୍ନାରେ ରହିଛି। ପ୍ରଥମତଃ ଆଗରୁ ମନୋନୀତ ପୁରସ୍କାର ତାଲିକାକୁ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯାଇ ପୁଣି ଥରେ ବିଚାରକମାନେ ଚଳଚ୍ଚିତ୍ର ଦେଖି ମୂଲ୍ୟାୟନ କରିବେ। ଦ୍ବିତୀୟତଃ କେବଳ ନକଲ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲ୍‌ମାଲ୍ ଲଭ୍‌’ ପାଉଥିବା ବର୍ଗର ପୁରସ୍କାରକୁ ରଦ୍ଦ କରି ପୁଣି ସେହି ସବୁ ବର୍ଗ ପାଇଁ ନୂଆ ତାଲିକା ପ୍ରସ୍ତୁତ କରାଯିବ। ଏ ସମ୍ପର୍କରେ ଆଲୋଚନା ଓ ମତାମତ ସଂଗ୍ରହ କରାଯାଇଥିଲେ ମଧ୍ୟ କିଛି ନିଷ୍କର୍ସ ବାହାରି ପାରିନାହିଁ। ଖୁବ୍‌ଶୀଘ୍ର ସଂସ୍କୃତି ବିଭାଗ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ଯେହେତୁ ସାନି ତାଲିକା ପାଇଁ ହାଇକୋର୍ଟ ଏକ ମାସ ସମୟସୀମା ଦେଇଛନ୍ତି, ତେଣୁ ତାହାରି ଭିତରେ ତାଲିକା ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

ବିଚାରକମଣ୍ଡଳୀ ବଦଳିବେ ନାହିଁ
ଏକ ମାସ ମଧ୍ୟରେ ସାନି ତାଲିକା ପ୍ରସ୍ତୁତି ବଡ଼ ଆହ୍ବାନ

ସୂଚନାଯୋଗ୍ୟ, ‘ଖୁସି’ ଚଳଚ୍ଚିତ୍ର ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ସଂପାଦନା ଓ ଶ୍ରେଷ୍ଠ ଶିଶୁ କଳାକାର ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ‘ଗୋଲ୍‌ମାଲ୍‌ ଲଭ୍‌’ ଶ୍ରେଷ୍ଠ ହାସ୍ୟ କଳାକାର ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲା। ଏହି ଦୁଇଟି ଚଳଚ୍ଚିତ୍ର ଅନ୍ୟ ଭାଷାର ଚଳଚ୍ଚିତ୍ରର ନକଲ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

ହାଇକୋର୍ଟଙ୍କ ଭତ୍ସନା ପରେ ଏବେ ସଂସ୍କୃତି ବିଭାଗ କେବଳ ନୂଆ ତାଲିକା‌ ଘୋଷଣା କରି ଚୁପ୍‌ ବସିଯିବ କି ଆଗକୁ ପୁରସ୍କାର ଚୟନରେ ଯେଭଳି ଅଧିକ ସ୍ବଚ୍ଛତା‌ ବଜାୟ ରୁହେ ସେ ଦିଗରେ ଉଚିତ ପଦକ୍ଷେପ ନେବ ତାହା ଏବେ ଦେଖିବାକୁ ବାକି ରହିଲା। ନକଲ ଚଳଚ୍ଚିତ୍ର ପୁରସ୍କାର ଚୟନ ପ୍ରକ୍ରିୟାରେ ସାମିଲ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଥିବା ବେଳେ ମିଛ ସତ୍ୟପାଠ ଦାଖଲ କରି ପୁରସ୍କାର ହାତେଇ ଥିବା ପ୍ରଯୋଜକଙ୍କ ବିରୁଦ୍ଧରେ ବିଭାଗ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ? ସେମାନଙ୍କୁ କଳା ତାଲିକାଭୁକ୍ତ କରାଯିବ କି? ଆଗକୁ ପୁରସ୍କାର ପ୍ରକ୍ରିୟାରେ ଯେପରି ଏଭଳି ଅସଙ୍ଗତି ‌ନ ଦେଖାଯାଏ, ସେ ନେଇ ସଂସ୍କୃତି ବିଭାଗ କି ପଦକ୍ଷେପ ନେବ? ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଏମିତି ମାଳ ମାଳ ପ୍ରଶ୍ନ ଉଙ୍କି ମାରୁଥିଲା ବେଳେ ସଂସ୍କୃତି ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ୨୦୧୯ର ପୁରସ୍କାର ପ୍ରଦାନ କରାଯାଇ ନଥିବାରୁ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ମଧ୍ୟ ପୁରସ୍କାର ପ୍ରକ୍ରିୟା ଆରମ୍ଭ ହୋଇପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe