ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୬୧ ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୯ ତାରିଖରେ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଦିନ ସଂଗ୍ରହାଳୟକୁ ପ୍ରବେଶ ଦେୟମୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ତା ସହିତ ନୂତନ ଲୋଗୋ ମଧ୍ୟ ଉନ୍ମୋଚିତ ହେବାକୁ ସ୍ଥିର କରାଯାଇଛି। ଏହି ଅବସରରେ ଚାରୁ ଓ କାରୁ କଳା ପ୍ରଦର୍ଶନୀ ସହ କର୍ମଶାଳା ଆୟୋଜିତ ହେବ। ଢୋକରା, ଟେରାକୋଟା, ପଟ୍ଟଚିତ୍ର, ହସ୍ତତନ୍ତ ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ କରାଯିବ। ଗଡ଼ ରୂପସାର ପୂର୍ବତନ ଜମିଦାର ପୁରୁଷୋତ୍ତମ ରାୟଙ୍କ ପରିବାର ବ୍ୟବହୃତ ପ୍ରାଚୀନ ସିନ୍ଦୁକ, ରେଢ଼ାଖୋଲ ରାଜ ପରିବାର ଦ୍ବାରା ପ୍ରଦତ୍ତ କେତେକ ପ୍ରାଚୀନ କଳା ସାମଗ୍ରୀ ଓ ଅନ୍ୟାନ୍ୟ ସଂଗୃହୀତ ସାମଗ୍ରୀକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହେବ। ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲର ନୂତନ ସଂଖ୍ୟା ମଧ୍ୟ ଉନ୍ମୋଚିତ ହେବାକୁ ସ୍ଥିର କରାଯାଇଥିବା ସଂଗ୍ରହାଳୟର ଅଧୀକ୍ଷକ ଜୟନ୍ତୀ ରଥ ସୂଚନା ଦେଇଛନ୍ତି। ଏହି ଦିବସ ପାଳନ ଅବ୍ୟବହିତ ପୂର୍ବରୁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଜି ‘ସାମ୍ପ୍ରତିକ ସମାଜରେ ଗାନ୍ଧୀବାଦର ପ୍ରାସଙ୍ଗିକତା’ ଶୀର୍ଷକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀଙ୍କୁ ୨୯ ତାରିଖରେ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବରେ ପୁରସ୍କୃତ କରାଯିବ।
ରାଜ୍ୟ ସଂଗ୍ରହାଳୟର ପ୍ରତିଷ୍ଠା ଦିବସ ୨୯ରେ: ଦେୟ ମୁକ୍ତ ହେବ ପ୍ରବେଶ
Advertisment
Follow Us