ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ, ସୁରଭି ଏକ ସୁଯୋଗ, ଛାତ୍ରଛାତ୍ରୀମାନେ ଉପଯୋଗ କରନ୍ତୁ

Advertisment
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ, ସୁରଭି ଏକ ସୁଯୋଗ, ଛାତ୍ରଛାତ୍ରୀମାନେ ଉପଯୋଗ କରନ୍ତୁ

ଭୁବନେଶ୍ବର: ଶିଶୁ ଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୯ସ୍ଥିତ ସରକାରୀ ବାଳକ ବିଦ୍ୟାଳୟ‌ରେ ଆଜି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସହ ନିଜର ଅନ୍ତର୍ନିହିତ ଗୁଣକୁ ବାହାରକୁ ଆଣିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଦକ୍ଷତାର ପରିପ୍ରକାଶ ପାଇଁ ‘ସୁରଭି’ ଏକ ସୁଯୋଗ ସୃଷ୍ଟି କରିଆସୁଛି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଏଠାରୁ କିଛି ଆହରଣ କରିବା ସହ ତାକୁ ନିଜ ଜୀବନରେ ଉପଯୋଗ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଯେ ଯେଉଁ ରାଜ୍ୟର ଶିକ୍ଷା ଯେତିକି ଆଗେଇଛି, ସେ ରାଜ୍ୟ ସେତିକି ଉନ୍ନତି କରିଛି। ତେଣୁ ଓଡ଼ିଶାରେ ମଧ୍ୟ ଶିକ୍ଷାକୁ ଅଗ୍ରାଧିକାର ଦିଆଯାଇ ସ୍ମାର୍ଟକ୍ଲାସ୍‌, ସ୍ମାଟ୍‌ ଲାଇବ୍ରେରି ଭଳି ଏକାଧିକ ବ୍ୟବସ୍ଥା କରାଯାଇଛି। ନିଜକୁ କାହାଠାରୁ କମ୍‌ ବୋଲି ନ ଭାବି ଆଗକୁ ବଢ଼ିବାକ ସେ ପରାମର୍ଶ ଦେଇଥିଲେ।

ନିଜ ଲକ୍ଷ୍ୟ ନିର୍ଦ୍ଧାରଣ କରି ତାକୁ ପୂରଣ କରିବା ପାଇଁ ସମସ୍ତେ ପ୍ରତିଜ୍ଞା‌ବଦ୍ଧ ହେବାକୁ ଭୁବନେଶ୍ବର ମେୟର ସୁଲୋଚନା ଦାସ କହିଥିଲେ। ବିଭାଗୀୟ କମିସନର୍‌ ତଥା ଶାସନ ସଚିବ ଅଶ୍ୱଥୀ ଏସ୍‌ କହିଲେ ଯେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଅନୁଷ୍ଠାନର ମୂଳଲକ୍ଷ୍ୟ। ଏହାକୁ ସଫଳ କରିବାକୁ ହେଲେ ସମସ୍ତଙ୍କୁ ଏକାଠି ହୋଇ ସହଯୋଗ ଓ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ପଡ଼ିବ।

କାର୍ଯ୍ୟକ୍ରମରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବର୍ଜ୍ୟବସ୍ତୁରୁ ସୃଜନୀ କଳା, ମନର ଚିତ୍ରକୁ ମାଟିରେ ରୂପଦେବା, ଚିତ୍ରକଳା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦି ଉପରେ କର୍ମଶାଳା କରାଯାଇଛି। ଏହାବ୍ୟତୀତ ଏହି ପ୍ରଦର୍ଶନୀରେ ଶିକ୍ଷା ସଂପର୍କିତ ୨୪ଟି ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପିଲାମାନଙ୍କ ପାଇଁ ପ୍ରଦର୍ଶିତ ହୋଇଛି। ଏଥିରେ ରାଜ୍ୟର ୩୦ଟି ଜିଲ୍ଲାରୁ ପ୍ରତି ବିଭାଗ ପାଇଁ ଜିଲ୍ଲାସ୍ତରରେ ଜଣେ ଲେଖାଏ ଛାତ୍ରଛାତ୍ରୀ ମନୋନୀତ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ। ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe