ଆରମ୍ଭ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ: ଶୋଭା ପାଉଛି ୩୦୦ ପ୍ରଜାତିର ଫୁଲ, ‌କୋଭିଡ୍‌ ପାଇଁ ଦର୍ଶକ ମରୁଡ଼ି

Advertisment
ଆରମ୍ଭ ହେଲା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ: ଶୋଭା ପାଉଛି ୩୦୦ ପ୍ରଜାତିର ଫୁଲ, ‌କୋଭିଡ୍‌ ପାଇଁ ଦର୍ଶକ ମରୁଡ଼ି

ଭୁବନେଶ୍ବର: ଫୁଲରେ ସଜେଇ ହେଇଛି ବଟାନିକ୍ ଗାର୍ଡେନ୍(ଏକାମ୍ରକାନନ)। ଗୋଲାପ, ସୂର୍ଯ୍ୟମୁଖୀ, ପିଟୁନିଆ, କାଲେଣ୍ଡୁଲା, ଜିନିଆ, ଜାର୍‌ଭେରା, ଗ୍ଲାଡିଓଲି, ଡାଲିଆ, ଗେଣ୍ଡୁ ପରି ଭଳିକି ଭଳି ଫୁଲର ସମ୍ଭାରରେ ଛାଇ ଯାଇଛି ଉଦ୍ୟାନ। ମନୋରମ ପରିବେଶ ସାଙ୍ଗକୁ ଫୁଲର ହାଲ୍‌କା ସୁଗନ୍ଧ ଉଦ୍ୟାନର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି। କିନ୍ତୁ ଏହି ଅପରୂପ ସୌନ୍ଦର୍ଯ୍ୟ ଓ ମହକକୁ ଉପଭୋଗ କରିବା ପାଇଁ ହାତଗଣତି କିଛି ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା। ୩୩ ତମ ରାଜ୍ୟସ୍ତରୀୟ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଏକାମ୍ରକାନନ ଖାଁ ଖାଁ ରହିଥିଲା। କରୋନା ପାଇଁ ଏ ବର୍ଷ ଲୋକଙ୍କ ଭିଡ଼ ନଥିବା କୁହାଯାଉଛି। ତେବେ ଆସନ୍ତାକାଲି ରବିବାର ଓ ପ୍ରଦର୍ଶନୀର ଅନ୍ତିମ ଦିବସ ଥିବାରୁ ଦର୍ଶକଙ୍କ ସଂଖ୍ୟା‌ରେ ବୃଦ୍ଧି ଘଟିବ ବୋଲି ଆୟୋଜକ ଆଞ୍ଚଳିକ ଉଦ୍ଭିଦ ସଂପଦ କେନ୍ଦ୍ର(ଆର୍‌ପିଆର୍‌ସି) ଆଶାବାଦୀ ଅଛି।

ପ୍ଲାଣ୍ଟ୍ ଲଭର୍ସ ଆସୋସିଏସନ୍‌(ପିଏଲ୍‌ଏ)ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ପ୍ରାୟ ୩ଶହରୁ ଅଧିକ ପ୍ରଜାତିର ଫୁଲ ଶୋଭା ପାଉଛି। ତେବେ ଫୁଲରେ ତିଆରି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପ୍ରଦର୍ଶନୀର ଆକର୍ଷଣର କେନ୍ଦ୍ର ପାଲଟିଛି। ସମୁଦାୟ ୧୦ଟି ସଂସ୍ଥା, ଫାର୍ମ ଓ ନର୍ସରି ଚଳିତଥର ଗାର୍ଡେନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ଫୁଲ ଓ ପତ୍ରକୁ ସୁସଜ୍ଜିତ କରି ପ୍ରଦର୍ଶିତ କରିଥିଲେ। ‘ଅର୍କିଡ୍‌’ର ଏକ ନୂଆ ବିଭାଗ ସ୍ବତନ୍ତ୍ର ଖୋଲିଥିବା ବେଳେ ସେଥିରେ କ୍ୟାଟଲେୟ ଡେଣ୍ଡ୍ରୋବିୟମ୍ ଓ ଭାଣ୍ଡା ଭଳି ୨୦ରୁ ଊର୍ଦ୍ଧ୍ବ ପ୍ରଜାତିର ଫୁଲ ପ୍ରଦର୍ଶିତ ହେଉଛି।
ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସ୍ମରଣିକା ‘ସବୁଜିମା’ ଲୋକାର୍ପିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ଜଙ୍ଗଲ ବିଭାଗର ମୁଖ୍ୟ ବନ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ଆର୍‌ପିଆର୍‌ସିର ମୁଖ୍ୟ ପରିଚାଳିକା ପୁସାଝୁଲେ ମେକ୍ରୋ, ପିଏଲ୍‌ଏର ସଭାପତି କ୍ଷୀରୋଦ ପଟ୍ଟନାୟକ ଯୋଗ ଦେଇଥିଲେ। ଆସନ୍ତାକାଲି ଗାର୍ଡେନ୍‌ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe