୩୧ରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ

Advertisment
୩୧ରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ

ଭୁବନେଶ୍ବର: ଆସନ୍ତା ୩୧ ତାରିଖ ଦିନ ଜୟଦେବ ଭବନ ଠାରେ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ, ଶୋଭାଯାତ୍ରା, ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବ। ଏନେଇ ହୋଟେଲ କେଶରୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ଏକ ହଜାରରୁ ଅଧିକ ମହିଳା ପାଇକ ବାହିନୀ ପାଇକ ଆଖଡ଼ା ପ୍ରଦର୍ଶନ କରି ପୁରୁଣା ବସ୍‌ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜୟଦେବ ଭବନ ପର୍ଯ୍ୟନ୍ତ ଯିବେ। ସେଠାରେ ପହଞ୍ଚିବା ପରେ ବିଜୟ ଉତ୍ସବ ପାଳନ ହେବା ସହିତ ପାଇକ ସର୍ଦ୍ଦାର, ପାଇକ ଗୁରୁ, ପାଇକ ଆଖଡ଼ା ଦଳର ଅଧିନାୟକ ତଥା ସାମରିକ ପରମ୍ପରାର ଗବେଷକ ଓ ଦଳେଇ, ଦଳବେହେରାଙ୍କୁ ସମ୍ବର୍ଦ୍ଧନା କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ସହ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯିବ ନେଇ ମହାସଂଘ ସୂଚନା ଦିଆଯାଇଛି।

ସଂଘର ସୂଚନା ଅନୁଯାୟୀ, ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଉଦ୍‌ଯାପନୀ ଉତ୍ସବରେ ତତ୍‌କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଓସିଏଲ୍‌ରୁ ୧୯୦ କୋଟି ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ସ୍ମାରକୀ ନିର୍ମାଣ ପାଇଁ ଜାଗା ନଥିବାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନଥିଲା। ଏବେ ରାଜ୍ୟ ସରକାର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ଠାରେ ୧୦ଏକର ଜାଗା ବିନା ମୂଲ୍ୟରେ ପ୍ରଦାନ କରିଛନ୍ତି। ଏହି ସ୍ମୃତି ସ୍ମାରକୀ ସମଗ୍ର ଓଡ଼ିଆ ଜାତିର ଅସ୍ମିତା, ବୀରତ୍ବପୂର୍ଣ୍ଣ ଐତିହ୍ୟର ବାର୍ତ୍ତା ସମଗ୍ର ଦେଶ ବିଦେଶରେ ପଚାର ପ୍ରସାର କରିବା ସହିତ ପର୍ଯ୍ୟଟକ ଓ ଗବେଷକଙ୍କୁ ଆକୃଷ୍ଟ କରିବ। ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟସ୍ତରୀୟ ମହିଳା ପାଇକ ଆଖଡ଼ା ସମାବେଶ ଅନୁଷ୍ଠିତ ହେଉଛି ବୋଲି ମହାସଂଘର ସାଧାରଣ ସଂପାଦକ ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବୀର ମହାସଂଘ ସଭାପତି ପ୍ରକାଶ ଶ୍ରୀଚନ୍ଦନ ଓ ମୁଖ୍ୟ ସଂଯୋଜକ ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe