ଚନ୍ଦ୍ରଶେଖରପୁର: ଶୁଦ୍ଧ ଓଡ଼ିଆ ଗୀତ ଆମର ଗର୍ବ। ପୁରୁଣା ଗୀତ ସବୁ ଥିଲା ଶୁଦ୍ଧ ଓଡ଼ିଆ ଭାଷାର ପ୍ରତିଫଳନ। ଆଜି ବି ସେଦିନର ସେଇ କାଳଜୟୀ ଗୀତସବୁ ଆମ ମନରେ ଶିହରଣ ଖେଳାଇ ଦିଏ। ତେଣୁ ଆଜିର ଯୁବ ପିଢ଼ି ସେହିଭଳି ଗୀତ ଗାଇବାକୁ ସାଧନା କରିବା ଉଚିତ। ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟସ୍ତରୀୟ ମହମ୍ମଦ ସିକନ୍ଦର ଆଲମ୍ ସଂଗୀତ ପ୍ରତିଯୋଗୀତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ ଏଭଳି କହିଛନ୍ତି।
ସିକନ୍ଦର ଆଲମ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପୁରୁଣା କଣ୍ଠଶିଳ୍ପୀମାନଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଆ ସଂଗୀତକୁ ଚିରସୁନ୍ଦର କରିଥିବା ସିକନ୍ଦର୍ ଆଲମ୍ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିକନ୍ଦର ଆଲମ୍ଙ୍କ ପତ୍ନୀ ନଇମାା ଆଲମ୍, ଦୁଇ ଝିଅ ତଥା ଅଭିନେତ୍ରୀ ସୋଫିଆ ଆଲମ୍ ଓ କଣ୍ଠଶିଳ୍ପୀ ନାଜିଆ ଆଲମ୍, ଓଲିଉଡ୍ ଅଭିନେତା ସୁକାନ୍ତ, ସଂଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍ ଏବଂ ବିଭୁକିଶୋର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବିଭାଗରେ ପ୍ରତିଯୋଗୀମାନେ ସିକନ୍ଦର ଆଲମ୍ ଗାଇଥିବା ଗୀତ ଗାଇଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀମାନେ ଏଥିରେ ସାମିଲ୍ ହୋଇଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
Follow Us