ଭୁବନେଶ୍ବର: କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଫାଶରେ ପଡ଼ିଛନ୍ତି ପୁଣି ଦୁଇ ବାଘ ଶିକାରୀ। ସେମାନେ ହେଲେ କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବଦ୍ରୁମା ଗାଁର ପ୍ରଦୀପ ମଲ୍ଲିକ(୩୫) ଓ ଗୁଟୁସା ପ୍ରଧାନ(୫୬)। ସେମାନଙ୍କ ନିକଟରୁ ଗୋଟିଏ କଲରାପତରିଆ ଚମଡ଼ା ଜବତ କରାଯାଇଛି। ୫ ଲକ୍ଷ ଟଙ୍କାରେ ସେମାନେ ଏହି ଚମଡ଼ା ବିକିବା ଯୋଜନାରେ ଥିଲେ ଏବଂ ତା ପୂର୍ବରୁ ଏସ୍ଟିଏଫ୍ ସ୍କ୍ବାଡ୍ ସେମାନଙ୍କୁ କାବୁ କରିଛି। ଗତକାଲି ଏହି ବାଘ ଚମଡ଼ା ବିକ୍ରି ଡିଲ୍ ସମ୍ପର୍କରେ ଏସ୍ଟିଏଫ୍ ସ୍କ୍ବାଡ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଦୁଇ ଶିକାରୀ ପ୍ରଦୀପ ଓ ଗୁଟୁସା ବାଲିଗୁଡ଼ା ଡହପଦର ଛକରେ ଗ୍ରାହକକୁ ଚମଡ଼ା ଦେବାର ଥିଲା।
ତେଣୁ ସେମାନେ ଡହପଦର ଛକକୁ ଆସି ଗ୍ରାହକ ଅପେକ୍ଷାରେ ଥିଲେ। କିନ୍ତୁ କିଛି ସମୟ ପର୍ଯ୍ୟନ୍ତ ଗ୍ରାହକ ନ ଆସିବାରୁ ସେମାନେ ସେଠାରୁ ପଳାଇବାକୁ ବାହାରିଥିଲେ। ମାତ୍ର ପୂର୍ବରୁ ଛକି ରହିଥିବା ଏସ୍ଟିଏଫ୍ ସ୍କ୍ବାଡ୍ ସେମାନଙ୍କୁ ଘେରି ଯାଇଥିଲା। ବାଘଟିକୁ ସେମାନେ ୧୫ଦିନ ପୂର୍ବରୁ ଫାଶ ବସାଇ ମାରିଥିଲେ ଏବଂ ଚମଡ଼ାକୁ ୫ ଲକ୍ଷ ଟଙ୍କାରେ ଗ୍ରାହକ କିଣିବାର ଥିଲା ବୋଲି ମାନିଯାଇଥିଲେ। ସେମାନେ ଗ୍ରାହକ ବାବଦରେ ଏସ୍ଟିଏଫ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ମାତ୍ର ତାହା ଗ୍ରାହକର ପ୍ରକୃତ ଠିକଣା କି ନା, ସେନେଇ ଖୋଳତାଡ଼ ଚାଲିଛି। ଏଥିସହିତ ସେମାନଙ୍କ ମୋବାଇଲ ଜବତ କରାଯାଇ ନମ୍ବର ଟ୍ରାକ୍ କରାଯାଉଛି। ସୂଚନାଯୋଗ୍ୟ ଯେ ୫ ବର୍ଷ ଭିତରେ ଏସ୍ଟିଏଫ୍ ୫୨ଟି କଲରାପତରିଆ ଓ ୨ଟି ମହାବଳ ବାଘ ଚମଡ଼ା ଜବତ କରିଛି।
Follow Us