ପ୍ରବାଦ ପୁରୁଷଙ୍କୁ ସମ୍ମାନ ଏମିତି! ଫନି ପରଠୁ ମସ୍ତକବିହୀନ ବିଜୁବାବୁଙ୍କ ପ୍ରତିମୂର୍ତ୍ତି

ପ୍ରବାଦ ପୁରୁଷଙ୍କୁ ସମ୍ମାନ ଏମିତି! ଫନି ପରଠୁ ମସ୍ତକବିହୀନ ବିଜୁବାବୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର : ସାମୁଦ୍ରିକ ବାତ୍ୟା ଫନି ପରଠୁ ମସ୍ତକବିହୀନ ହୋଇପଡ଼ିଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି। ଖୋଦ୍‌ ରାଜଧାନୀର ଜନଗହଳିପୂର୍ଣ୍ଣ ରାସ୍ତା କଡ଼ର ଏକ କାର୍ଯ୍ୟାଳୟ ଅଗଣାରେ ଥିବା ଏହି ପ୍ରତିମୂର୍ତ୍ତି ଦୁଇ ବର୍ଷ ହେଲା ଏମିତି ଖଣ୍ଡିଆ ଅବସ୍ଥାରେ ପଡ଼ି ରହିଛି। ଯେଉଁ କାର୍ଯ୍ୟାଳୟ ପକ୍ଷରୁ ଏହି ପ୍ରତିମୂର୍ତ୍ତି ଗଢ଼ା ଯାଇଥିଲା, ତାହା ବନ୍ଦ ହୋଇଯିବା ପରେ ପ୍ରତିମୂର୍ତ୍ତିଟି ସେମିତି ଅଲୋଡ଼ା ଅବସ୍ଥାରେ ମୁଣ୍ଡବିହୀନ ହୋଇ ବଡ଼ କଦର୍ଯ୍ୟ ଅବସ୍ଥାରେ ରହିଛି। ରାଜଧାନୀରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଏମିତି ଅବସ୍ଥାରେ ଥିବା ଆଜି ଜଣାପଡ଼ିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାମ ମନ୍ଦିର ନିକଟ ଓସିଏଚ୍‌ସି କମ୍ପ୍ଲେକ୍ସରେ ଥିବା ଅର୍ବାନ୍‌ ବ୍ୟାଙ୍କ ୨୦୦୪ ମସିହାରେ ଏହି ପ୍ରତିମୂର୍ତି ସ୍ଥାପନ କରିଥିଲା। ୨୦୧୪ ମସିହାରୁ ବ୍ୟାଙ୍କର ଏହି ଶାଖା ବନ୍ଦ ହୋଇଯାଇଛି। ତେଣୁ ଏହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ବରେ କେହି ନାହାନ୍ତି। ୨୦୧୯ ମେ’ରେ ଆସିଥିବା ସାମୁଦ୍ରିକ ବାତ୍ୟା ଫନିରେ ଏକ ଗଛ ଉପୁଡ଼ି ପଡ଼ିବାରୁ ଏହି ପ୍ରତିମୂର୍ତ୍ତିର ମୁଣ୍ଡ ଭାଙ୍ଗି ଯାଇଥିଲା। ମାତ୍ର ଅର୍ବାନ୍ ବ୍ୟାଙ୍କ ବନ୍ଦ ହୋଇ ଯାଇଥିବାରୁ ଏହି ପ୍ରତିମୂର୍ତ୍ତିର ମରାମତି କଥା କେହି ଚିନ୍ତା କଲେ ନାହିଁ। ବରଂ କେହି ତାକୁ ଏକ ଝୋଟ ଅଖା ପାଲ ବାନ୍ଧି ଘୋଡ଼ାଇ ଦେଇଥିଲା। ମଝିରେ ମଝିରେ ବର୍ଷା ପବନରେ ଅଖା ଉଡ଼ିଗଲେ, ସ୍ଥାନୀୟ ଦୋକାନୀମାନେ ପୁଣି ଏକ ଅଖା ଯୋଗାଡ଼ କରି ଏହାକୁ ଘୋଡ଼ାଇ ରଖିଦିଅନ୍ତି। ତେଣୁ ଗତ ଦୁଇ ବର୍ଷ ହେଲା ବଡ଼ ଦୟନୀୟ ଅବସ୍ଥାରେ ବିଜୁବାବୁଙ୍କ ମୁଣ୍ଡବିହୀନ ପ୍ରତିମୂର୍ତ୍ତି ଅଖା ପାଲ ତଳେ ଲୁଚି ରହିଥିଲା। ଗତକାଲି ବର୍ଷା ପବନରେ ଉକ୍ତ ପାଲଟି ପୁଣି ଉଡ଼ିଯିବା ପରେ ଭଙ୍ଗା ପ୍ରତିମୂର୍ତ୍ତି ପୁଣି ଲୋକଲୋଚନକୁ ଆସିଥିଲା। ପ୍ରତିମୂର୍ତ୍ତି ସ୍ଥାପନ କରି ଏମିତି ଅବହେଳିତ ଅବସ୍ଥାରେ ଛାଡ଼ି ଦେବା କଥାକୁ ବୁଦ୍ଧିଜୀବୀ ମହଲ ସହଜରେ ଗ୍ରହଣ କରିନାହିଁ। ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ଅବହେଳିତ ହୋଇ ରହିବା ଆମ ସଂସ୍କୃତି ବିଭାଗର ବଡ଼ ଅପାରଗତା ବୋଲି କୁହାଯାଉଛି। ତେଣୁ ତୁରନ୍ତ ଉକ୍ତ ପ୍ରତିମୂର୍ତ୍ତିକୁ ପୁନରୁଦ୍ଧାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe