ଚନ୍ଦ୍ରଶେଖରପୁର : ରାଜ୍ୟରେ ଛତୁ ଫୁଟିବା ଭଳି ବୃଦ୍ଧି ପାଉଥିବା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଆଇନଗତ ବ୍ୟବସ୍ଥା ଜରୁରୀ। ଏଥିନିମନ୍ତେ ଏକ ବେସରକାରୀ ଶିକ୍ଷାନୁଷ୍ଠାନ ନିୟନ୍ତ୍ରଣ ଆଇନ ଆଣିବା ପାଇଁ ‘ଚିଠା ପ୍ରସ୍ତାବ’ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଆଜି ସିଓ୍ଵାଇଏସ୍ଡିରେ ଓଡ଼ିଶା ନାଗରିକ ସମାଜ, ସିଫାର, ସ୍ନେହ, ଓଡ଼ିଶା ବେସରକାରୀ ଅଭିଭାବକ ସଂଘ, ରାଷ୍ଟ୍ରୀୟ ଯୁବ ସମାଜ, ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ, ଆନାଲିଟିକ୍ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ସର୍ବସମ୍ମତିରେ ଏପରି ମତ ପ୍ରକାଶ ପାଇଛି। ‘ଓନାସ’ର ସଭାପତି କିରଣ ଶଙ୍କର ସାହୁଙ୍କ ସଭାପତିତ୍ୱରେ ଏହି କର୍ମଶାଳାରେ ଆବାହକ ସଂଯୁକ୍ତା ପାଣିଗ୍ରାହୀ ରାଜ୍ୟରେ ଆଇନଗତ ବ୍ୟବସ୍ଥା ଅଭାବ କାରଣରୁ ଘରୋଇ ବିଦ୍ୟାଳୟଗୁଡ଼ିକ ଅଭିଭାବକମାନଙ୍କୁ ଶୋଷଣ କରୁଥିବା ମତ ଦେଇଥିଲେ। ତ୍ରିପୁରା, ଗୁଜୁରାଟ, ମିଜୋରାମ, କର୍ଣ୍ଣାଟକ, କେରଳ ଆଦି ରାଜ୍ୟରେ ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ ପାଇଁ ଆଇନ ରହିଛି। ମାତ୍ର ଓଡ଼ିଶାରେ ନ ଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶୋଷଣର ଶିକାର ହେଉଥିବା ଓନାସର ପ୍ରତିଷ୍ଠାତା ଡ. ଭଗବାନ ପ୍ରକାଶ କହିଥିଲେ। କର୍ମଶାଳାରେ ପ୍ରାକ୍ତନ ବିଚାରପତି ହୃଦୟ ବଲ୍ଲଭ ଦାସ, ଉମାଚରଣ ମିଶ୍ର, ଆଇନଜୀବୀ ସୁଧୀର ମହାନ୍ତି, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ, ମହେନ୍ଦ୍ର ପରିଡ଼ା, ପ୍ରଦୀପ୍ତ ନାୟକ, ଶ୍ରୀ ଜଗଦାନନ୍ଦ, ଜଗବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଭାଗ ନେଇଥିଲେ। ଓନାସ ପକ୍ଷରୁ ଶ୍ରୀନିବାସ ମହାନ୍ତି, ସଚ୍ଚିକାନ୍ତ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କ୍ଷେତ୍ରରେ କଡ଼ା ଆଇନ ଜରୁରୀ
Advertisment
Follow Us